ଏମ୍‌କେସିଜି ମେଡିକାଲ: କେବଳ ମାଳ ମାଳ କୋଠାରେ ସୀମିତ ସେବା

ଡାକ୍ତର ଅଭାବରୁ ସ୍ବାସ୍ଥ୍ୟସେବା ପ୍ରଭାବିତ, ବଢ଼ୁଛି ଅସନ୍ତୋଷ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ବଡ଼ ମେଡିକାଲ। ମେଡିକାଲ ପରିସରରେ ଦଣ୍ଡାୟମାନ ରହିଥିବା ବିରାଟକାୟ ଅଟ୍ଟାଳିକାଗୁଡ଼ିକ ଆଖି ଝଲସାଇ ଦେଉଛି। ଚକାଚକ୍‌ କୋଠାକୁ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା। ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ମହଜୁତ ରହିଛି। ହେଲେ ଆବଶ୍ୟକ ଅନୁସାରେ ବିଶେଷଜ୍ଞ ନାହାନ୍ତି। ଯେତିକି ଅଛନ୍ତି ସେମାନଙ୍କୁ ମଧ୍ୟ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଏଠାରୁ ଅନ୍ୟତ୍ର ବଦଳି କରି ନେଉଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଣୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ଏମ୍‌କେସିଜି ବଡ଼ ମେଡିକାଲର ଡାକ୍ତର ପଦବି ପୂରଣ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।

ଏମ୍‌କେସିଜି ମେଡିକାଲ ଉପରେ ଦକ୍ଷିଣ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସୀମାନ୍ତ ଇଲାକାରେ ରହୁଥିବା ଅଞ୍ଚଳବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି। ନିକଟରେ ୧୫୦କୋଟି ଟଙ୍କା ବ୍ୟୟରେ ପିଏମ୍‌ଏସ୍‌ଏସ୍‌ୱାଇରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ସୁପର୍‌ ସ୍ପେସାଲିଟି ବ୍ଲକ୍‌ କାର୍ଯ୍ୟକ୍ଷମ ହୋଇଛି। ହେଲେ ସ୍ପେସାଲିଷ୍ଟ୍‌ମାନଙ୍କୁ ସରକାର ଅନ୍ୟ‌ ମେଡିକାଲ କଲେଜକୁ ବଦଳି କରି ଦେଉଛନ୍ତି। ଫଳରେ ରୋଗୀ ସେବା ବ୍ୟାହତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗତମାସରେ ରାଜ୍ୟ ସରକାର ଏମ୍‌କେସିଜି ମେଡିକାଲରୁ ୧୩ଜଣ ଅଭିଜ୍ଞ ଡାକ୍ତରଙ୍କୁ ବଦଳି କରିଥିଲେ। କିନ୍ତୁ ତାଙ୍କ ସ୍ଥାନରେ ଏମ୍‌କେସିଜି ମେଡିକାଲକୁ ମାତ୍ର ୭ଜଣ ଡାକ୍ତର ଆସିଥିଲେ। ଏହାର ମାସେ ନପୂରୁଣୁ ପୁଣିଥରେ ୮ଜଣ ଡାକ୍ତରଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦକ୍ଷିଣ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ତୁରନ୍ତ ବଦଳି ନିର୍ଦ୍ଦେଶ ବାତିଲ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସେମାନେ ଯାହା କହନ୍ତି

ଅଭିଜ୍ଞ ଡାକ୍ତରଙ୍କ ବଦଳି ନିଶ୍ଚିତ ଭାବେ ବ୍ରହ୍ମପୁରବାସୀଙ୍କ ପାଇଁ ଚିନ୍ତାଜନକ। ରାଜ୍ୟ ସରକାର ମେଡିକାଲ ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ନୂତନ ମେଡିକାଲ କଲେଜ ଖୋଲୁଛନ୍ତି। ପାଠପଢ଼ା ଆରମ୍ଭ ପୂର୍ବରୁ ମେଡିକାଲରେ ବରିଷ୍ଠ ଡାକ୍ତର ଓ ମେଡିକାଲ କାଉନ୍‌ସିଲର ସ୍ବୀକୃତି ଆବଶ୍ୟକ। ସରକାର ରାଜ୍ୟର ୩ଟି ମେଡିକାଲ କଲେଜ(କଟକ, ବ୍ରହ୍ମପୁର, ବୁର୍ଲା)ରୁ ସମାନ ସଂଖ୍ୟକ ବିଶେଷଜ୍ଞ ନେଲେ ଅସୁବିଧା ନାହିଁ। କେବଳ ବ୍ରହ୍ମପୁରରୁ ଡାକ୍ତର ନେଲେ ଏମ୍‌କେସିଜିର ସ୍ବାସ୍ଥ୍ୟସେବା ପ୍ରଭାବିତ ହେବ। ଏଣୁ ତୁରନ୍ତ ଖାଲି ସ୍ଥାନରେ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ।

ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ପୂର୍ବତନ କୁଳପତି
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ

ବଡ଼ ମେଡିକାଲକୁ ବିଜେଡି ସରକାର ଲଗାତାର ଅବହେଳା କରି ଆସୁଛି। ଗତ ନିର୍ବାଚନରେ ମେଡିକାଲକୁ ଏକ ପ୍ରସଙ୍ଗ କରାଯାଇଥିଲା। ସେ ସମୟରେ ବର୍ତ୍ତମାନ ବିଧାୟକ କହିଥିଲେ ଯେ ‘ମୁଁ ବିଧାୟକ ହେଲେ କୌଣସି ରୋଗୀ ବିଶାଖାପାଟଣା ଯିବେ ନାହିଁ।’ ସ୍ବାସ୍ଥ୍ୟ, ଶିକ୍ଷା ଓ ପରିମଳର ବିକାଶ ପାଇଁ ଲୋକେ ଜନପ୍ରତିନିଧିଙ୍କୁ ଭୋଟ୍‌ ଦେଇ ବିଜୟୀ କରିଛନ୍ତି। କିନ୍ତୁ ବଡ଼ ମେଡିକାଲରୁ ବାରମ୍ବାର ଡାକ୍ତରଙ୍କୁ ନେଇ ଯାଉଛନ୍ତି। ଏଭଳି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନହେଲେ ଜନଆନ୍ଦୋଳନ ହେବ।

ରାମ କୁମାର ପାତ୍ର, ବିଜେପି ନେତା

ବଡ଼ ମେଡିକାଲକୁ ବାରମ୍ବାର ଅବହେଳା କରାଯାଉଛି। ଏହାର କଡ଼ା ଜବାବ୍‌ ଦେବା ଦରକାର। ଏଥିପାଇଁ ସମସ୍ତେ ଏକଜୁଟ୍‌ ହେବା ଜରୁରି। ସ୍ଥାନୀୟ ସାଂସଦ, ବିଧାୟକଙ୍କ ସ୍ବର କିଛି ନାହିଁ କହିଲେ ଚଳେ। ସେମାନେ କେବଳ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଚିନ୍ତା କରୁଛନ୍ତି। ଏଥିପାଇଁ ବଡ଼ ମେଡିକାଲ ଚକ୍ରାନ୍ତର ଶିକାର ହେଉଛି। ଯଦି ସରକାର ମେଡିକାଲ କଲେଜକୁ ଭଲ ଭାବେ ଚଲାଇ ପାରୁ ନାହାନ୍ତି, ତେବେ ଘରୋଇ ସଂସ୍ଥାକୁ ଦେଇଦେବା ଉଚିତ। ଏହା ହେଲେ ଲୋକେ ଅନ୍ତତଃ ଉତ୍ତମ ଚିକିତ୍ସାସେବା ପାଇବେ।

ପୀତବାସ ପଣ୍ଡା, କଂଗ୍ରେସ ନେତା

ଏମ୍‌କେସିଜି ମେଡିକାଲ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ସରକାରୀ ରେଫରାଲ୍‌ ହସ୍ପିଟାଲ୍‌। ରାଜ୍ୟ ସରକାର ବଡ଼ ମେଡିକାଲର ବିକାଶକୁ ଗୁରୁତ୍ବ ଦେଉଛନ୍ତି। ପୂର୍ବରୁ ବହୁବାର ବିଧାୟକଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ଖାଲି ପଦବି ପୂରଣ କରିବାକୁ କୁହାଯାଇଛି। ବର୍ତ୍ତମାନ ଏମ୍‌କେସିଜିରେ ସୁପର୍‌ ସ୍ପେସାଲିଟି ସେବା ଆରମ୍ଭ ହୋଇଛି। ଦେଶବ୍ୟାପୀ ବିଶେଷଜ୍ଞଙ୍କ ଅଭାବ ରହିଛି। ଏଥିରୁ ଓଡ଼ିଶା ବାଦ୍‌ ପଡ଼ି ନାହିଁ। ତଥାପି ରାଜ୍ୟ ସରକାର ଖାଲି ପଦବି ପୂରଣ ଦିଗରେ ଉଦ୍ୟମ ଜାରି ରଖିଛନ୍ତି।

ଚନ୍ଦ୍ର‌ଶେଖର ସାହୁ, ବ୍ରହ୍ମପୁର ସାଂସଦ

ବର୍ତ୍ତମାନ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସରକାର ଅବହେଳା କରୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଠା ତିଆରି ହେଉଛି। କିନ୍ତୁ ଆବଶ୍ୟକ ଡାକ୍ତର ଓ ଶିକ୍ଷକ ନିଯୁକ୍ତି କରୁ ନାହାନ୍ତି। ରାଜ୍ୟରେ ଜନପ୍ରତିନିଧିଙ୍କୁ ଏକ ପ୍ରକାର କ୍ଷମତାହୀନ କରି ଦିଆଯାଇଛି। ଜନପ୍ରତିନିଧି ସ୍ବରୋତ୍ତୋଳନ କଲେ ସେମାନେ ସରକାରକୁ ବିରୋଧ କରିବେ ବୋଲି ଭାବୁଛନ୍ତି। ଏଣୁ ବାଧ୍ୟ ହୋଇ ସେମାନେ ଚୁପ୍‌ ହୋଇ ରହୁଛନ୍ତି। ସବୁ କ୍ଷମତା ଏବେ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିଛି। ଫଳରେ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହେଉ ନାହାନ୍ତି।

ଅବନୀ ଗୟା, ସଚେତନ ନାଗରିକ

ସମ୍ବନ୍ଧିତ ଖବର