ଏମ୍‌କେସିଜିକୁ ଶ୍ରୀହୀନ କରିବା ଚକ୍ରାନ୍ତ : ନ୍ୟୁରୋସର୍ଜରି ବିଭାଗ ବନ୍ଦ, ତାପରେ ନ୍ୟୁରୋଲୋଜି

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍‌ପିଟାଲ। ଇତିମଧ୍ୟରେ ଏହା ୬୦ ବର୍ଷ ପୂରିବାକୁ ଯାଉଛି। ରାଜ୍ୟ ସରକାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ବିଶ୍ବସ୍ତର ଡାକ୍ତରଖାନାରେ ପରିଣତ କରିବାକୁ ଘୋଷଣା କରିଥିବା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଶ୍ରୀହୀନ କରିବା ଲାଗି ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହେଉଛି। ନ୍ୟୁରୋସର୍ଜରି ବିଭାଗରେ କାର୍ଯ୍ୟରତ ଜଣେମାତ୍ର ଡାକ୍ତରଙ୍କୁ କଟକ ବଡ଼‌ ଡାକ୍ତରଖାନାକୁ ବଦଳି କରି ଉକ୍ତ ବିଭାଗକୁ ବନ୍ଦ କରି ଦିଆଯାଇଛି। ଏହା ପରେ ପାଳି ନ୍ୟୁରୋଲୋଜି ବିଭାଗର। ଦିନକୁ ‌ଦିନ ରୋଗୀ ‌ସଂଖ୍ୟା ବଢୁଥିବା ବେଳେ ଜଣେ ମାତ୍ର ଡାକ୍ତରରେ ଚାଲିଛି ଏହି ବିଭାଗ। ରୋଗୀଙ୍କୁ ସପ୍ତାହରେ ମାତ୍ର ୩ଦିନ ସେବା ମିଳୁଛି। ଅଧିକାଂଶ ସମୟରେ ରୋଗୀ ସେବା ନ ପାଇ ଫେରୁଛନ୍ତି। ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

ପ୍ରାପ୍ତସୂଚନା ଅନୁଯାୟୀ, ଆଧୁନିକ ଜୀବନଶୈଳୀରେ ବର୍ତ୍ତମାନ ମସ୍ତିଷ୍କ ଓ ସ୍ନାୟୁଜନିତ ରୋଗୀ ସଂଖ୍ୟା ବଢ଼ୁଛି। ଲୋକମାନେ ଅବସରଦ, ଅପସ୍ମାର, ସ୍ମୃତିଶକ୍ତି ହ୍ରାସ, ପକ୍ଷାଘାତ, ସ୍ପଣ୍ଡିଲାଇଟିସ୍‌, ବ୍ରେନ୍‌ ଟ୍ୟୁମର ଭଳି ରୋଗରେ ପୀଡ଼ିତ ହେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଦୁର୍ଘଟଣାପ୍ରବଣ ଜିଲ୍ଲା ହେଉଛି ଗଞ୍ଜାମ। ଗତ ଜାନୁଆରି ଗୋଟିଏ ମାସରେ ଜିଲ୍ଲାରେ ଦୁର୍ଘଟଣାରେ ୫୭ଜଣ ମରିଛନ୍ତି। ଆହତ ହେଉଥିବା ଅଧିକାଂଶ ଲୋକଙ୍କ ମସ୍ତିଷ୍କରେ ଆଘାତ ପାଇ ଚିକିତ୍ସିତ ହୋଇଥାନ୍ତି। ଏ ସବୁ ଦୃଷ୍ଟିରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଟ୍ରମା କେୟାର ୟୁନିଟ୍‌ ବି ରହିଛି। ଏ କ୍ଷେତ୍ରରେ ନ୍ୟୁରୋସର୍ଜରି ବିଭାଗ ଅଧିକ ଗୁରୁତ୍ବ ବହନ କରେ। ଏହି ବିଭାଗରେ ପ୍ରଫେସର ଅନୁପ ମହାପାତ୍ର କାର୍ଯ୍ୟ କରୁଥିଲେ। କଟକ ବଡ଼ଡାକ୍ତରଖାନାର ନ୍ୟୁରୋସର୍ଜରି ବିଭାଗରେ ବହୁ ଡାକ୍ତର ଥିବା ସ୍ଥଳେ ଗତ କିଛି ଦିନ ତଳେ ପ୍ରଫେସର ମହାପାତ୍ରଙ୍କୁ କଟକ ବଦଳି କରିଦିଆ ଯାଇଛି। ଏହାପରଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନ୍ୟୁରୋସର୍ଜରି ବିଭାଗ ବନ୍ଦ।

Collegedunia

୨୦୦୭ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ନ୍ୟୁରୋଲୋଜି ବିଭାଗ ଖୋଲିଥିଲା। ସେ ଦିନଠାରୁ ଜଣେ ମାତ୍ର ବିଶେଷଜ୍ଞରେ ବିଭାଗ ଚାଲିଛି। ଏହି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଜଣେ ମାତ୍ର ଡାକ୍ତର ଉମାଶଙ୍କର ପାଢ଼ୀ କାର୍ଯ୍ୟ କରୁଛନ୍ତି। ଜଣେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଗୋଟିଏ, ୨ଟି ଆସିଷ୍ଟାଣ୍ଟ ପ୍ରଫେସର, ୩ଟି ରେସିଡେଣ୍ଟ ଡାକ୍ତର ପଦବି ପୂରଣ ନିମନ୍ତେ ଏମ୍‌କେସିଜି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଗଲା ବାରମ୍ବାର ଚିଠି ଲେଖିଛନ୍ତି। ଇତିମଧ୍ୟରେ ୧୩ ବର୍ଷ ବିତିଗଲାଣି, କିନ୍ତୁ ଏହି ପଦବି ପୂରଣ ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ନ୍ୟୁରୋସର୍ଜରି ବିଭାଗ ବନ୍ଦ ହେବା ପରେ ନ୍ୟୁରୋ‌ଲୋଜି ବିଭାଗରେ ରୋଗୀ ବୋଝ ଆହୁରି ବଢ଼ିବାରେ ଲାଗିଛି। କିନ୍ତୁ ଏହି ବିଭାଗରେ ଜଣେ ମାତ୍ର ଡାକ୍ତର ଥିବା ଯୋଗୁଁ ସପ୍ତାହରେ କେବଳ ୩ ଦିନ ଅର୍ଥାତ ମଙ୍ଗଳବାର, ଶୁକ୍ରବାର ଓ ଶନିବାର ରୋଗୀଙ୍କୁ ସେବା ମିଳୁଛି। ଡାକ୍ତର ପାଢ଼ୀ ଏହି ୩ ଦିନ ଆଉଟଡୋର୍‌ରେ ରୋଗୀ ଦେଖୁଛନ୍ତି। ଏହି ତିନି ଦିନ ନ୍ୟୁରୋଲୋଜି ଆଉଟ୍‌ଡୋରରେ ପ୍ରତ୍ୟହ ରୋଗୀ ସଂଖ୍ୟା ପ୍ରାୟ ୨ଶହ ଛୁଉଁଥିବା ବେଳେ ସେ ମାତ୍ର ଶହେ ରୋଗୀଙ୍କୁ ଦେଖିବା ସମ୍ଭବ ହେଉଛି। ବାକି ରୋଗୀ ସେବା ନ ପାଇ ଫେରୁଛନ୍ତି।

ଏମ୍‌ସିଆଇ ଗାଇଡ଼୍‌ଲାଇନ୍‌ ଅନୁଯାୟୀ, ଜଣେ ଡାକ୍ତର ଆଉଟ୍‌ଡୋରରେ ଦିନକୁ ୪୦ ରୁ ୫୦ ଜଣଙ୍କୁ ଚିକିତ୍ସା କରିବା ବ୍ୟବସ୍ଥା ରହିଛି। କିନ୍ତୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ବୋଝ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ନ୍ୟୁରୋଲୋଜି ବିଭାଗର ଇନ୍‌ଡୋର ବ୍ୟବସ୍ଥା ନାହିଁ। ଇନ୍‌ଡୋର କ୍ରିଟିକାଲ ରୋଗୀ ଆସିଲେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର୍‌ କରାଯାଉଛି। କେତେକ କ୍ଷେତ୍ରରେ ଭେଷଜ ବିଭାଗରେ ନ୍ୟୁରୋଲୋଜି ବିଭାଗ ରୋଗୀଙ୍କୁ ରଖାଯାଉଛି। ବଡ଼ ଡାକରଖାନା ପରିସରରେ ଅତ୍ୟାଧୁନିକ ସୁପର୍‌ ସ୍ପେସାଲିଟି କୋଠା ନିର୍ମାଣ ସରିଛି। ଏଥିନିମନ୍ତେ ଆବଶ୍ୟକ ଯନ୍ତ୍ରପାତି ରହିଛି। ଏହି ମେଡିକାଲ କଲେଜରେ କାଡ଼ିର୍ଓଲୋଜି ଓ ଏଣ୍ଡୋକ୍ରିନୋଲୋଜି ଡିଏମ୍‌ ପାଠ୍ୟକ୍ରମ ଖୋଲା ଯାଇଥିବା ବେଳେ ନ୍ୟୁରୋଲୋଜି ନିମନ୍ତେ ଆବଶ୍ୟକ ଡାକ୍ତର ନ ଥିବା ଯୋଗୁଁ ଖୋଲାଯାଇ ପାରୁନାହିଁ। ସରକାର ଗତ କିଛି ମାସ ନ୍ୟୁରୋଲୋଜି ଡାକ୍ତର (ଠିକା) ନିଯୁକ୍ତି ନିମନ୍ତେ ବଜ୍ଞାପନ ପ୍ରକାଶ କରିଥିଲେ। ସରକାର ନ୍ୟୁରୋଲୋଜି ବିଶେଷଜ୍ଞଙ୍କୁ ୭୦ ରୁ ୮୦ ହଜାର ଟଙ୍କା ଦେଉଥିବା ବେଳେ ଘରୋଇ ହସ୍‌ପିଟାଲ ଗୁଡ଼ିକ ୧ଲକ୍ଷରୁ ୧ଲକ୍ଷ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ‌ଦେଉଛନ୍ତି। ତେଣୁ ସରକାରୀ ଡାକ୍ତରଖାନାକୁ ନ୍ୟୁରୋଲୋଜି ବିଶେଷଜ୍ଞ ଠିକାରେ ଆସି ସେବା ଯୋଗାଇବା ଲାଗି ଆଗ୍ରହ ପ୍ରକାଶ କରୁ ନ ଥିବା କୁହାଯାଉଛି।

ନ୍ୟୁରୋଲୋଜି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଉମାଶଙ୍କର ପାଢ଼ୀଙ୍କୁ ବିଭାଗର ସମସ୍ୟା ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି, ଡାକ୍ତର ପଦବି ପୂରଣ ନିମନ୍ତେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ବହୁଥର ଚିଠି ଲେଖିଛି। ଏମ୍‌କେସିଜି କର୍ତ୍ତୃପକ୍ଷ ମ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।‌ ତେବେ ସରକାର ଯାହା ପଦକ୍ଷେପ ‌ନେବା କଥା। ବର୍ତ୍ତମାନ ଯେତିକି ସୁବିଧା ଅଛି ସେତିକିରେ ଚଳିବାକୁ ପଡ଼ିବ।

ସମ୍ବନ୍ଧିତ ଖବର