କଟକ/ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ୟୁଜି ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃମେଡିକାଲ କଲେଜ ଫେଷ୍ଟ୍ରେ ଯୋଗ ଦେବାକୁ ଯାଇଥିବା କଟକ ଏସ୍ସିବି ମେଡିକାଲ କଲେଜର ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନେ ଯାଇଥିବା ଗାଡ଼ି ଢେଲାପଥର ମାଡ଼ରେ ଭାଙ୍ଗି ଯାଇଛି। ଏହି ଘଟଣାକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଏସ୍ସିବି ମେଡିକାଲ କଲେଜରେ ୟୁଜି, ପିଜି ଓ ହାଉସ ସର୍ଜନଙ୍କ ସାଧାରଣ ପରିଷଦ ବୈଠକ ବସିଛି। ବୈଠକରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବାକୁ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ପୁଲିସ ରିପୋର୍ଟ ଆଧାରରେ ଏହି ଫେଷ୍ଟ୍କୁ ବାତିଲ କରି ଦିଆଯାଇଛି।
ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ୟୁଜି ଛାତ୍ର ସଂସଦ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଅନ୍ତଃ ମେଡିକାଲ୍ କଲେଜ ଫେଷ୍ଟ ଅକ୍ଟୋବର ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିଲା। ଏସ୍ସିବି ମେଡିକାଲ୍ କଲେଜର ୧୩୦ ଜଣ ପିଜି, ୟୁଜି ଓ ହାଉସ ସର୍ଜନ ସୋମବାର ସନ୍ଧ୍ୟାରେ କଟକ ଷ୍ଟେସନରୁ ଏକ ଟ୍ରେନ୍ରେ ବ୍ରହ୍ମପୁର ଯାଇଥିଲେ। ଏହା ସହିତ ଆଉ ଦୁଇଟି ବସ୍ରେ ଖେଳ ସାମଗ୍ରୀ ସହିତ କିଛି ଡାକ୍ତରୀ ଛାତ୍ର ଯାଇଥିଲେ। ସୋମବାର ରାତି ପ୍ରାୟ ୯ଟା ବେଳେ ବ୍ରହ୍ମପୁର ଷ୍ଟେସନରେ ଟ୍ରେନ୍ ପହଞ୍ଚି ଥିଲେ ବି ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ନେବା ପାଇଁ ଏମ୍କେସିଜିର ଛାତ୍ରମାନେ ଷ୍ଟେସନକୁ ଆସିନଥିଲେ। ଚାରି ଘଣ୍ଟା କାଳ ଷ୍ଟେସନ୍ରେ ଏସ୍ସିବି ଛାତ୍ରମାନେ ଅପେକ୍ଷା କରିଥିଲେ। ରାତି ପ୍ରାୟ ଗୋଟାଏ ବେଳେ ସେମାନଙ୍କୁ ନେବା ପାଇଁ ବସ୍ ଆସିଥିଲା। ରାତି ସାଢ଼େ ଗୋଟାଏରେ ଏମ୍କେସିଜି ମେଡିକାଲ କଲେଜରେ ବସ୍ ପହଞ୍ଚିବା ପରେ ରାତି ୨ଟା ୩୦ ଯାଏଁ ହଷ୍ଟେଲ ନିକଟରେ ସମସ୍ତ ଛାତ୍ରଙ୍କୁ ଅଟକାଇ ଦିଆଯାଇଥିଲା। ରହିବାକୁ ରାତିରେ ରୁମ୍ ଦିଆଯାଇ ନଥିଲା। ଏମ୍କେସିଜିର ଡାକ୍ତରୀ ଛାତ୍ରମାନେ ୨ଟା ୩୦ରେ ବସ୍ ଉପରକୁ କାଦୁଅ, ଗୋବର, ପଥର ମାଡ଼ କରିଥିଲେ। ସେଠାରେ ଉଭୟ ଏମ୍କେସିଜି ଓ ଏସ୍ସିବି ମେଡିକାଲ୍ କଲେଜ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମ୍କେସିଜିର ଛାତ୍ରଙ୍କ ଆକ୍ରମଣରେ ଏସ୍ସିବି ଛାତ୍ର ସଂସଦ ସଭାପତି ସନତ ସତ୍ୟଜିତ, ହାଉସ ସର୍ଜନ ଆସୋସିଏସନ୍ର ସଭାପତି ଅଭିଜିତ ମହାନ୍ତି ଓ କ୍ରୀଡ଼ା ସଂପାଦକ ଆହତ ହୋଇଛନ୍ତି। କ୍ରୀଡ଼ା ସମ୍ପାଦକଙ୍କ ମୁହଁ ଫାଟିଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଛାତ୍ରଙ୍କ ହାତରେ ଗଭୀର କ୍ଷତ ହୋଇଛି।
ଏସ୍ସିବି ମେଡିକାଲ କଲେଜ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଗୁରୁତର
ବୈଦ୍ୟନାଥପୁର ଥାନାରେ ମାମଲା, ଫେଷ୍ଟ୍ ବାତିଲ
ଏସ୍ସିବିରେ ସାଧାରଣ ପରିଷଦ ବୈଠକ, ନିଷ୍ପତ୍ତିକୁ ଅପେକ୍ଷା
ବ୍ରହ୍ମପୁର ମେଡିକାଲରେ ଆହତ ଛାତ୍ରଙ୍କ ପ୍ରାଥମିକ ଚିକିତ୍ସା ପରେ ପରେ କଟକ ଏସ୍ସିବି ମେଡିକାଲ କଲେଜରେ ପହଞ୍ଚିଛନ୍ତି। କ୍ରୀଡ଼ା ସମ୍ପାଦକଙ୍କୁ ପ୍ଲାଷ୍ଟିକ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଛି। ଏସ୍ସିବି ଛାତ୍ରଙ୍କ ପକ୍ଷରୁ ବୈଦ୍ୟନାଥପୁର ଥାନାରେଲିଖିତ ଅଭିଯୋଗ କରାଯାଇଛି। ପୁଲିସ ବିଏନ୍ଏସ୍ର ଧାରା ୧୨୬(୨), ୧୧୫(୨), ୧୧୭(୨), ୨୦(ବି)ରେ ଏକ ମାମଲା(କେସ୍ ନଂ ୫୩୧) ରୁଜୁ କରିଛି। ଏଭଳି ଘଟଣାରେ ଏମ୍କେସିଜିର ୟୁଜି ଛାତ୍ର ସଂସଦକୁ ଦାୟୀ କରାଯାଇଛି। ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା ନେଇ ଗୁଇନ୍ଦା ରିପୋର୍ଟ ଏମ୍କେସିଜି ମେଡିକାଲ୍ କଲେଜର ଡିନ୍ ଏବଂ ପ୍ରିନ୍ସିପାଲଙ୍କୁ ଆଜି ଦିଆଯିବା ପରେ ଏହି ଫେଷ୍ଟକୁ ବାତିଲ କରାଯାଇଛି। ଏହି ଘଟଣାକୁ ନେଇ ଆଜି ଏମ୍କେସିଜିର ଡିନ୍ ପ୍ରଫେସର ସୁଚିତ୍ରା ଦାଶ ଅପରାହ୍ଣରେ କଲେଜ କାଉନସିଲ୍ ବୈଠକ ଡକାଇଥିଲେ। ମଧ୍ୟରାତ୍ରିର ଅଘଟଣ ପରେ ବୁର୍ଲାସ୍ଥିତ ଭିମସାର ମେଡିକାଲ କଲେଜର ଛାତ୍ରଛାତ୍ରୀ ମଧ୍ୟ ଫେରିଯାଇଥିବା ସୂଚନା ଦେଇଛନ୍ତି। ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏହା ଶିକ୍ଷାନୁଷ୍ଠାନର ଖ୍ୟାତି ଓ ଗରିମାକୁ କ୍ଷୁଣ୍ଣ କରିଛି ବୋଲି କହିଥିଲେ। ଆଗାମୀ ଦିନରେ ପାଠ୍ୟକ୍ରମ ବାଦ୍ ଏପରି କୌଣସି କାର୍ଯ୍ୟକ୍ରମକୁ ପରିସରରେ କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି।
ସେହିପରି ଏସ୍ସିବି ମେଡିକାଲ୍ କଲେଜ ଡିନ୍ ତଥା ପ୍ରିନସିପାଲ୍ ପ୍ରଫେସର ଡାକ୍ତର ଲୁସି ଦାସଙ୍କ କହିବା ଅନୁଯାୟୀ ଦୁଇ କଲେଜର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆହତ ଛାତ୍ରଙ୍କ ଚିକିତ୍ସା କରାଯାଉଛି। ଅନ୍ୟପଟେ ଏସ୍ସିବି ମେଡିକାଲ କଲେଜର ୟୁଜି ଛାତ୍ର ସଂସଦର ଉପଦେଷ୍ଟା ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ କହିବା ଅନୁଯାୟୀ, ଡାକ୍ତରୀ ଛାତ୍ରମାନେ ସମାଜର ଆଦର୍ଶ ହେବା କଥା। ଅନେକ ପ୍ରତିଯୋଗିତା ପରେ ସେମାନେ ଡାକ୍ତରୀ ପଢ଼ିବାକୁ ସୁଯୋଗ ପାଇଥାନ୍ତି। ଡାକ୍ତରୀ ଛାତ୍ରଙ୍କ ଏଭଳି ବ୍ୟବହାର ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ। ଯେଉଁମାନେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ସେମାନେ ଆତିଥ୍ୟ ପ୍ରଦାନ କରି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ଦରକାର ବୋଲି ସେ କହିଛନ୍ତି।