ଏମ୍‌କେସିଜି ସୁପର୍‌ସ୍ପେସାଲଟି ବ୍ଲକ୍‌ରୁ ସିଲିଂ ଖସିବା ଘଟଣା: ଆର୍‌ଡିସିଙ୍କ ଜରୁରି ବୈଠକ, କୋଠା ନିର୍ମାଣକାରୀ ସଂସ୍ଥାକୁ ନୋଟିସ୍‌ ଯିବ

ଟେକ୍ନିକାଲ୍‌ ଟିମ୍‌ର ତଦନ୍ତ, ରୋଗୀ ସ୍ଥାନାନ୍ତର ହେବେ, ନିର୍ମାଣ ଶୈଳୀ ବୁଝିପାରୁନାହାନ୍ତି ପିଡବ୍ଲୁଡି, ପିଏଚ୍‌ଡି ଯନ୍ତ୍ରୀ

ବ୍ରହ୍ମପୁର : ଏମ୍‌କେସିଜି ପରିସର ଅତ୍ୟାଧୁନିକ ସୁପର୍‌ସ୍ପେସାଲିଟି ବ୍ଲକ୍‌ରୁ ବାରମ୍ବାର ସିଲିଂ ଖସୁଛି। ଏହି ଘଟଣାକୁ ନେଇ ରୋଗୀମାନେ ଆତଙ୍କିତ ଅବସ୍ଥାରେ। ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେବା ସହିତ ବିଜେପି ତରଫରୁ ଧାରଣା ଦିଆଯାଇଥିଲା। ଶେଷରେ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛି। ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିସନର୍‌ଙ୍କ ସମ୍ମିଳନୀ କକ୍ଷରେ ପ୍ରାଶାସନିକ ଅଧିକାରୀ, ଏମ୍‌କେସିଜି କର୍ତ୍ତୃପକ୍ଷ ଓ ଜନପ୍ରତିନିଧିଙ୍କୁ ନେଇ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣାଞ୍ଚଳ ରାଜସ୍ବ କମିସନର୍‌ ଟି. ଆଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁପର୍‌ସ୍ପେସାଲିଟି ବ୍ଲକ୍‌ରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ତା’ର ସମାଧାନ ରାସ୍ତା ବାହାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମରେ ସୁପର୍‌ସ୍ପେସାଲିଟି ବ୍ଲକ୍‌ ତିଆରି କରିଥିବା ସଂସ୍ଥାକୁ ନୋଟିସ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସମ୍ପୃକ୍ତ ସଂସ୍ଥାକୁ ପୂର୍ବରୁ ମଧ୍ୟ ଏମ୍‌କେସିଜି କର୍ତ୍ତୃପକ୍ଷ ବାରମ୍ବାର ନୋଟିସ୍‌ କରିଛନ୍ତି। ଏବେ ଜିଲ୍ଲା ପ୍ରଶାସନ ନୋଟିସ୍‌ ଜାରି କରିବ। ସେହିପରି ସୁପର୍‌ସ୍ପେସାଲଟି ବ୍ଲକ୍‌ର ଯେଉଁ ସ୍ଥାନରେ ସିଲିଂ ଦୁର୍ବଳ ଅବସ୍ଥାରେ ରହିଛି କିମ୍ବା ଭାଙ୍ଗି ପଡ଼ିଛି ସେଠାରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଏମ୍‌କେସିଜି ପରିସରରେ କେନ୍ଦ୍ର ସରକାରଙ୍କ ପିଏମ୍‌ଏସ୍‌ଏସ୍‌ୱାଇରେ ୧୫୦କୋଟି ଟଙ୍କା ବ୍ୟୟରେ ସୁପର୍‌ସ୍ପେସାଲିଟି ବ୍ଲକ୍‌ ତିଆରି କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ସଂସ୍ଥା ଏହି କୋଠା ତିଆରି କରିଛି। କୋଠା ତିଆରି କରି ତାହା ଏମ୍‌କେସିଜିକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ବ୍ଲକ୍‌ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଏହି ବ୍ଲକ୍‌ କେଉଁ ଢ଼ାଞ୍ଚାରେ ନିର୍ମାଣ ହୋଇଛି ସେ ନେଇ ପିଡବ୍ଲୁଡି ଓ ପିଏଚ୍‌ଡି ଅଧିକାରୀ ସମ୍ପୂର୍ଣ୍ଣ ଅଜ୍ଞ। କେଉଁ ଜାଗାରେ ପାଣି ପାଇପ୍‌ ଯାଇଛି, କେଉଁଠି ବିଦ୍ୟୁତ ତାର ରହିଛି, କେଉଁମାନର ସିଲିଂ ଲାଗିଛି ଏଭଳି ବିଭିନ୍ନ ବିଷୟ ଅଧିକାରୀମାନେ ଜାଣି ନାହାନ୍ତି। ଫଳରେ କୌଣସି ସମସ୍ୟା ଦେଖା ଦେଲେ ତା’ର ଆଶୁ ସମାଧାନ ହୋଇପାରୁ ନାହିଁ। ଏଣୁ ପୂରା କୋଠାର ନିର୍ମାଣକୁ ପୁଣିଥରେ ଏକ ଟେକ୍ନିକାଲ୍‌ ଟିମ୍‌ ଅନୁଧ୍ୟାନ କରିବ। ସୋମବାର ସୁଦ୍ଧା ଏହି ଟିମ୍‌ ରିପୋର୍ଟ ପ୍ରଦାନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହି ରିପୋର୍ଟକୁ ଭିତ୍ତି କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ସୁପର୍‌ସ୍ପେସାଲିଟି କୋଠାରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ଆର୍‌ଡିସି। ଏଣୁ ସିଲିଂ ଦୁର୍ବଳ ରହିଥିବା ସ୍ଥାନରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରୋଗୀ ଚିକିତ୍ସା ଯେପରି ପ୍ରଭାବିତ ନହେବ ସେ ଦିଗରେ ଦୃଷ୍ଟି ଦେବାକୁ ସେ କହିଛନ୍ତି। ଟେକ୍ନିକାଲ୍‌ ଟିମ୍‌ ଦ୍ବାରା ଅନୁଧ୍ୟାନ କରିବା ପରେ ପୂର୍ବରୁ ବନ୍ଦ ରହିଥିବା ଓଟି ‌କମ୍ପ୍ଲେକ୍ସ ଖୋଲିବା ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଟେକ୍ନିକାଲ୍‌ ଟିମ୍‌ର ରିପୋର୍ଟକୁ ଭିତ୍ତି କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।
ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି, କେନ୍ଦ୍ର ସରକାରଙ୍କ ହସ୍ପିଟାଲ୍‌ କନସଲ୍‌ଟାଣ୍ଟ୍‌ କର୍ପୋରେସନ୍‌(ଏଚ୍‌ଏସ୍‌ସିସି) ନାମକ ସଂସ୍ଥା ଠିକା କମ୍ପାନି ଜରିଆରେ ଏହି କୋଠା ନିର୍ମାଣ କରିଛି। ସମ୍ପୃକ୍ତ ସଂସ୍ଥା କୋଠା ହସ୍ତାନ୍ତର କରିଛି। କିନ୍ତୁ କୋଠାର ନିର୍ମାଣ ଶୈଳୀ ସମ୍ପର୍କରେ ସଠିକ୍‌ ଭାବେ ଅବଗତ କରି ନାହିଁ। ଫଳରେ ବିଦ୍ୟୁତ ତାର, ଏସି ମେସିନ୍‌, ପାଣି ପାଇପ୍‌ କେଉଁ ରାସ୍ତାରେ ଯାଇଛି ସେ ସମ୍ପର୍କରେ ସ୍ଥାନୀୟ ଅଧିକାରୀ ଜାଣି ପାରୁ ନାହାନ୍ତି। ସିଲିଂ ମଧ୍ୟ କେଉଁ କାରଣରୁ ଖସି ତାହା ସ୍ପଷ୍ଟ ହେଉ ନାହିଁ। ଆଜିର ବୈଠକରେ ଏ ସମ୍ପର୍କରେ ଆଲୋଚନା କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ଆର୍‌ଡିସି , ଜିଲ୍ଲାପାଳ, ବ୍ରହ୍ମପୁର ବିଧାୟକ, ବିଏମ୍‌ସି କମିସନର୍‌ ଜେ. ସୋନାଲ୍‌ ମଞ୍ଚାସୀନ ଥିଲେ। ଏଥିରେ ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ର, ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଓ ଅନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ଏକ ଟେକ୍ନିକାଲ୍‌ ଟିମ୍‌ ସୁପର୍‌ସ୍ପେସାଲିଟି ବ୍ଲକ୍‌ର ସ୍ଥିତି ଅନୁଧ୍ୟାନ କରିଥିଲେ।
ସମ୍ବନ୍ଧିତ ଖବର