କମ୍‌ ଖର୍ଚ୍ଚରେ ଅଧିକ ରୋଜଗାର କରୁଥିଲା କାରଖାନା; ବିପୁଳ ପରିମାଣରେ ଅପମିଶ୍ରିତ ମସଲା ଓ ହଳଦୀ ଜବତ, ୨ ଅଟକ

କଟକ: ପୁଣି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ ହୋଇଛି। ଏହା ପୁଣି ଜଗତପୁର ଶିଳ୍ପାଞ୍ଚଳ ଭିତରେ। ଏଠାରେ ଏକ କାରଖାନାରେ ମସଲା ଓ ହଳଦୀକୁ ଅପମିଶ୍ରିତ କରାଯାଉଥିବା ଖବର ମିଳିବା ପରେ ଫୁଡ ସ୍କ୍ବାର୍ଡ ଓ ‌ପୁଲିସ ଅତର୍କିତ ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ବିପୁଳ ପରିମାଣରେ ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ ଓ ମସଲା ଜବତ ହୋଇଛି। ଚଢ଼ଉ ସମୟରେ ଟିମ୍‌ ପ୍ୟାକିଙ୍ଗ୍‌ ସାମଗ୍ରୀ, ଯନ୍ତ୍ରାଂଶ ଓ ଲେବେଲ ଆଦି ଜବତ କରିଛନ୍ତି। କାରଖାନାରେ ବେଆଇନ ଭାବେ ଅପମିଶ୍ରିତ କରାଯାଉଥିବାରୁ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, କଟକ ଓ ଭୁବନେଶ୍ବର ସମେତ ଜଗତପୁର ଅପମିଶ୍ରିତ ଖାଦ୍ୟର ଭଣ୍ଡାର ପାଲଟିଛି। ଅତୀତରେ ବିଭିନ୍ନ ସମୟରେ ଚଢ଼ଉ କରାଯାଇ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଥିଲେ ବି, ଏଥିରୁ ଅନ୍ୟମାନେ ଶିକ୍ଷା ପାଉନାହାନ୍ତି। ବରଂ କମ୍‌ ଖର୍ଚ୍ଚରେ ଅଧିକ ଟଙ୍କା ର‌ୋଜଗାର ନିଶା ଘାରିଛି। ଅତୀତରେ କଟକ ଓ ଜଗତପୁରରୁ ଅପମିଶ୍ରିତ ଘିଅ, ଟମାଟୋ, ଚିଲି ସସ୍‌,‌ ମସଲା, ହଳଦୀ, ପନିର, ଗୁଟୁଖା ଆଦି ଚଢ଼ଉ ସମୟରେ ଜବତ ହୋଇଛି।

କେବଳ ଖାଦ୍ୟ ସାମଗ୍ରୀକୁ ଅପମିଶ୍ରିତ କରାଯାଉ ନାହିଁ। ବରଂ ଅନ୍ୟ ଜିନିଷ ମଧ୍ୟ ଅପମିଶ୍ରିତ କରାଯାଉଛି। ଏକ ମାସ ପୂର୍ବରୁ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ଉ ହୋଇଥିଲା। ପୁଲିସ ଚଢ଼ଉ ସମୟରେ ମେସିନ୍‌ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନିର ପ୍ୟାକିଂଗ୍‌ ବ୍ୟାଗ ଜବତ କରିଥିଲା। ଏହି କାରଖାନାରେ ୪ ରୁ ୫ ବର୍ଷ ଧରି ଏଠାରେ ଏଭଳି କାରବାର କରାଯାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର