ବ୍ରହ୍ମପୁରରେ ଛାତ୍ରୀଙ୍କୁ ଏସିଡ୍‌ ମାଡ଼

ଏମ୍‌କେସିଜିରେ ସ୍ୱାମୀଙ୍କ ବର୍ବରକାଣ୍ଡ, ମୁହଁ, ହାତରେ ଗୁରୁତର କ୍ଷତ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ପରିସରରେ ପାଥୋଲୋଜି ବିଭାଗର ଜଣେ ଛାତ୍ରୀଙ୍କୁ ଲାବୋରେଟୋରି ରୁମ୍‌ରୁ ଡାକି ଛାତ୍ରୀଙ୍କ ସ୍ୱାମୀ ଏସିଡ୍‌ ମାଡ଼ କରିବା ଘଟଣା ସବୁ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଛାତ୍ରୀଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ କ୍ଷତ ସୃଷ୍ଟି ହୋଇଛି। ଏସିଡ୍‌ ମାଡ଼ କରି ସ୍ୱାମୀ ଫେରାର ହୋଇଯାଇଛି। ଗୁରୁତର ଛାତ୍ରୀ ମୀନତି କୁମାରୀ ପ୍ରଧାନ(୨୦)ଙ୍କୁ ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୀନତିଙ୍କ ସ୍ୱାମୀକୁ ଧରିବା ପାଇଁ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନା ଅନୁସାରେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ବରିଡ଼ା ଗ୍ରାମର ବିପିନ ପ୍ରଧାନଙ୍କ ଝିଅ ମୀନତି ଏମ୍‌କେସିଜି ମେଡିକାଲ ଡିଏମ୍‌ଏଲ୍‌ଟି(ଡିପ୍ଲୋମା ଇନ୍‌ ମେଡିକାଲ ଲାବୋରେଟରି ଟେକ୍ନୋଲୋଜି) ବିଭାଗର ଶେଷ ବର୍ଷ ଛାତ୍ରୀ। ଗତ ମେ ୭ତାରିଖରେ ସେ ପୋଲସରା କଳମ୍ବ ରୋଡ଼ ନିବାସୀ ଭଗବାନ ପ୍ରଧାନଙ୍କ ପୁଅ ନିରଂଜନଙ୍କୁ ବାହା ହୋଇଥିଲେ। ନିରଂଜନ ପୋଲସରାରେ ଏକ ଜନସେବା କେନ୍ଦ୍ର ଖୋଲିଛନ୍ତି। ସେ ପୋଲସରାରେ ରହୁଥିବା ବେଳେ ମୀନତି ମେଡିକାଲ କଲେଜ ପାର୍ଶ୍ୱବର୍ତୀ ଶାନ୍ତିନଗର ସ୍ଥିତ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି।

ଗୁରୁବାର ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ମୀନତି ମେଡିକାଲ କଲେଜ ଦ୍ୱିତୀୟ ମହଲାରେ ଥିବା ଲାବୋରେଟରି ହଲ୍‌ରେ ଥିଲେ। ତାଙ୍କ ସ୍ୱାମୀ ନିରଂଜନ ସେଠାରେ ପହଞ୍ଚିଥିଲେ। ମୀନତିଙ୍କୁ ସେ କ୍ଲାସ୍‌ରୁମ୍‌ରୁ ବାହାରକୁ ଡାକିଥିଲେ। ମୀନତି ରୁମ୍‌ ବାହାରକୁ ଆସିବା ପରେ ନିରଂଜନ ହଠାତ୍‌ ମୀନତିଙ୍କ ମୁହଁରେ ଏସିଡ୍‌ ଢାଳି ଦୌଡ଼ି ପଳାଇଥିଲେ। ମୀନତିଙ୍କ ଚିତ୍କାର ଶୁଣି ଅନ୍ୟ ଛାତ୍ରଛାତ୍ରୀ ସେଠାରେ ପହଞ୍ଚିବା ସହ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ।

ପରିବାର ଲୋକଙ୍କ କହିବା କଥା ହେଲା, ବାହାଘର କିଛି ଦିନ ପରେ କୌଣସି କାରଣରୁ ମୀନତି ଓ ନିରଞ୍ଜନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଘଟଣା ଥାନାକୁ ଯାଇଥିଲା। କିଛିମାସ ତଳେ ସ୍ୱାମୀଙ୍କ ନାଁରେ ମୀନତି ମହିଳା ଥାନାରେ ଅଭିଯୋଗ କରିଥିଲେ ବୋଲି ବାପା ବିପିନ କହିଛନ୍ତି। ଏହା ପରେ ବିଭିନ୍ନ ସମୟରେ ନିରଂଜନ ଫୋନ୍‌ରେ ମୀନତିଙ୍କୁ ଧମକ୍‌ ଦେଉଥିଲେ। ଗତକାଲି ମଧ୍ୟ ଫୋନ୍‌ କରି ନିରଂଜନ ଗାଳିଗୁଳଜ କରିଥିଲେ। ଝିଅର ସମସ୍ତ ପ୍ରକାର ମାଗଣା ଚିକିତ୍ସା ବ୍ୟବସ୍ଥା କରିବା ସହିତ କ୍ଷତି ପୂରଣ ପ୍ରଦାନ କରାଯିବାକୁ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବିପିନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର