ମହାପ୍ରଭୁଙ୍କୁ ଦର୍ଶନ କଲେ ଅଭିନେତା ମିଥୁନ୍‌

ପୁରୀ: ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀପ ଦେଇ ଠାକୁରଙ୍କୁ କୃତଜ୍ଞତା ଜଣାଇବା ସହ ଅନ୍ୟ ଦେବାଦେବୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ବିଗତ ଦିନର ଡ୍ୟାନ୍‌ସିଂ ଷ୍ଟାର୍‌ ମିଥୁନ୍‌ଙ୍କୁ ଦେଖିବା ପାଇଁ ଆଜି ସିଂହଦ୍ବାରରେ ପ୍ରବଳ ଭିଡ଼ ହୋଇଥିଲା। ମେରୁଦଣ୍ଡ ସମସ୍ୟାକୁ ନେଇ ଆମେରିକାର ଲସ୍‌ ଏଞ୍ଜେଲ୍‌ସରେ ଚିକିତ୍ସିତ ହୋଇ ସୁସ୍ଥରେ ଫେରିଥିବା ମିଥୁନ୍‌ ଗୁରୁବାର ସକାଳ ୭ଟାରେ ସିଂହଦ୍ବାରରେ ପହଞ୍ଚିଥିଲେ। ତାଙ୍କୁ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର, ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ଓ ସୁବେଦାର ଯୋଗେଶ ସ୍ବାଇଁ ଶ୍ରୀମନ୍ଦିରକୁ ନେଇଥିଲେ। ସିଂହଦ୍ବାରରୁ ବାଇଶି ପାହାଚ ଚଢ଼ି କୀର୍ତ୍ତନ ଚକଡ଼ାକୁ ଯାଇଥିଲେ ମିଥୁନ୍‌। ପରେ ଗାରଦ ଦ୍ବାର ଦେଇ ଜୟବିଜୟ ଦ୍ବାର ରାସ୍ତାରେ ଭିତର କାଠ ନିକଟକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେଠାରେ ସେ ଦୀପଦାନ କରିଥିଲେ। ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିବା ପରେ ବେହରଣ ଦ୍ବାର ଦେଇ ବାହାରକୁ ବାହାରିଥିଲେ। ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିବା ପରେ ବିମଳା ମନ୍ଦିର ଜଗମୋହନରୁ ଦର୍ଶନ କରି ସିଧାସଳଖ ଲକ୍ଷ୍ମୀ ମନ୍ଦିରକୁ ଯାଇଥିଲେ। ସେଠାରେ ମୁଣ୍ଡିଆ ମାରିବା ପରେ ପୁଣି କୀର୍ତ୍ତନ ଚକଡ଼ା ଦେଇ ଫେରିଥିଲେ। ବାଟରେ ଜଣେ ଚୁନରା ସେବକ ତାଙ୍କୁ ପତିତପାବନ ବାନା ପ୍ରଦାନ କରିଥିଲେ। ୨୦୦୯ରୁ ମେରୁଦଣ୍ଡ ସମସ୍ୟାରେ ପଡ଼ିଥିବା ମିଥୁନ୍‌ ବାଇଶି ପାହାଚରେ ଆସିବା ବେଳେ କହିଥିଲେ, ଠାକୁରଙ୍କ ଅପାର କରୁଣାରୁ ସେ ସୁସ୍ଥ ହୋଇଛନ୍ତି। ଏବେ ସେହି ସମସ୍ୟା ନାହିଁ। ପୁଣିଥରେ କଳା ଜଗତକୁ ଫେରିବା ଆଶା ବି ରଖିଛନ୍ତି। ତାଙ୍କୁ ସୁସ୍ଥ କରି ଫେରାଇ ଆଣିଥିବାରୁ ଠାକୁରଙ୍କୁ ମଥାପାତି ପ୍ରଣାମ କରିଥିଲେ।

ସମ୍ବନ୍ଧିତ ଖବର