ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା ବଢ଼ିଲା : ୧୦ ରାଜ୍ୟ ପାଇଁ ୯ ଆଇଏଏସ୍‌ଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ, ଅନ୍ୟ ରାଜ୍ୟ ପାଇଁ ଅମିତାଭ ଠାକୁର ନୋଡାଲ ଅଫିସର

ମୁଖ୍ୟସଚିବ ସ୍ଥିତି ସମୀକ୍ଷା କରିବା ପରେ ବଦଳିଲା ନିଷ୍ପତ୍ତି, ନୋଡାଲ ଅଫିସରଙ୍କୁ ସମସ୍ୟା ଜଣାଇବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : କାମଧନ୍ଦା ଅନ୍ବେଷଣ ଆଦି କାରଣରୁ ଓଡ଼ିଶା ବାହାରେ ଥିବା ଲକ୍ଷାଧିକ ଲୋକ ଏବେ ଲକ୍‌ଡାଉନ୍‌ରେ ଫସିଯିବା ଘଟଣାକୁ ନେଇ ‘ସମ୍ବାଦ’ରେ ଆଜି ଖବର ପ୍ରକାଶ ପରେ ହଇଚଇ ସୃଷ୍ଟି ହୋଇଛି। ଯଦିଓ ସରକାର ଅନେକଙ୍କ ପାଇଁ ପଦକ୍ଷେପ ନେଇଛନ୍ତି, ତଥାପି ପରିସ୍ଥିତିର ଚାପ ଏତେ ଅଧିକ ଯେ ଲୋକେ ବିଚଳିତ ହୋଇଯିବା ସ୍ବାଭାବିକ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ଦିଗରେ ଆଜି ଅଧିକ ସଜାଗ ହୋଇଛନ୍ତି। ମୁଖ୍ୟଶାସନ ସଚିବ ଆଜି ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ତଥା କଣ୍ଟ୍ରୋଲ୍ ରୁମ୍‌ ଦାୟିତ୍ବରେ ଥିବା ଅମିତାଭ ଠାକୁରଙ୍କ ସହିତ ଆେଲାଚନା କରିବା ପରେ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍‌ ଯଥେଷ୍ଟ ନୁହେଁ, ବରଂ ଅଧିକ ଲୋକ ଫସିଥିବା ବିଭିନ୍ନ ରାଜ୍ୟ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ଦାୟିତ୍ବ ଦେବା ଲାଗି ସ୍ଥିର ହୋଇଥିଲା। ଏହି କ୍ରମରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ବାହାରେ ଥିବା ଶ୍ରମିକ ଓ ଅନ୍ୟ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଏକାଧିକ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି। ୧୦ଟି ପ୍ରମୁଖ ରାଜ୍ୟ, ଯେଉଁଠାରେ ଲୋକ ଫସି ରହିଛନ୍ତି, ସେମାନଙ୍କ ଲାଗି ପୃଥକ୍ ପୃଥକ୍ ୯ଜଣ ବରିଷ୍ଠ ଅଧିକାରୀଙ୍କୁ େନାଡାଲ୍ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ସଂପୃକ୍ତ ରାଜ୍ୟର ଶ୍ରମିକ ଓ ଅନ୍ୟ ବ୍ୟକ୍ତିବିଶେଷଙ୍କ ସହିତ ଯୋଗାଯୋଗରେ ରହିବେ। ଅନ୍ୟ ବଳକା ରାଜ୍ୟରେ ଥିବା ଶ୍ରମିକ ଓ ପ୍ରବାସୀଙ୍କ ଲାଗି ନୋଡାଲ୍ ଅଫିସର ଭାବେ ଆଇଜି ଅପରେସନ୍ ତଥା ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଅମିତାଭ ଠାକୁର ପୂର୍ବଭଳି ଦାୟିତ୍ବ ତୁଲାଇବେ। ଏହିଭଳି ମୋଟ ୧୦ ଜଣ ଅଫିସର ଏହି କାର୍ଯ୍ୟରେ ଆଜିଠାରୁ ନିୟୋଜିତ ହେବ। ଏସବୁ ଅଧିକାରୀଙ୍କ ସହିତ ଯୋଗାଯୋଗ ପାଇଁ ଟେଲିଫୋନ୍ ଓ ଇମେଲ୍ ନମ୍ବର ମଧ୍ୟ ସରକାର ଜାରି କରିଛନ୍ତି। ଏମାନେ ଶ୍ରମିକଙ୍କ ସମସ୍ୟା ବୁଝିବା ସହିତ ସଂପୃକ୍ତ ରାଜ୍ୟ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ।

ସରକାରୀ ବିଜ୍ଞପ୍ତି ଅନୁସାରେ, ତେଲେଙ୍ଗାନା ରାଜ୍ୟ ପାଇଁ ଯୋଜନା ଓ ସଂଯୋଜନ ବିଭାଗର ଉପ ସଚିବ ଡ. ୟେଦୁଲା ବିଜୟଙ୍କୁ (ଟେଲିଫୋନ୍ ନମ୍ବର-୦୬୭୪-୨୩୨୩୦୬୮) ନିଯୁକ୍ତି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ଦାୟିତ୍ବରେ ପଞ୍ଚାୟତିରାଜ ବିଭାଗ ଦାୟିତ୍ବରେ ଥିବା ଓଡ଼ିଶା ପିଇବା ପାଣି ଓ ପରିମଳ ନିର୍ଦେଶକ ବି ପରମେଶ୍ବରନ୍ ୦୬୭୪-୨୩୯୩୨୭୫) ରହିବେ। ପଶ୍ଚିମବଙ୍ଗ ଦାୟିତ୍ବରେ ଆଇଏଏସ୍ ଅଫିସର ଏସ୍‌ଏସ୍‌ଇପିଡି ବିଭାଗର ସଚିବ ଭାସ୍କର େଜ୍ୟାତି ଶର୍ମା (୦୬୭୪-୨୩୯୦୧୧୬), ଗୁଜୁରାଟ ଦାୟିତ୍ବରେ ଡ. ନୀତିନ ଭାନୁଦାସ ଜାଵଲେ (୦୬୭୪-୨୫୪୩୪୬୧), ମହାରାଷ୍ଟ୍ର ଦାୟିତ୍ବରେ ପଞ୍ଚାୟତିରାଜ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରାଜେଶ ପ୍ରଭାକର ପାଟିଲ (୦୬୭୪-୨୩୯୨୯୦୬) ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ।

ସେହିଭଳି ତାମିଲନାଡୁ ଦାୟିତ୍ବରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରମୁଗମ୍ (୦୬୭୪-୨୫୩୬୬୩୧), ବିହାର ଏବଂ ଝାଡ଼ଖଣ୍ଡ ଦାୟିତ୍ବରେ ସିଏମଜିଆଇ ପ୍ରକଳ୍ପ ନିର୍ଦେଶକ ସାଦ୍ଦିକ୍ ଆଲାମ୍ ( ୦୬୭୪-୨୫୭୩୩୧୦) ଏବଂ କେରଳ ଦାୟିତ୍ବରେ କୃଷି ନିର୍ଦେଶକ ଏମ୍ ମୁଥୁକୁମାର ( ୦୬୭୪-୨୩୯୫୫୩୨) ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ। ରାଜ୍ୟ ସରକାର ନୂଆଦିଲ୍ଲୀ ଏନ୍‌ସିଆର୍ ପାଇଁ ଆବାସିକ ଆୟୁକ୍ତ ସଂଜୀବ ମିଶ୍ରଙ୍କୁ ଦାୟିତ୍ବ ଦେଇଛନ୍ତି। ଅନ୍ୟ ରାଜ୍ୟ ପାଇଁ ଅମିତାଭ ଠାକୁର (୦୬୭୪-୨୫୩୩୨୩୦) ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆ ମାନେ ନିଜ ନିଜ ଅଞ୍ଚଳ ଦାୟିତ୍ବରେ ଥିବା ନୋଡାଲ ଅଫିସରଙ୍କୁ ସିଧା ସଳଖ ସମସ୍ୟା ଜଣାଇ ପାରିବେ। ଏହାଦ୍ବାରା ସମସ୍ୟାରେ କିଛିଟା ସୁଧାର ଆସିବ ବୋଲି ସରକାର ବିଚାର କରିଛନ୍ତି।

ସମ୍ବନ୍ଧିତ ଖବର