ଏମ୍‌ବିକେ/ସିଆରପି ସଂଘର ବିଶାଳ ସମାବେଶ

ଭୁବନେଶ୍ୱର : ୪ ଦଫା ଦାବି ନେଇ ଆଜି ରାଜ୍ୟ ଏମ୍‌ବିକେ/ସିଆରପି ସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯାଇଥିଲା। ହଜାର ହଜାର ଏମ୍‌ବିକେ/ସିଆରପି କର୍ମକର୍ତା ଶୋଭାଯାତ୍ରାରେ ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ।

ସଂଘର ଦାବି ମଧ୍ୟରେ ରହିଛି, ଏମ୍‌ବିକେ ଓ ସିଆରପିମାନଙ୍କୁ ସରକାରୀ ମାନ୍ୟତା ଓ ପରିଚୟ ପ୍ରଦାନ କରାଯାଉ। ଏମ୍‌ବିକେ/ସିଆରପିଙ୍କ ପାରିଶ୍ରମିକ ବୃଦ୍ଧି, ସେମାନଙ୍କୁ ମେଡିକାଲ ସୁବିଧା ପ୍ରଦାନ ଓ ଭବିଷ୍ୟନିଧି ପାଣ୍ଠିରେ ସାମିଲ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା।

ରାଜ୍ୟର ୧୦ଟି ଜିଲ୍ଲାର ୩୮ଟି ବ୍ଲକ୍‌ରେ ଏମ୍‌ବିକେ/ସିଆରପି କର୍ମୀମାନେ କାର୍ଯ୍ୟ କରୁଛନ୍ତି। ୨୦୧୨ରୁ ତୃପ୍ତି ପ୍ରକଳ୍ପରେ ଦକ୍ଷ ନଥିପତ୍ର ପରିଚାଳିକା ବା ଏନ୍‌ବିକେ ଓ ଗୋଷ୍ଠୀ ସହାୟିକା ବା ସିଆର୍‌ପି କର୍ମୀ କାର୍ଯ୍ୟ କରି ଆସୁଛନ୍ତି। ୨୦୧୫ ଜୁନ୍‌ ମାସ ପରେ ତୃପ୍ତି ପ୍ରକଳ୍ପ ଓଏଲଏମ୍‌ ଅଧୀନରେ କାର୍ଯ୍ୟ କରୁଛି। ମାତ୍ର ଓଏଲଏମ୍‌ ପ୍ରକଳ୍ପରେ ଏମ୍‌ବିକେ/ସିଆର୍‌ପିମାନଙ୍କୁ ୯ମାସର ଦରମା ମିଳି ନ ଥିଲା। ଏହାର ପ୍ରତିବାଦରେ କର୍ମଚାରୀମାନେ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ ସଂଘର ଦାବି ପୂରଣ ହୋଇପାରି ନାହିଁ। ତେଣୁ ବାଧ୍ୟହୋଇ ସଂଘ ବିଧାନସଭା ଘେରାଉ କରିଥିବା ସୂଚନା ଦେଇଛି। ବିକ୍ଷୋଭ ପରେ ସଂଘର କର୍ମକର୍ତା ଓଏଲଏମ୍‌ ନିର୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ୧ ମାସ ମଧ୍ୟରେ ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶକ କହିଛନ୍ତି। ତେଣୁ ସଂଘ ଆନ୍ଦୋଳନରୁ ଓହରି ଯାଇଥିବା ସଭାନେତ୍ରୀ ନିରାପମା ନାୟକ ଓ ସଂପାଦିକା ମନୋରମା ମାହୁନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର