ସ୍କୁଲ୍‌ ଖୋଲିବା ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା : ଶିକ୍ଷାବିତ୍‌ଙ୍କ ସ୍ୱାଗତ‌; ଅଭିଭାବକଙ୍କ ବିରୋଧ

ଭୁବନେଶ୍ୱର : ନଭେମ୍ବରରେ ସ୍କୁଲ୍‌ ଖୋଲିବା ନେଇ ସରକାର ଆଜି ଠୋସ୍‌ ନିଷ୍ପତ୍ତି ଜଣାଇଲେ ନାହିଁ। ୧୫ ତାରିଖ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଏସ୍‌ଆର୍‌ସି ନିର୍ଦ୍ଦେଶ ଜାରି କରିଛନ୍ତି। ସ୍କୁଲ୍‌ ସହ ସଂପୃକ୍ତ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା କରି ଆବଶ୍ୟକ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବ ବିଭାଗ। ତାହା ପରେ ସ୍କୁଲ୍‌ କେବେ ଠାରୁ ଖୋଲିବ ଓ କିପରି ଖୋଲିବ, ସେ ସମ୍ପର୍କରେ ବିଭାଗ ଘୋଷଣା କରିବ। ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ନଜରରେ ରଖି ହିଁ ସ୍କୁଲ୍‌ ଖୋଲିବାକୁ ଯୋଜନା ହେବ ବୋଲି ସ୍ପଷ୍ଟ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନଭେମ୍ବର ୧୬ରୁ ସ୍କୁଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେବ ନା ପୁଣି ଦି ଘୁଞ୍ଚିବ, ସେ ନେଇ ଦ୍ବନ୍ଦ୍ବ ଜାରି ରହିଛି। ସ୍କୁଲ୍‌ ଖୋଲିବା ସମ୍ପର୍କରେ ସାରା ରାଜ୍ୟରେ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିକ୍ଷାବିତ ଓ ବିଭିନ୍ନ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିଥିବାବେଳେ ଅଭିଭାବକମାନେ କିନ୍ତୁ ଏହାକୁ ନେଇ ଅଧିକ ସତର୍କତା ଜରୁରି ବୋଲି ମତ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ୧୬ ତାରିଖରେ ବିଦ୍ୟାଳୟ ଖୋଲିବା ନେଇ ଏସ୍‌ଆର୍‌ସିଙ୍କ ଘୋଷଣା ଆମ ନଜରକୁ ଆସିଛି। ଏନେଇ ବିଭାଗ ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗକୁ ନେଇ ସମସ୍ତ ଅଂଶୀଦାର ଯଥା ଶିକ୍ଷାବିତ୍‌, ଅଭିଭାବକମାନଙ୍କ ସହ ଆଲୋଚନା କରି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଷୟରେ ଆଲୋଚନା ସରିବା ପରେ ଏସ୍‌ଓପି ପ୍ରସ୍ତୁତ କରି କେ‌ବେ ସ୍କୁଲ ଖୋଲିବ ତାହା ଘୋଷଣା କରାଯିବ।

ସ୍କୁଲ୍‌ ଖୋଲିବା ସ୍ବାଗତଯୋଗ୍ୟ ନିଷ୍ପତ୍ତି
ଆସନ୍ତା ୧୬ରୁ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନିହାତି ଭାବେ ସ୍ବାଗତଯୋଗ୍ୟ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ ଅପେକ୍ଷାକୃତ ଟିକେ ପରିପକ୍ବ। ସେମାନେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା ଭଳି କଟକଣାକୁ ବେଶ୍‌ ଭଲ ଭାବେ ପାଳନ କରିପାରିବେ। ଯେହେତୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ‌ବିଦ୍ୟାଳୟ ବନ୍ଦ ରହିବ ତେଣୁ ଯେଉଁ ଶ୍ରେଣୀ ଗୃହଗୁଡ଼ିକ ଖାଲି ରହିବ ସେଥିରେ ଭାଗ କରି ପିଲାମାନଙ୍କୁ ସାମା‌ଜିକ ଦୂରତା ରକ୍ଷା କରି ପାଠ ପଢ଼ାଯାଇପାରିବ। ଆହୁରି ମଧ୍ୟ ସ୍କୁଲ କର୍ତୃପକ୍ଷମାନେ ସ୍କୁଲରେ ମାଗଣା ମାସ୍କ ବଣ୍ଟନ କରିବା ସହ ସାମାଜିକ ଦୂରତା ରକ୍ଷା ଉପରେ ନଜର ଦେଲେ ଭଲ ହେବ। କିନ୍ତୁ ଏହା ପୂର୍ବରୁ ସ୍କୁଲ ପରିସର ଭଲ ଭାବେ ବିଶୋଧିତ ହେବା ଉଚିତ। ବିଦ୍ୟାର୍ଥୀମାନେ ଅନ୍‌ଲାଇନ୍‌ ଅପେକ୍ଷା ଶିକ୍ଷକଙ୍କ ସାମ୍‌ନାରେ ପାଠ ପଢ଼ିଲେ ସେମାନଙ୍କ ଦ୍ବନ୍ଦ୍ବ ଦୂର ହୋଇଥାଏ। ଏଣୁ ସ୍କୁଲ ଖୋଲି ପରୀକ୍ଷାମୂଳକଭାବେ ଆମେ ଦେଖିପାରିବା। ଯଦି ସଂକ୍ରମଣ ବଢ଼େ, ତେବେ ସ୍କୁଲ ପରେ ବନ୍ଦ କରାଯାଇପାରେ। କିନ୍ତୁ ଯଦି ଏହା ଦ୍ବାରା ସଂକ୍ରମଣ ନ ହୁଏ, ତେବେ ତଳ ଶ୍ରେଣୀ ପିଲାମନଙ୍କ ପାଇଁ ବି ସ୍କୁଲ ଖୋଲିବାର ବ୍ୟବସ୍ଥା କରାଯାଇପାରେ।
ପ୍ରୀତିଶ ଆଚାର୍ଯ୍ୟ, ଶିକ୍ଷାବିତ୍‌

ପରିସ୍ଥିତିକୁ ଦେଖି ଡିସେମ୍ବରରେ ଖୋଲାଯାଉ
ଗତ ୮ ମାସ ଧରି ବିଦ୍ୟାଳୟ ବନ୍ଦ ରହିଛି। ଛୋଟ ପିଲାମାନେ ଘରେ ସତର୍କତା ଭିତରେ ଏକପ୍ରକାର କଟକଣା ଭିତରେ ରହିଛନ୍ତି। ସ୍କୁଲ ଖୋଲିଲେ ସେମାନେ ଏତେ ଦିନ ପରେ ସାଙ୍ଗମାନଙ୍କୁ ଦେଖି କୋଳାକୋଳି ହେବେ। କିଛି ସାମାଜିକ ଦୂରତା ନିୟମ ମାନିବେ ନାହିଁ। ଫଳରେ ସଂକ୍ରମଣ ବଢ଼ିପାରେ। ସେମିତିରେ ଏତେ ବିଳମ୍ବ ହେଲାଣି, ଏଣୁ ନଭେମ୍ବରରେ ବି ଖୋଲିବାର କିଛି ବି ଆବଶ୍ୟକତା ନାହିଁ। ପରିସ୍ଥିତିକୁ ଦେଖି ‌ଡିସେମ୍ବର ଆଡ଼କୁ ସ୍କୁଲ ଖୋଲିଲେ ଭଲ ହେବ। ଯଦି ବି ଏବେ ଖୋଲୁଛନ୍ତି, ତେବେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରିବା, ସ୍କୁଲଗୁଡ଼ିକରେ ସାନିଟାଇଜିଂ ବ୍ୟବସ୍ଥା କରିବା ଓ ବି‌ଶୋଧନ କରାଇବା ଆଦି ବ୍ୟବସ୍ଥା କରାଇବା ଉଚିତ। କିନ୍ତୁ ଏ ସବୁ ତ’ କହିଦେଲେ ହେବ ନାହିଁ, ଏନେଇ ପ୍ରଥମେ ସରକାର ସମସ୍ତ ସ୍କୁଲକୁ ପାଣ୍ଠି ଦେବା ଉଚିତ। ଅନେକ ସ୍କୁଲରେ ନିଜର କିଛି ପାଣ୍ଠି ନଥାଏ। ଏଣୁ ସରକାରଙ୍କୁ ଏ ଦିଗରେ ଚିନ୍ତା କରିବା ଉଚିତ। କିନ୍ତୁ ମୋ ମତରେ ନଭେମ୍ବରକୁ ଅନୁଧ୍ୟାନ କରି ଡିସେମ୍ବରରେ ସ୍କୁଲ ଖୋଲିବା ଭଲ ହେବ। ପିଲାମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଛୁଟିଗୁଡ଼ିକ ବାତିଲ କରି‌ଦେଲେ ବି ହେବ।
ଗୋଲକ ନାୟକ, ସଭାପତି, ନିଖିଳ ଓଡ଼ିଶା ୬୬୨ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ

ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ପରୀକ୍ଷାମୂଳକ ଭାବେ ଖୋଲାଯାଉ
ସରକାର ଏବେ ହଠାତ୍‌ ବିଦ୍ୟାଳୟ ଖୋଲି ନ ଦେଇ ପରୀକ୍ଷାମୂଳକ ଭାବେ ଏହାକୁ ନଜର ଦିଅନ୍ତୁ। ଏବେ ବିଦ୍ୟାଳୟଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ବିଶୋଧନ କରିବା‌ ଦିଗରେ ଦୃଷ୍ଟି ଦେବା ଉଚିତ। ଅନ୍ୟପଟେ ଅନେକ ବିଦ୍ୟାଳୟରେ କୋଭିଡ୍‌‌ ସେଣ୍ଟର ଓ କ୍ବାରେଣ୍ଟାଇନ୍ ସେଣ୍ଟର ହୋଇଥିଲା। ସେଠାରେ ସେହିଭଳି ଭାବେ ଏବେ ବି ବେଡ୍‌ ସବୁ ପଡ଼ିଛି। ସେ ଦିଗରେ କାହାର ନିଘା ନାହିଁ। ପୁଣି ଏକା ସାଥେ ସବୁ ଶ୍ରେଣୀ ନ ଖୋଲି ଦେଇ ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଶ୍ରେଣୀଗୁଡ଼ିକୁ ପଢ଼ାଇଲେ ଭଲ ହେବ। ଏଭଳି ଭାବେ ପରୀକ୍ଷାମୂଳକ ଭାବେ ୧୫ ଦିନ କି ମାସେ ଦେଖିଲା ପରେ ତଳ ଶ୍ରେଣୀଗୁଡ଼ିକ ‌ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯାଇପାରେ।
ପ୍ରକାଶ ଚନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ, ଓଷ୍ଟା

ସ୍କୁଲ୍‌ ଖୋଲିବା ଦାୟିତ୍ବହୀନତାର ପରିଚୟ
ଶୀତ ଦିନେ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦୁର୍ଗାପୂଜା ପୂର୍ବରୁ କହିଥିଲେ ଓ ଏନେଇ ଅଧିକ ସତର୍କ ରହିବାକୁ ଅନୁରୋଧ କରିଥିଲେ। ଦିଲ୍ଲୀ ଭଳି ରାଜ୍ୟ ମଧ୍ୟ ସ୍କୁଲ ଆଦୌ ନ ଖୋଲିବାର ନିଷ୍ପତ୍ତି ନେଇସାରିଛି। ସ୍କୁଲ ଖୋଲିବା ପରେ ସଂକ୍ରମଣ ଘଟଣା ଦେଖା ଦେବାରୁ କିଛି ରାଜ୍ୟ ସରକାର ମଧ୍ୟ ସ୍କୁଲ ଖୋଲି ବନ୍ଦ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଏସ୍‌ଆର୍‌ସି ଏପରି ଖାମଖିଆଲି ଓ ଦାୟିତ୍ୱହୀନ ଭାବେ କିପରି ସ୍କୁଲ ଖୋଲିବା ନେଇ କଲେ ? ସେପଟେ ଗଣଶିକ୍ଷା ବିଭାଗ ବି ନିଦ୍ରାରେ। ସ୍କୁଲ ଖୋଲିବା ପୂର୍ବରୁ ବିଭିନ୍ନ ଷ୍ଟେକ ହୋଲଡର୍‌ଙ୍କ ସହିତ ଆଲୋଚନା କରିବା ସହ ଏ ବର୍ଷ ପାଇଁ ଶିକ୍ଷାବର୍ଷକୁ ପୁନଃ ନିର୍ଧାରଣ କରିବାକୁ ମହାସଂଘ ପୂର୍ବରୁ ଚାରିଥର ଅନୁରୋଧ କରିଆସିଛିl ଶିକ୍ଷକ ସଂଘ, ସ୍କୁଲ ସଂଘ, ଅଭିଭାବକ ସମସ୍ତେ ବିରୋଧ କରୁଥିବା ବେଳେ ସ୍କୁଲ ସ୍ତରରେ, ଜିଲ୍ଲା କି ରାଜ୍ୟ ସ୍ତରରେ ଏ ସଂକ୍ରାନ୍ତରେ କୌଣସି ଆଲୋଚନା ନ କରି ଏ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବ। ସରକାରୀ ସ୍କୁଲରେ ପାଠ ପଢ଼ାଇବାକୁ ପର୍ଯ୍ୟାପ୍ତ ଶିକ୍ଷକ, ଭିତ୍ତିଭୂମି ନ ଥିବା ଓ ବେସରକାରୀ ସ୍କୁଲରେ ଗାଇଡ୍‌ଲାଇନ ପାଳନ, ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ କରୋନା ନ ହେବାର ଗ୍ୟାରେଣ୍ଟି କିଏ ଦେବ?
ବାସୁଦେବ ଭଟ୍ଟ, ଅଧ୍ୟକ୍ଷ, ଓଡ଼ିଶା ଅଭିଭାବକ ମହାସଂଘ

ସ୍କୁଲ ଯେତେବେଳେ ଖୋଲିଲେ ବି ଆମେ ପ୍ରସ୍ତୁତ
ସ୍କୁଲ ଖୋଲିବା ନେଇ ଆମକୁ ସ୍କୁଲ ପରିସର ପରିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆମେ ସମ୍ପୂର୍ଣ୍ଣ ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରି ପ୍ରସ୍ତୁତ ରହିଛୁ। ଖାଲି ସେତିକି ନୁହେଁ ଏବେ ୮ ମାସ ଧରି ସ୍କୁଲ ଛୁଟି ଥିଲେ ବି ପ୍ରତି ୧୫ ଦିନରେ ଥରେ ଆମେ ସ୍କୁଲ ପରିସର ସଫା କରାଉ। ସରକାର ଯେତେବେଳେ ସ୍କୁଲ ଖୋଲିବାକୁ କହିଲେ ଆମେ ପ୍ରସ୍ତୁତ ରହିଛୁ।
ମଧୁସୂଦନ ମଲ୍ଲିକ, ପ୍ରଧାନ ଶିକ୍ଷକ, ୟୁନିଟ୍‌-୬ ବାଳକ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ବର

ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହେଉ
ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ନିହାତି ଭାବେ ସ୍ବାଗତଯୋଗ୍ୟ। ପିଲାମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସରକାର ଏନେଇ ଏକ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରି ସ୍କୁଲଗୁଡ଼ିକୁ ପଠେଇଲେ ଭଲ ହେବ। ଏକାସଙ୍ଗେ ସମସ୍ତ ପିଲା ନ ଆସି ଯୁଗ୍ମ-ଅଯୁଗ୍ମ କ୍ରମରେ ଆସିଲେ ଭଲ ହେବ। ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯିବା ଉଚିତ। ଏଥିସହ ଯେଉଁ ପିଲାମାନଙ୍କର ଥଣ୍ଡା, ଜ୍ବର ଓ କାଶ ହେଉଥିବ ସେମାନଙ୍କୁ ଅଭିଭାବକମାନେ ସ୍କୁଲ ନ ପଠାଇବା ଆବଶ୍ୟକ। ପ୍ରତ୍ୟେକ ପିଲାମାନଙ୍କ ମଧ୍ୟରେ ୬ ଫୁଟ୍‌ର ଦୂରତା ରଖାଯିବା ଉଚିତ।
ଅମ୍ବିକା ପ୍ରସାଦ ଦାସ, ପ୍ରଧାନ ଆଚାର୍ଯ୍ୟ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ୟୁନିଟ୍‌-୪

ଅଭିନନ୍ଦନୀୟ ନିଷ୍ପତ୍ତି
୮ ମାସ ଧରି କରୋନା ଭୟାବହତା ସମସ୍ତଙ୍କୁ ଆତଙ୍କିତ କରିରଖିଛି। ଯେତେବେଳେ ଜୀବନଜୀବିକାକୁ ନେଇ ପ୍ରଶ୍ନ ସେତେବେଳେ ପାଠକୁ ଗୁରୁତ୍ବ ନ ମିଳିବା ସ୍ବାଭାବିକ। ଛାତ୍ରଛାତ୍ରୀମାନେ ଘରେ ରହି ଅନ୍‌ଲାଇନ୍‌ ପାଠ ପଢ଼ୁଛନ୍ତି ଯାହା ଶ୍ରେଣୀ କକ୍ଷରେ ପାଠପଢ଼ାର ତୁଳନୀୟ ନୁହେଁ। ଯାହା ସରକାରଙ୍କ ରିପୋର୍ଟ ପ୍ରକାଶ ପାଉଛି, କରୋନାର ପ୍ରଭାବ ନିମ୍ନଗାମୀ ହେଉଥିବା ବେଳେ ଜନସାଧାରଣଙ୍କଠାରେ ଆଣ୍ଟିବଡି ବୃଦ୍ଧି ପାଇଛି। ଏହି ସମୟରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଅଭିନନ୍ଦନୀୟ। ସ୍କୁଲ କ‌ଲେଜ ଖୋଲାଯାଉ। ସରକାରୀ ବେସରକାରୀ ସ୍କୁଲର କର୍ତୃପକ୍ଷମାନେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ନିୟମ ପାଳନ କରି ପାଠପଢ଼ା ଆରମ୍ଭ କରିବା ସହିତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି କରାନ୍ତୁ।
ଶରତ କୁମାର କର, ଶିକ୍ଷାବିତ୍‌

ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତୁତ ଅଛୁ
କରୋନା ପରିସ୍ଥିତିରେ ସୁଧାର ‌ଯୋଗୁଁ ଏବେ ସରକାର ସ୍କୁଲ ଖୋଲିବା ଦିଗରେ ଚିନ୍ତା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଏକ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦିଗରେ କ’ଣ ପଦକ୍ଷେପ ନିଆଯିବ ସେ ବିଷୟ‌ରେ ଆଲୋଚନା କରାଯାଇଥିଲା। ବସ୍‌ରେ ଆସିବା ସମୟରେ ସାମାଜିକ ଦୂରତା ରକ୍ଷା ସହ ସାନିଟାଇଜେସନ୍‌ ବ୍ୟବସ୍ଥା କରାଯିବ। ସ୍କୁଲକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍‌ କରାଯାଇ ପ୍ରବେଶ କରାଯିବ। କୋଭିଡ୍‌ ସଚେତନତା ପାଇଁ ତାଲିମ୍‌ ଓ ମକ୍‌ ଡ୍ରିଲର ବ୍ୟବସ୍ଥା କରାଯିବା, ସ୍ବାସ୍ଥ୍ୟ ବ୍ୟବସ୍ଥାର ନବୀକରଣ ସହ ହଷ୍ଟେଲ ଶଯ୍ୟାର ବଣ୍ଟନ କରାଯିବ। ବିଦ୍ୟାଳୟକୁ କ୍ରମାଗତ ସାନିଟାଇଜ୍‌ କରିବା ସହ ସାନିଟାଇଜର୍‌, ଫେସ୍‌ ସିଲ୍‌ଡ୍‌, ମାସ୍କ, ଗ୍ଲୋବ୍ସ୍‌, ଥର୍ମାଲ ସ୍କ୍ରାନର୍‌, ଅକ୍ସିମିଟର, ଥର୍ମୋମିଟର, ପିପିଏ କିଟ୍‌ ଆଦିର ବ୍ୟବସ୍ଥା କରାଯିବ।
ନୀଳକଣ୍ଠ ପାଣିଗ୍ରାହୀ, ଅଧ୍ୟକ୍ଷ, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ

ଟିକା ନ ନେବା ଯାଏ ସ୍କୁଲ ବନ୍ଦ ରହୁ
ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ନଭେମ୍ବରରେ ଖୋଲିବା ନିଷ୍ପତ୍ତିକୁ ନେଇ ମୁଁ ଏକମତ ନୁହେଁ। କରୋନା ଭୂତାଣୁର ପ୍ରକୋପ କମିନାହିଁ। ଅନ୍ୟପଟେ ଶୀତର ପ୍ରଭାବ ବଢ଼ିଲେ ଏହାର ପ୍ରକୋପ ବଢ଼ିବ। ସେହି ଭୟ କାରଣରୁ ଆମେ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ମାନସିକସ୍ତରରେ ପ୍ରସ୍ତୁତ ହୋଇପାରୁନାହୁଁ। ପିଲାମାନେ ନିକୁ କେତେ ଦୂର ସତର୍କ ରଖି ସଂକ୍ରମଣରୁ ଦୂରେଇ ରହିପାରିବେ ସେ ନେଇ ବି କିଛି ଭରସା ନାହିଁ। ଏଣୁ ଯେଉଁ ପର୍ଯ୍ୟନ୍ତ ଟିକାକରଣ ନ ହୋଇଛି ସେ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ମୋର ବ୍ୟକ୍ତିଗତ ମତ ରହିଛି।
ପ୍ରଜ୍ଞା ପରମିତା ମଲ୍ଲିକ, ଅଭିଭାବକ

ପିଲାଙ୍କ ସ୍ବାସ୍ଥ୍ୟ ଓ ଜୀବନ ଗୁରୁତ୍ବପୂର୍ଣ୍ଣ
ନଭେମ୍ବରରେ ସ୍କୁଲ ଖୋଲିବା ସପକ୍ଷରେ ମୁଁ ଯାଇପାରୁନାହିଁ। ଜଣେ ଅଭିଭାବକ ଓ ଜଣେ ମା’ ହିସାବରେ ମୋ ପାଇଁ ମୋ ସନ୍ତାନର ଜୀବନ ଓ ସ୍ବାସ୍ଥ୍ୟ ମହତ୍ବପୂର୍ଣ୍ଣ। ପାଠ ବି ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଯେଉଁ ପର୍ଯ୍ୟନ୍ତ ପ୍ରତି‌ଷେଧକ ଟିକାର ବ୍ୟବସ୍ଥା ନ ହୋଇଛି ପିଲାମାନେ ସ୍କୁଲ ଯିବା କେତେ ଦୂର ସୁରକ୍ଷିତ ତାହା ଜଣା ନାହିଁ।
ସାଗରିକା ଦାସ, ଅଭିଭାବକ

ଶୀତ ଯୋଗୁଁ ସଂକ୍ରମଣର ଭୟ ରହିଛି
ଏବେ ଶୀତ ଦିନ ଆସୁଥିବାରୁ ସଂକ୍ରମଣର ଭୟ ବଢ଼ିଯାଇଛି। ଅନ୍ୟପଟେ ଆମ ପାଖରେ ଯଥେଷ୍ଟ ପରିମାଣରେ ମାସ୍କ ଓ ସାନିଟାଇଜର୍‌ ନ ଥିବାରୁ ସ୍କୁଲରେ ଏତେ ଘଣ୍ଟା ବସିବା ସମ୍ଭବପର ନୁହେଁ। ଏଣୁ ଏବେ ସ୍କୁଲ ଖୋଲିବା ଗ୍ରହଣୀୟ ନୁହେଁ।
ବିଶ୍ବଜିତ କଶ୍ୟବ, ଛାତ୍ର

ଅଧିକ ସଂକ୍ରମଣର ଭୟ ରହିଛି
କରୋନା ପାଇଁ ଏ ଯାଏ କୌଣସି ସ୍ବତନ୍ତ୍ର ଟିକା କିମ୍ବା ଔଷଧ ବାହାରିପାରିନାହିଁ। ସ୍କୁଲ କଲେଜ ଖୋଲିଲେ ଅଧିକରୁ ଅଧିକ ପିଲା କରୋନା ଆକ୍ରାନ୍ତ ହେବାର ଆଶଙ୍କା ରହିଥିବାରୁ ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସହ ମୁଁ ଏକମତ ନୁହେଁ।
ଗାୟତ୍ରୀ ପ୍ରଧାନ, ଛାତ୍ରୀ

ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା ହେଉ
ନଭେମ୍ବରରେ ସ୍କୁଲ ଖୋଲିବା ଭଲ ନିଷ୍ପତ୍ତି। କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରିକ୍ଷା କରାଯିବା ସହ ମାସ୍କ, ସାନିଟାଇଜେସନ୍‌ ବ୍ୟବସ୍ଥା ପ୍ରତିଟି ସ୍କୁଲରେ ରହୁ।
ଜୟଦେବ ଦାଶ, ଛାତ୍ର

ସମ୍ବନ୍ଧିତ ଖବର