ପ୍ଲାଜ୍‌ମା ସଂଗ୍ରହରେ ଏମ୍‌କେସିଜିର ରେକର୍ଡ: ମାସକ ମଧ୍ୟରେ ୧୦୨ ୟୁନିଟ୍‌ ସଂଗ୍ରହ, ସୁସ୍ଥ ହେଲେଣି ୨୦ କରୋନା ରୋଗୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା କମିବାରେ ଲାଗିଛି। ଲୋକେ ସଚେତନ ହେବା ସହିତ ପ୍ରଶାସନର ସଠିକ୍ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି। କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଏବେ ପ୍ଲାଜ୍‌ମା ମଧ୍ୟ ଦିଆଯାଉଛି। ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ପ୍ଲାଜ୍‌ମା ବ୍ୟାଙ୍କ ଆରମ୍ଭ ହେବା ପରେ ଅଧିକରୁ ଅଧିକ ରୋଗୀ ଉପକୃତ ହୋଇପାରୁଛନ୍ତି। ବଡ଼ ଡାକ୍ତରଖାନା ରକ୍ତଭଣ୍ଡାର ପରିସରରେ ଆରମ୍ଭ ହୋଇଥିବା ପ୍ଲାଜ୍‌ମା ବ୍ୟାଙ୍କ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ମାସକ ମଧ୍ୟରେ ବ୍ୟାଙ୍କରେ ୧୦୨ ୟୁନିଟ୍‌ ପ୍ଲାଜ୍‌ମା ସଂଗ୍ରହ କରାଯାଇଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗତ ୫ତାରିଖ ଦିନ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ କରିଥିଲେ। ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ଲାଜ୍‌ମା ଦାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ। ସେହି ଆହ୍ବାନ କ୍ରମେ କରୋନାରୁ ସୁସ୍ଥ ହୋଇଥିବା ବହୁ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ ପାଇଁ ଆଗେଇ ଆସିଥିଲେ। ପ୍ରଶାସନ ତରଫରୁ ଅଦ୍ୟାବଧି ମୋଟ ୪୯୨ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ କି ରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ଲାଜ୍‌ମା ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବର୍ତ୍ତମାନ ମୋଟ ୯୭ଜଣ କରୋନା ପଜିଟିଭ୍‌ ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯାଇଛି। ତନ୍ମଧ୍ୟରୁ ୨୦ଜଣ ସୁସ୍ଥ ହେଲେଣି। କରୋନାରୁ ସୁସ୍ଥ ହେଉଥିବା ଲୋକମାନେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ବଇଚ୍ଛାରେ ପ୍ଲାଜ୍‌ମା ଦାନ ପାଇଁ ଆଗେଇ ଆସନ୍ତୁ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଆହ୍ବାନ କରାଯାଇଛି।

ସମ୍ବନ୍ଧିତ ଖବର