ମହାପ୍ରଭୁଙ୍କୁ ସ୍ମରଣ କରି ଜୀବନ ଜିଉଁଛନ୍ତି ଦୃଷ୍ଟିହୀନ ମିଟୁ, ବଡ଼ଦାଣ୍ଡରେ ବାଦାମ ବିକି କରୁଛନ୍ତି ପରିବାର ପ୍ରତିପୋଷଣ

ପୁରୀ: ଦିବ୍ୟାଙ୍ଗ ମିଟୁ ସ୍ୱାଇଁ । ପିଲାଟିବେଳୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି । କାଳିଆକୁ ସିନା ସେ ଆଖିରେ ଦେଖିପାରୁନାହାନ୍ତି, କିନ୍ତୁ ମନ ଭିତରେ ମହାପ୍ରଭୁଙ୍କୁ ସେ ସବୁବେଳେ ସ୍ମରଣ କରନ୍ତି । ସେଇଥିପାଇଁ ତ ବଡଠାକୁରଙ୍କୁ ସ୍ମରଣ କରି ବଡ଼ଦାଣ୍ଡରେ ବାଦାମ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ମିଟୁ ।

ବ୍ରହ୍ମପୁର ହୁଗୁଳାପଟାରେ ମିଟୁଙ୍କର ଘର । ଦୀର୍ଘ ୪ ବର୍ଷରୁ ଅଧିକ ସମୟ ହେଲାଣି ସେ ପୁରୀରେ ରହୁଛନ୍ତି । ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି, କିମ୍ବା ଭିକ୍ଷାବୃତିକୁ ଆପଣାଇନାହାନ୍ତି । ସ୍ୱଳ୍ପ ରୋଜଗାର ହେଉଥିଲେ ମଧ୍ୟ, ବାଦାମ ବିକ୍ରି କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ। ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖି କାର୍ଯ୍ୟ କଲେ ସବୁକିଛି ସମ୍ଭବ ହୋଇପାରିବ ବୋଲି କହିଛନ୍ତି ମିଟୁ । ଦୃଷ୍ଟିଶକ୍ତି ନଥିଲେ ବି ଜୀବନଯୁଦ୍ଧରେ ସେ ହାରିଯାଇନାହାନ୍ତି । ପ୍ରତିଦିନ ସକାଳ ହେଲେ, ମହାପ୍ରଭୁଙ୍କୁ ସ୍ମରଣ କରି ବାଦାମ, ସେଉ ଭଜା ପ୍ୟାକେଟ୍ ଧରି ବଡଦାଣ୍ଡରେ ବିକ୍ରି କରିଥାନ୍ତି ମିଟୁ।

ସମ୍ବନ୍ଧିତ ଖବର