ମାସକ ଭିତରେ ଏମ୍‌କେସିଜି ଅକ୍ସିଜେନ୍‌ ପ୍ଲାଣ୍ଟ, ଭିତ୍ତିଭୂମି ନିର୍ମାଣ କାମ ଆରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପରିସରରେ ବହୁ ପ୍ରତୀକ୍ଷିତ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରିରହିଛି। ମାସକ ମଧ୍ୟରେ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବଡ଼ ଡାକ୍ତରଖାନାର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେଲେ ସିଧାସଳଖ ପ୍ଲାଣ୍ଟ୍‌ରୁ ପାଇପ୍‌ ଜରିଆରେ ରୋଗୀଙ୍କ ଶଯ୍ୟା ନିକଟକୁ ଅକ୍ସ‌ିଜେନ୍‌ ଯୋଗାଣ ହେବ।

ଏମ୍‌କେସିଜି ବଡ଼ ଡାକ୍ତରଖାନାର ପୁରୁଣା ଇନ୍‌ଡୋର୍‌ କୋଠାରେ ଥିବା ସମସ୍ତ ବିଭାଗ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ନୂତନ କୋଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ କାର୍ଯ୍ୟକ୍ଷମ ଥିବାବେଳେ ପିଏମ୍‌ଆର୍ କୋଠା, ରେଡ଼ିଓ ଡାଇଗ୍ନୋଷ୍ଟିକ୍‌ କୋଠା, କାଜୁଆଲ୍‌ଟି, ମେଡିସିନ୍‌, ସର୍ଜରୀ, ଅସ୍ଥିଶଲ୍ୟ, ଶିଶୁ ବିଭାଗ ପ୍ରଭୃତି ନୂତନ କୋଠାରେ କାର୍ଯ୍ୟକ୍ଷମ ରହିଛି। ନୂତନ କୋଠାରେ ରୋଗୀଙ୍କ ଶଯ୍ୟା ନିକଟକୁ ଅକ୍ସିଜେନ୍‌ ଗ୍ୟାସ୍‌ ପାଇପ୍‌ ସଂଯୋଗ କରାଯାଇଛି। ସେହି ପାଇପ୍‌ ଜରିଆରେ ଅକ୍ସିଜେନ୍‌ ଯୋଗାଣ ହେଉଛି। ଯେଉଁ ସ୍ଥାନରେ ପାଇପ୍‌ ନାହିଁ, ସେଠାରେ ସିଲିଣ୍ଡର୍‌ ଜରିଆରେ ରୋଗୀଙ୍କୁ ଅକ୍ସିଜେନ୍‌ ଦିଆଯାଉଛି। ଏବେ ପାଇପ୍‌ ଜରିଆରେ ପୁରୁଣା ଢାଞ୍ଚାରେ ସିଲିଣ୍ଡର୍‌ରୁ ମେଡିଫୋଲ୍ଡ ରୁମ୍‌ ଦେଇ ଅକ୍ସିଜେନ୍‌ ଦିଆଯାଉଛି।

୨୦୧୭ରେ ବଡ଼ଡାକ୍ତରଖାନାର କେବଳ ସୁପର୍‌ସ୍ପେସାଲିଟି କୋଠା ପାଇଁ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଅଧାବାଟରେ ରହି ଯାଇଥିଲା। ଗତବର୍ଷ କରୋନାର ପ୍ରଥମ ଲହର୍‌ ସମୟରେ ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ବିଭିନ୍ନ ମହଲରେ ଦାବି ହୋଇଥିଲା। ଏ ନେଇ ଗତବର୍ଷ ଟେଣ୍ଡର୍‌ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଥିଲା। ‘ଲିଣ୍ଡେ’ ନାମକ ଏକ ସଂସ୍ଥା ପ୍ଲାଣ୍ଟ୍‌ ପ୍ରତିଷ୍ଠା ନେଇ ଟେଣ୍ଟର୍‌ ପାଇଛି। ଏହି ସଂସ୍ଥା ତରଫରୁ ସୁପର୍‌ସ୍ପେସାଲିଟି ବ୍ଲକ୍‌ ନିକଟରେ ସ୍ଥାନ ନିରୂପଣ କରାଯାଇଛି। ସେଠାରେ ପ୍ଲାଣ୍ଟ୍‌ ପାଇଁ ସିଭିଲ୍ କାମ ପ୍ରାୟ ଶେଷ ହୋଇଥିବା ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି। ପ୍ରାୟ ୧ମାସ ମଧ୍ୟରେ ସଂସ୍ଥା ତରଫରୁ ସମସ୍ତ କାମ ସମାପ୍ତ କରାଯିବ ବୋଲି ଅଧୀକ୍ଷକ କହିଛନ୍ତି। ଅଧୀକ୍ଷକ କହିଛନ୍ତି, ‘ ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେଲା ପରେ ସେଠାରେ ଏକ ବଡ଼ ଟ୍ୟାଙ୍କର୍‌ ରହିବ। ସେହି ଟ୍ୟାଙ୍କର୍‌ରେ ଅକ୍ସିଜେନ୍‌ ଲିକ୍ବିଡ୍‌(ତରଳ) ଗ୍ୟାସ୍‌ ଗଚ୍ଛିତ ରହିବ। ସେଠାରୁ ପାଇପ୍‌ ଯୋଗେ ବିଭିନ୍ନ ୱାର୍ଡ଼କୁ ଅକ୍ସିଜେନ୍‌ ଯୋଗାଣ ହେବ।’

ସମ୍ବନ୍ଧିତ ଖବର