ବାରିପଦା: ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ୍ରେ ଚୀନ୍ ସହିତ ଉତ୍ତେଜନା ପରେ ପବ୍ଜି ସମେତ ୧୧୮ଟି ମୋବାଇଲ୍ ଆପ୍ଲିକେସନ୍କୁ ଭାରତ ସରକାରକୁ ବ୍ୟାନ୍ କରିଛନ୍ତି। ଏନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚୀନ୍କୁ ମାତ୍ ଦେବାକୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହୁଥିବାବେଳେ କିଛି ଏନେଇ ଦୁଃଖ ପ୍ରକାଶ କରିଛନ୍ତି। ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ପବ୍ଜି ଭଳି ବ୍ୟାନ୍ ହୋଇଥିବା ଅନ୍ୟାନ୍ୟ ଆପ୍ଲିକେସନ୍ ଉପରେ କେନ୍ଦ୍ର ସରକାର ପୁର୍ନବିଚାର କରିବାକୁ ଦାବି ହୋଇଛି। ପବ୍ଜୀ ସମ୍ପୂର୍ଣ୍ଣ ଭାବେ ଚୀନ୍ର ନୁହେଁ। ତେଣୁ ଏନେଇ ଯୁବଗୋଷ୍ଠୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ମୟୂରଭଞ୍ଜ ଭଳି ଏକ ବୃହତ୍ ଜିଲ୍ଲାର ଯୁବଗୋଷ୍ଠୀଙ୍କ ପ୍ରତିକ୍ରିୟା ନେଇଥିଲା ‘ସମ୍ବାଦ’।
ଦୁଃଖ ଲାଗୁଛି, ଟାଇମପାସ୍ କରିବାକୁ କଷ୍ଟ ହେଉଛି
କରୋନା ମହାମାରୀ ସମୟରେ ବାହାରକୁ ଯିବା ଅପେକ୍ଷା ଘରେ ବସି ପବ୍ଜୀ ଖେଳିବା ନିହାତି ଆନନ୍ଦଦାୟକ। ଯଦିଓ ଏହା କେବଳ ଚୀନ୍ର ଏକଚାଟିଆ ନୁହେଁ ତଥାପି ଭାରତ ସରକାର ଏହାକୁ ବ୍ୟାନ୍ କରିଛନ୍ତି। ତେଣୁ ବହୁତ ଦୁଃଖ ଲାଗୁଛି। ଏହାପରେ ଟାଇମପାସ୍ କରିବା କଷ୍ଟ ହେଇଯାଉଛି।
ଅନନ୍ତ ସ୍ବାଇଁ, ପ୍ରଫେସନାଲ୍
ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟିଥିଲା
ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ପାଲଟିଯାଇଥିଲା। ଦୂରଦୂରାନ୍ତର ବନ୍ଧୁମାନଙ୍କ ସହିତ ସଂଯୋଗ କରି ରଖୁଥିଲା। ଏମିତି ହଠାତ୍ ବନ୍ଦ କରିଦିଆଯିବାରୁ ଦୁଃଖ ଲାଗୁଛି। ଏହି ଖେଳ ବନ୍ଦ ହୋଇଯିବାରୁ ଅନେକ ପିଲା ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତି। ଏହି ଖେଳକୁ ବନ୍ଦ ନକରି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରି କିଛି କଟକଣା ଜାରି କରିଥିଲେ ଭଲ ହୋଇଥାଆନ୍ତା।
ଅଭିଷେକ ଆଚାର୍ଯ୍ୟ, ଛାତ୍ର
ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ କରୁଥିଲା, ବ୍ୟାନ୍ ହେବା ସ୍ୱାଗତଯୋଗ୍ୟ
ପବ୍ଜୀ ଖେଳ ନିଶ୍ଚିନ୍ତ ଭାବରେ ମନୋରଂଜନକାରୀ। କିନ୍ତୁ ଏହା ଉଭୟ ଛାତ୍ର ଓ ଯୁବଗୋଷ୍ଠୀଙ୍କ ମୂଲ୍ୟବାନ ସମୟ ନଷ୍ଟ କରିବା ସହିତ ତାଙ୍କୁ ନିଜର ଲକ୍ଷ୍ୟରୁ ବିଚ୍ୟୁତ କରିବାରେ ସାଜିଥିଲା ଏକ ପ୍ରମୁଖ ବାଟ। ସେଥିପାଇଁ ଏହା ବ୍ୟାନ୍ ହେବା ନିଶ୍ଚିତ ଭାବରେ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ।
ଦୁର୍ଯ୍ୟୋଧନ ବେହେରା, ପୂର୍ବତନ ଛାତ୍ର ସଂସଦ ସଭାପତି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
ସ୍ୱଦେଶୀ ଜ୍ଞାନକୌଶଳରେ ନୂଆ ଆବିଷ୍କାରକୁ ଉତ୍ସାହିତ କରିବ
ପବ୍ଜୀ ଗେମ୍ ଯେ କେବଳ ଛାତ୍ର ଛାତ୍ରୀ ମାନେ ମଜା ନେଉଥିଲେ ତାହାନୁହେଁ, ଏହା ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଛି ଏବଂ ଯୁବ, ଛାତ୍ର ମାନଙ୍କ ମସ୍ତିଷ୍କକୁ ନିଜର କବଳରେ ବାନ୍ଧି ରଖିଛି। ଏହା ବନ୍ଦ ହେବା ଦ୍ୱାରା ଅନେକ ଯୁବ, ଛାତ୍ର ମାନଙ୍କ ମସ୍ତିଷ୍କ ଆଜି ସ୍ୱାଧୀନ ହୋଇଛି। ଫଳରେ ସେମାନେ କିଛି ନୂଆ ଚିନ୍ତା କରିବା ପାଇଁ ସଫଳ ହେବ। ଏହା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ।
ପୂଜା ମିଶ୍ର, ଛାତ୍ରୀ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
ଦେଶ ପାଇଁ ଭଲ
ବିଦେଶୀ ଗେମ୍ ପବ୍ଜୀ ବ୍ୟାନ୍ ହେବା ଦ୍ୱାରା ଚୀନ୍ ପାନେ ପାଇବ। ସେହିପରି ଯୁବଗୋଷ୍ଠୀ ମଧ୍ୟ ଅଯଥା ସମୟ ନଷ୍ଟ କରି ପାଠପଢ଼ା ପ୍ରତି ଅବହେଳା କରୁଥିଲେ। ଏହି ଗେମ୍ ମାଧ୍ୟମରେ ହଜାର ହଜାର ଛାତ୍ର ଅଯଥା ଅର୍ଥ ମଧ୍ୟ ଅପବ୍ୟୟ କରିଛନ୍ତି। ତେଣୁ ଏହା ବ୍ୟାନ୍ ହେବା ନିହାତି ସ୍ୱାଗତଯୋଗ୍ୟ। ଏହା ଆମ ଦେଶ ପାଇଁ ହିତକାରୀ।
ମାନସ ରଞ୍ଜନ ବେହେରା, ଛାତ୍ର, ବାରିପଦା
ଚାଇନିଜ୍ ଆପ୍ ବ୍ୟାନ୍ କରି ସ୍ୱଦେଶୀ ଆପ୍ ଗ୍ରହଣ କରିବା
ଚୀନ୍କୁ ପାନେ ଦେବାକୁ ପବ୍ଜୀ ଭଳି ଆପ୍ଲିକେସନ୍ ବ୍ୟାନ୍ କରିବା ନିହାତି ସ୍ୱାଗତଯୋଗ୍ୟ। ଚାଇନିଜ୍ ଆପ୍ ବ୍ୟାନ୍ କରି ସ୍ୱଦେଶୀ ଆପ୍ ଗ୍ରହଣ କରିବା ନିମନ୍ତେ ଏହା ଆମକୁ ଉତ୍ସାହିତ କରିବ।
ଜୟପ୍ରକାଶ ମହାନ୍ତି, ରାସଗୋବିନ୍ଦପୁର, ବ୍ୟବସାୟୀ
ବନ୍ଦ ହେବା ସ୍ୱାଗତଯୋଗ୍ୟ
ପବ୍ଜୀ ଛାତ୍ର ସମାଜକୁ ପଥଭ୍ରଷ୍ଟ କରିବାରେ ବେଶ ସହାୟକ ହେଉଥିଲା। ଏହା ବନ୍ଦ ହେବାଦ୍ୱାର ଏବେ ଯୁବ ଛାତ୍ରଗୋଷ୍ଠୀ ନିଜର ଲକ୍ଷ୍ୟ ସାଧନ କରିବାରେ ଆଉ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ଚିତ୍ତେଶ୍ୱର ବେହେରା, ଛାତ୍ର ନେତା, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
ମନୋରଞ୍ଜନକାରୀ, କୁପ୍ରଭାବ ଅନେକ
ପବ୍ଜୀ ଏକ ମନରଞ୍ଜନକାରୀ ଗେମ୍। ଛାତ୍ର, ଯୁବଗୋଷ୍ଠୀଙ୍କୁ ଏହା ଭରପୁର ମଜା ଦେଇଛି। କିନ୍ତୁ ଏହାର କୁପ୍ରଭାବ ମଧ୍ୟ ସୁଦୂରପ୍ରସାରୀ। ଏହାଫଳରେ ଛାତ୍ରଛାତ୍ରୀ ମାନେ ନିଜର ପଢ଼ା ସମୟକୁ ଠିକ ଭାବରେ ବ୍ୟବହାର ନକରି ଏହି ଖେଳରେ ମଜ୍ଜି ରହୁଥିଲେ। ତେଣୁ ଏହାକୁ ବ୍ୟାନ୍ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ସାସ୍ୱତୀ ପ୍ରିୟଦର୍ଶିନୀ ନାଥ, ଛାତ୍ରୀ,ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ
ଯୁବଗୋଷ୍ଠୀ ନିରୁତ୍ସାହିତ ହୋଇପଡ଼ିଛନ୍ତି
ପବ୍ଜୀ ବ୍ୟାନ୍ ଫଳରେ ଯୁବଗୋଷ୍ଠୀ ନିରୁତ୍ସାହିତ ହୋଇପଡ଼ିଛନ୍ତି। ମାତ୍ର ଦେଶର ସ୍ବାର୍ଥ ଦୃଷ୍ଟିରୁ ଏହି ବ୍ୟାନ୍କୁ ସମସ୍ତେ ଗ୍ରହଣ କରିବାକୁ ଆଲୋଚନା କରୁଥିବା ଜଣାପଡ଼ିଛି। ଏହାର ବିକଳ୍ପ ଯେକୌଣସି ସ୍ୱଦେଶୀ ଆପ୍କୁ ବ୍ୟବହାର କରିବାକୁ ପସନ୍ଦ କରିବୁ।
ସତ୍ୟଜିତ ଦାସ, ପବ୍ଜୀ ଗେମର