ଏମ୍‌କେସିଜିର ୨୦ ଡାକ୍ତର, ନର୍ସଙ୍କ ନମୁନା ନେଗେଟିଭ୍‌

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାର ଡାକ୍ତର ଓ ନର୍ସ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ପଜିଟିଭ୍‌ ଚିହ୍ନଟ ହୋଇଥିବା ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୦ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେହି ୨୦ଜଣ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ନମୁନା ନେଗେଟିଭ୍‌ ଆସିଥିବା ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସୁରତ ଫେରନ୍ତା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ବଡ଼ ଡାକ୍ତରଖାନାର ୪ଜଣ ଡାକ୍ତର ଓ ୮ଜଣ ନର୍ସ ପଜିଟିଭ୍‌ ହୋଇଥିଲେ। ଏହାପରେ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ଆବଶ୍ୟକସ୍ଥଳେ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା କରାଯାଉଛି। ଗତକାଲି ସୁଦ୍ଧା ୩୦ଜଣ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ଆଉ କୌଣସି କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସି ନାହିଁ। ଏମ୍‌କେସିଜି ମେଡିକାଲ କଲେଜ ମାଇକ୍ରୋବାୟୋଲୋଜି ବିଭାଗ ଅଧୀନରେ କରୋନା ପରୀକ୍ଷା କରାଯାଉଛି। ପୂର୍ବରୁ ଦୁଇଟି ପିସିଆର୍‌ ମେସିନ୍‌ରେ ସ୍ବାବ୍‌ ପରୀକ୍ଷା କରାଯାଉଥିଲା। ଗତ କିଛିଦିନ ତଳେ ପୁଣି ଏକ ମେସିନ୍‌ କାର୍ଯ୍ୟକ୍ଷମ କରାଯାଇଛି। ଗତ ଏପ୍ରିଲ ୧୨ତାରିଖରୁ ବଡ଼ ଡାକ୍ତରଖାନାରେ କରୋନା ପରୀକ୍ଷା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର