ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜକୁ ସରକାରୀ ସ୍ତରରେ ଅବହେଳା ଜାରିରହିଛି। ଏ ବର୍ଷର ତୃତୀୟ ଦଫାରେ ଶୁକ୍ରବାର ଦିନ ପୁଣି ୪ଜଣ ଡାକ୍ତରଙ୍କୁ ଏଠାରୁ ବଦଳି କରିନିଆଯାଇଛି। ତାଙ୍କ ସ୍ଥାନରେ ଦୁଇଜଣ ଡାକ୍ତର ଏଠାକୁ ଆସିଛନ୍ତି। ଗତ ତିନିମାସ ଭିତରେ ତିନିଟି ପର୍ଯ୍ୟାୟରେ ଏମ୍‌କେସିଜିରୁ ୨୫ ଜଣ ଡାକ୍ତରଙ୍କୁ ବଦଳି ହୋଇଥିବାବେଳେ ତାଙ୍କ ବଦଳରେ ଆସିଛନ୍ତି ମାତ୍ର ୯ ଜଣ।

Advertisment

ଏମ୍‌କେସିଜି ମେଡିକାଲର ୯ଜଣ ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ଙ୍କୁ ଆସୋସିଏଟ୍‌ ପ୍ରଫେସର ଭାବେ ପଦୋନ୍ନତି ଦିଆଯାଇଛି। ତନ୍ମଧ୍ୟରୁ ୪ଜଣଙ୍କୁ ଡେପୁଟେସନ୍‌ରେ ଅନ୍ୟ ମେଡିକାଲକୁ ନିଆଯାଇଛି। ଇଏନ୍‌ଟି ବିଭାଗର ଡା.ସଂଜିତ କୁମାର ମିଶ୍ରଙ୍କୁ ପୁରୀ ମେଡିକାଲ କଲେଜକୁ ଡେପୁଟେସନ୍‌ରେ ନିଆଯାଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗ ଡା.ଭବାନୀ ଶଙ୍କର ଲେଙ୍କାଙ୍କୁ କଟକ ଏସ୍‌ସିବି, ଶିଶୁରୋଗ ବିଭାଗର ଡା.ଅଶୋକ କୁମାର ନନ୍ଦଙ୍କୁ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ଡା.ସନ୍ତୋଷ କୁମାର ପ୍ରଧାନଙ୍କୁ କଟକ ଏସ୍‌ସିବି ମେଡିକାଲକୁ ବଦଳି କରାଯାଇଛି। ଅନ୍ୟ ୫ଜଣ ଡାକ୍ତର ଏମ୍‌କେସିଜି ମେଡିକାଲରେ ରହିଛନ୍ତି। ସେହିପରି କୋରାପୁଟ ମେଡିକାଲ କଲେଜ ନିଶ୍ଚେତକ ବିଭାଗ ଡା.ଶିବ ପ୍ରସାଦ ଦାସ ଓ ସର୍ଜରି ବିଭାଗ ଡାକ୍ତର ଡା.ଆଇ.ଗୋପାଳଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଡେପୁଟେସନ୍‌ରେ ଅଣାଯାଇଛି।

ପ୍ରକାଶଥାଉକି, ଗତ ମାର୍ଚ୍ଚ ୧୧ତାରିଖରେ ଏମ୍‌କେସିଜି ମେଡିକାଲରୁ ବିଭିନ୍ନ ବିଭାଗର ୧୩ଜଣ ଅଭିଜ୍ଞ ଡାକ୍ତରଙ୍କୁ ବଦଳି କରାଯାଇଥିଲା। କିନ୍ତୁ ତାଙ୍କ ସ୍ଥାନରେ ଏମ୍‌କେସିଜି ମେଡିକାଲକୁ ମାତ୍ର ୭ଜଣ ଡାକ୍ତର ଆସିଥିଲେ। ଏହାର ମାସେ ନପୂରୁଣୁ ପୁଣିଥରେ ଏମ୍‌କେସିଜି ମେଡିକାଲରୁ ୮ଜଣ ଡାକ୍ତରଙ୍କ ବଦଳି କରାଯାଇଥିଲା। ଏମ୍‌କେସିଜି ମେଡିକାଲରୁ ବାରମ୍ବାର ଡାକ୍ତରଙ୍କୁ ଅନ୍ୟ ଡାକ୍ତରଖାନାକୁ ନିଆ ଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।