ବ୍ରହ୍ମପୁର ଏମ୍‌କେସିଜିରେ ବଳକା ରହୁଛି ଦେଢ଼ଶହ ନମୁନା

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍‌ପିଟାଲରେ କରୋନା ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ସୁଦ୍ଧା ମୋଟ ୪ହଜାର ୧୮୭ଟି ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଛି ବୋଲି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ଅଧୀନରେ ଦୁଇଟି ପିସିଆର୍‌ ମେସିନ୍‌ କାର୍ଯ୍ୟକ୍ଷମ ରହିଛି। ଗୋଟିଏ ମେସିନ୍‌ରେ ଦୈନିକ ସର୍ବାଧିକ ୧୨୮ଟି ନମୁନା ପରୀକ୍ଷା ସମ୍ଭବ ହୋଇପାରୁଛି। ସେ ଅନୁସାରେ ଦୁଇଟି ମେସିନ୍‌ରେ ଦୈନିକ ସର୍ବାଧିକ ୨୫୬ଟି ସ୍ବାବ୍‌ ନମୁନା ପରୀକ୍ଷା କରାଯାଉଛି। ନମୁନା ଅଧିକ ଆସୁଥିବାରୁ ଦୈନିକ ପ୍ରାୟ ଶହେରୁ ଦେଢ଼ଶହ ବଳକା ରହୁଛି। ତାହା ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା କରାଯାଉଛି। ଏହି ସମସ୍ୟା ଦୂରପାଇଁ ଏମ୍‌କେସିଜି ମେଡିକାଲ କଲେଜକୁ ପୁଣି ଗୋଟିଏ ପିସିଆର୍‌ ମେସିନ୍‌ ଆସିଛି। ତାହା ଅତିଶୀଘ୍ର ଇନ୍‌ଷ୍ଟଲ୍‌ କରାଯିବ ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।

ଏପ୍ରିଲ ମାସରେ ଏମ୍‌କେସିଜି ମେଡିକାଲ କଲେଜକୁ ପ୍ରଥମ କରୋନା ପରୀକ୍ଷା ମେସିନ୍‌ ‌ଆସିଥିଲା। ଏପ୍ରିଲ ୧୨ତାରିଖରୁ ସେହି ମେସିନ୍‌ରେ ସ୍ବାବ୍‌ ପରୀକ୍ଷା ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲ୍ଲାକୁ ହଜାର ହଜାର ସଂଖ୍ୟାରେ ସୁରତରୁ ଶ୍ରମିକ ଆସିବା ପରେ ତାଙ୍କର ପରୀକ୍ଷା ପାଇଁ ସରକାର ଦ୍ବିତୀୟ ମେସିନ୍‌ ମଂଜୁର କରିଥିଲେ। ଗତ ୧୦ତାରିଖରୁ ଦ୍ବିତୀୟ ମେସିନ୍‌ କାର୍ଯ୍ୟକ୍ଷମ ହୋଇଛି। ମାଇକ୍ରୋବାୟୋ‌ଲୋଜି ବିଭାଗ ମୁଖ୍ୟଙ୍କ ସମେତ ୪ଜଣିଆ ଡାକ୍ତରୀ ଦଳର ତତ୍ତ୍ବାବଧାନରେ ସ୍ବାବ୍‌ ପରୀକ୍ଷା କରାଯାଉଛି। ଜିଲ୍ଲାରୁ ଦୈନିକ ପ୍ରାୟ ୪ଶହ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନମୁନା ଜିଲ୍ଲାର ବିଭିନ୍ନ ବ୍ଲକର ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ସଂଗ୍ରହ ହେଉଛି। ସେହିପରି ସିଟି ହସ୍‌ପିଟାଲ ଜରିଆରୁ ମଧ୍ୟ ନମୁନା ଆସୁଛି। ଏମ୍‌କେସିଜି ମେଡିକାଲକୁ ଆସୁଥିବା ସନ୍ଦିଗ୍ଧଙ୍କ ଠାରୁ ମଧ୍ୟ ନମୁନା ସଂଗ୍ରହ କରାଯାଉଛି। ଦୈନିକ ପ୍ରାୟ ୩୫୦ରୁ ୪ଶହ ନମୁନା ପରୀକ୍ଷା ପାଇଁ ଆସୁଛି। ତନ୍ମଧ୍ୟରୁ କିଛି ଭୁବନେଶ୍ବର ପଠାଯାଉଥିବା ବେଳେ ଅଧିକାଂଶ ନମୁନା ଏମ୍‌କେସିଜି ମେଡିକାଲ କଲେଜ ମାଇକ୍ରୋବାୟୋଲୋଜି ବିଭାଗରେ ପରୀକ୍ଷା କରାଯାଉଛି। ସର୍ବାଧିକ ୨୫୬ଟି ନମୁନା ପରେ ଯାହା ବଳକା ରହୁଛି ତାହା ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ହେଉଛି। ଗୋଟିଏ ସ୍ଲଟ୍‌ରେ ୫ଟି ନମୁନା ରହୁଛି। କୌଣସି ନମୁନା ପଜିଟିଭ୍‌ ଆସିଲେ ସମ୍ପୃକ୍ତ ସ୍ଲଟ୍‌ର ସମସ୍ତ ନମୁନା ପୃଥକ୍‌ ପୃଥକ୍‌ କରି ପୁଣିଥରେ ପରୀକ୍ଷା ହେଉଛି। ଫଳରେ ନୂଆ ନମୁନା ପରୀକ୍ଷା ହୋଇନପାରି ବଳକା ରହୁଛି। ତୃତୀୟ ମେସିନ୍‌ କାର୍ଯ୍ୟକ୍ଷମ ହେବା ପରେ ଆହୁରି ୧୨୮ଟି ନମୁନା ପରୀକ୍ଷା କରାଯାଇ ପାରିବ ବୋଲି ଅଧୀକ୍ଷକ ପ୍ରଫେସର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର