ବ୍ରହ୍ମପୁର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାବାସୀଙ୍କ ଆଶା ଓ ଭରସା ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନା। ଚିକିତ୍ସା ପାଇଁ କାହିଁ କେତେ ଦୂରଦୁରାନ୍ତରୁ ରୋଗୀ ଏଠାକୁ ଆସୁଛନ୍ତି। କିନ୍ତୁ, ଏଠାକୁ ଆସିବା ପରେ ରୋଗୀଙ୍କୁ ଚିକିତ୍ସା ବଦଳରେ ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି।

Advertisment

ଗତ ଦୁଇଦିନ ତଳେ ଖଲ୍ଲିକୋଟ ଅଞ୍ଚଳର ଚିକୁନ ମୁନି ତାଙ୍କର ଗଭର୍ବତୀ ଭଉଣୀ ରଶ୍ମିତା ପଣ୍ଡାଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନା ପ୍ରସୂତି ବିଭାଗକୁ ନେଇଥିଲେ। ସେଠାରେ ଚିକିତ୍ସାରେ ବିଳମ୍ବ ହେବାରୁ ସେ ବିରକ୍ତି ପ୍ରକାଶ କରି ଭଉଣୀଙ୍କୁ ଘରୋଇ ହସ୍ପିଟାଲ ନେବେ ବୋଲି ଡାକ୍ତରଙ୍କୁ କହିଥିଲେ। କିନ୍ତୁ, ତାଙ୍କୁ କାଗଜପତ୍ର ମିଳିବାରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ଡାକ୍ତରଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଫଳରେ କିଛି ଜୁନିଅର୍‌ ଡାକ୍ତର ତାଙ୍କୁ ଘେରି ଯାଇ ମାଡ଼ ମାରିଥିଲେ। ଏହି ଘଟଣାରେ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଏହାକୁ ନେଇ ବୈଦ୍ୟନାଥପୁର ଥାନାରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିଲା। ସେପଟେ ଚିକୁନ ତାଙ୍କ ଭଉଣୀଙ୍କୁ ଗତକାଲି ଜନାନା ହସ୍ପିଟାଲ୍‌ରେ ଭର୍ତ୍ତି କରିବା ପରେ ତାଙ୍କର ସୁରକ୍ଷିତ ପ୍ରସବ ହୋଇଥିଲା। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

publive-image Medical Dialogues

ଅଭିଯୋଗ ହେଉଛି ଯେ ଏମ୍‌କେସିଜିର ରୋଗୀସେବାରେ ଉନ୍ନତି ଆସିବା ବଦଳରେ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଫଳରେ ଏମ୍‌କେସିଜି ଉପରୁ ଜନସାଧାରଣ ଭରସା ହରାଇବାକୁ ବସିଲେଣି। ଏ ସମ୍ପର୍କରେ ପିସିସି ସଭ୍ୟ ପୀତବାସ ପଣ୍ଡା କହିଛନ୍ତି, ଏମ୍‌କେସିଜିରେ ଯେତିକି ଡାକ୍ତର, କର୍ମଚାରୀ ରହିବା କଥା ସେତିକି ନାହାନ୍ତି। ଏଣୁ ଯେଉଁମାନେ କାମ କରୁଛନ୍ତି ତାଙ୍କ ଉପରେ ଅଧିକ ଚାପ ରହୁଛି। ଲୋକେ ତ୍ବରିତ୍‌ ଚିକିତ୍ସାସେବା ନପାଇଲେ ବିରକ୍ତି ପ୍ରକାଶ କରୁଛନ୍ତି। ଯାହାଫଳରେ, ନାନା କାଣ୍ଡ ଘଟୁଥିବା ସେ କହିଛନ୍ତି। ବିଜେପି ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, ଏମ୍‌କେସିଜି ବଡ଼ ଡାକ୍ତରଖାନାର ଅଧିକାଂଶ ବିଭାଗରେ ବିଭାଗୀୟ ମୁଖ୍ୟ ରହୁନାହାନ୍ତି। ପିଜି ଡାକ୍ତରଙ୍କ ହାତରେ ରୋଗୀସେବା ଚାଲିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ କାମ କରୁଥିବା ଡାକ୍ତରଙ୍କ ଉପରେ ଚାପ ରହୁଛି। ଏହିସମୟରେ ରୋଗୀଙ୍କ ସମ୍ପର୍କୀୟ କିଛି କଥା କହିଲେ ଡାକ୍ତର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଫଳରେ, ଗଣ୍ଡଗୋଳ ହେଉଛି। ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ରଙ୍କ କହିଛନ୍ତି ବିଭିନ୍ନ କାରଣ ଯୋଗୁଁ ଡାକ୍ତରଖାନା ଓ ସରକାରୀ କାର୍ଯ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ,ପୀଡ଼ିତଙ୍କ ମାନବ ଅଧିକାର କ୍ଷୁଣ୍ଣ ହେଉଛି।

ଅନ୍ୟପକ୍ଷରେ, ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ ଡାକ୍ତରଖାନାରେ ରୋଗୀ କିପରି ସଠିକ୍‌ ସମୟ‌ରେ ଚିକିତ୍ସାସେବା ପାଇବେ ସେ ଦିଗକୁ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ସମୟରେ ବିଭାଗୀୟ ମୁଖ୍ୟ ଓ ଡାକ୍ତରଙ୍କୁ ନେଇ ବୈଠକ କରାଯାଉଛି। ‌ରୋଗୀଙ୍କ ସହିତ ଭଲ ଭାବେ କଥାହୋଇ ତାଙ୍କର ସମସ୍ୟା ବୁଝିବା ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ସଚେତନ କରାଯାଉଛି। କିନ୍ତୁ, କେତେକ ସମୟରେ ରୋଗୀ ସମ୍ପର୍କୀୟ ଅଯଥାରେ ଉତ୍ତ୍ୟକ୍ତ ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଉଛି। ଗତ କିଛିଦିନ ତଳେ ‌ପ୍ରସୂତି ବିଭାଗରେ ଘଟିଥିବା ଘଟଣାର ତଦନ୍ତ କରିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।