ଏମ୍‌କେସିଜି ସୁପର୍‌ସ୍ପେସାଲିଟି ବ୍ଲକ୍‌: ରୋଗୀଙ୍କ ପାଇଁ ବିପଦ ୧୫୦ କୋଟିର କୋଠା!

ଦୁଇ ଦିନରେ ଦୁଇ ଅଘଟଣ, ପୁଣି ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବ୍ରହ୍ମପୁର : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମ୍‌ଏସ୍‌ଏସ୍‌ୱାଇ)ରେ ୧୫୦ କୋଟି ଟଙ୍କା ଖର୍ଚ୍ଚରେ ଏମ୍‌କେସିଜି ପରିସରରେ ତିଆରି ହୋଇଛି ଅତ୍ୟାଧୁନିକ ସୁପର୍‌ସ୍ପେସାଲିଟି ବ୍ଲକ୍‌। ରୋଗୀଙ୍କୁ ସୁପର୍‌ସ୍ପେସାଲିଟି ବିଭାଗର ସେବା ପ୍ରଦାନ ପାଇଁ ଏହି ବ୍ଲକ୍‌କୁ କାର୍ଯ୍ୟକ୍ଷମ କରାଯାଇଛି। ହେଲେ, ରୋଗୀ ଏଠାରେ ଭର୍ତ୍ତି ହେବାପରେ ଲଗାତାର ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି। ଫଳରେ, ରୋଗୀ ଓ ସେମାନଙ୍କ ସଂପର୍କୀୟ ଭୟଭୀତ ଅବସ୍ଥାରେ। କେତେବେଳେ କେଉଁ ମୁହୂର୍ତ୍ତରେ ଛାତରୁ ସିଲିଂ କି ଅନ୍ୟ କିଛି ଖସି ପଡ଼ିବ, ତାହା କହିହେବ ନାହିଁ। ଥରେ ନୁହେଁ କି ଦୁଇଥର, ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଛି। ଗତକାଲି ପଞ୍ଚମ ମହଲାରେ ସିଲିଂ ଖସିଥିଲା। ଆଜି ପୁଣି ସୁପର୍‌ସ୍ପେସାଲିଟି ବ୍ଲକ୍‌ର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରିନୋଲୋଜି ବିଭାଗ ଛାତରୁ ସିଲିଂର ବିରାଟ ଅଂଶ ଖସିପଡ଼ିଛି। ଏହି ଘଟଣାରେ ରୋଗୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସୌଭାଗ୍ୟ କ୍ରମେ ଏଥିରେ କେହି ଆହତ ହୋଇନାହାନ୍ତି। ଏହି ଘଟଣାକୁ ନେଇ ରୋଗୀ ମହଲରେ ଭୟର ବାତାବରଣ ଦେଖାଦେଇଛି।

୨୦୨୧ ମସିହାରେ ଏମ୍‌କେସିଜିରେ ତିଆରି ହୋଇଥିବା ଏହି ସୁପର୍‌ସ୍ପେସାଲିଟି ବ୍ଲକ୍‌ରେ ସମସ୍ତ ସୁପର୍‌ସ୍ପେସାଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। କୋଠାର ପଞ୍ଚମ ମହଲାରେ ରହିଛି ଓଟି କମ୍ପ୍ଲେକ୍ସ। ଗତମାସ ୨୬ ତାରିଖରେ ଓଟି କମ୍ପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ସର୍ଟସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ, ବିଦ୍ୟୁତ୍‌ ତାରଗୁଡ଼ିକ ପୋଡ଼ି ଯାଇଥିବାବେଳେ ଓଟିର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ନିଆଁ ଲାଗି ନଷ୍ଟ ହୋଇ ଯାଇଥିଲା। ଏହି ଘଟଣାରେ ଶଯ୍ୟାଶାୟୀ ରୋଗୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରି ଦିଆଯିବା ଫଳରେ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଥିଲେ। ସେହିଦିନଠାରୁ ଓଟି କମ୍ପ୍ଲେକ୍ସ ବନ୍ଦ ରହିଛି। ଏହାର ୧୨ ଦିନ ପରେ ପୁଣି ଗତକାଲି ଭୋର୍‌ରେ ସେହି ବିଭାଗର ଛାତରୁ ସିଲିଂ ଖସି ପଡ଼ିଥିଲା। ରୋଗୀଙ୍କ ସମ୍ପର୍କୀୟ ବସିବାପାଇଁ ରହିଥିବା ହଲ୍‌ର ଛାତରୁ ଏହି ସିଲିଂ ଖସିଥିଲା। ଏହି ଘଟଣା ପରେ ଆଜି ପୁଣିଥରେ ଏଣ୍ଡୋକ୍ରିନୋଲୋଜି ବିଭାଗ ଇନ୍‌ଡୋର୍‌ ଛାତରୁ ସିଲିଂ ଖସିଛି। ୱାର୍ଡ଼ରେ ଆଜି ସକାଳେ ୪/୫ଜଣ ରୋଗୀ ଚିକିତ୍ସାଧୀନ ଥିଲେ। ବିଭାଗର ଦୁଇଟି ପାର୍ଶ୍ବରେ ଶଯ୍ୟା ପଡ଼ିଛି। ଗୋଟିଏ ପାର୍ଶ୍ବରେ ରୋଗୀ ଶୋଇଥିବା ବେଳେ ଅନ୍ୟ ପାର୍ଶ୍ବରେ ରେଗୀ ନଥିଲେ। ରୋଗୀ ନଥିବା ପାର୍ଶ୍ବରେ ହଠାତ୍‌ ଛାତରୁ ସିଲିଂ ଖସି ପଡ଼ିଥିଲା। ବଡ଼ ବଡ଼ ସିଲିଂ ଖଣ୍ଡ ଖସି ଶଯ୍ୟାରେ ପଡ଼ିଥିଲା। ଯଦି ସେଠାରେ ‌ରୋଗୀ ଚିକିତ୍ସାଧୀନ ରହିଥା’ନ୍ତେ, ତେବେ ପରସ୍ଥିତି କ’ଣ ହୋଇଥା’ନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଘଟଣା ପରେ ରୋଗୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖସି ପଡ଼ିଥିବା ସିଲିଂ ମରାମତି କରିବା ପାଇଁ ପିଡବ୍ଲୁଡି ବିଭାଗକୁ କୁହାଯାଇଥିବା ସେ କହିଛନ୍ତି। ବାରମ୍ବାର ଏହି ବ୍ଲକ୍‌ରୁ ସିଲିଂ ଖସୁଥିବାରୁ କାମର ମାନକୁ ନେଇ ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ନିମ୍ନମାନର କାମର ତଦନ୍ତ ଦାବି କରି ବିଜେପି ତରଫରୁ ଧାରଣା ଦିଆଯାଇଥିଲା।

ସମ୍ବନ୍ଧିତ ଖବର