ବ୍ରହ୍ମପୁର: ୨୦୨୨ ମସିହାରେ ଗୋଟିଏ ସିଲିଣ୍ଡରରୁ ତିନିଶିଶୁଙ୍କୁ ଅକ୍ସିଜେନ୍‌ ପ୍ରଦାନ ଘଟଣା ଏମ୍‌କେସିଜି ବଡ଼ଡାକ୍ତରଖାନାକୁ ଚର୍ଚ୍ଚାକୁ ଆଣିଥିଲା। ୩ ବର୍ଷ ପରେ ଆଜି ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡରରୁ ଦୁଇ ନବଜାତକଙ୍କୁ ଅକ୍ସିଜେନ୍‌ ଦିଆଯିବା ଘଟଣା ସାମ୍‌ନାକୁ ଆସିଛି। ଏମ୍‌କେସିଜିର ଏସ୍‌ଏନ୍‌ସିୟୁ (ସ୍ପେସାଲ୍‌ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍‌)ରୁ ଦୁଇ ଶିଶୁଙ୍କୁ ଇକୋ କରିବା ପାଇଁ ପରିସରରେ ଥିବା ଅନ୍ୟ ଏକ କୋଠାକୁ ଅଣାଯାଇଥିଲା। ଏହି ସମୟରେ ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ପାଇପ୍‌ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ଘଟଣା ସହରବାସୀଙ୍କୁ ବିସ୍ମିତ କରିଛି। ଏଭଳି ସ୍ଥିତିରେ ଯଦି କିଛି ଅଘଟଣ ଘଟେ ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିବା ସହ ଏମ୍‌କେସିଜି କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।

Advertisment

ସୂଚନା ଅନୁଯାୟୀ, ଗଜପତିଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ଗାଁର ପଦ୍ମାଳୟା ବେହେରାଙ୍କ ୧୪ଦିନର ନବଜାତ ଶିଶୁକନ୍ୟା ଓ ପାତ୍ରପୁର ବ୍ଲକ ପଦାଦିଗି ଗାଁର କୌଶଲ୍ୟା ସାହୁଙ୍କ ୮ଦିନର ନବଜାତ ଶିଶୁପୁତ୍ରକୁ ଏମ୍‌କେସିଜି ଶିଶୁ ବିଭାଗରେ ଥିବା ଏସ୍‌ଏନ୍‌ସିୟୁରୁ ପିଏମ୍‌ଏସ୍‌ଏସ୍‌ୱାଇ କୋଠାକୁ ଇକୋ କରିବା ପାଇଁ ଅଣାଯାଇଥିଲା। ତେବେ ଅକ୍ସିଜେନ୍‌ର ଆବଶ୍ୟକତା ଥିବା ଦର୍ଶାଇ ଡାକ୍ତର ସିଲିଣ୍ଡର ସାହାଯ୍ୟରେ ନେବା ପାଇଁ ପରାମର୍ଶ ଦେଇଥିଲେ। ବଡ଼ଡାକ୍ତରଖାନାରେ ସିଲିଣ୍ଡରର ଅଭାବ ରହିଥିବା କାରଣରୁ ଗୋଟିଏ ସିଲିଣ୍ଡରରେ ପାଇପ୍‌ ଯୋଗେ ଉଭୟଙ୍କୁ ଅକ୍ସିଜେନ୍‌ ଦିଆଯାଇ ଅଣାଯାଇଥିଲା। ଏହି ସମୟରେ ଶିଶୁ ବିଭାଗର ଜଣେ ଡାକ୍ତର ମଧ୍ୟ ଉଭୟ ଶିଶୁଙ୍କ ନିକଟରେ ରହିଥିଲେ। ଏଥିନେଇ ଶିଶୁଙ୍କ ନିକଟରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ପଚାରିବାରେ ୱାଇ-ବାଇ‌ଫରକେସନ୍‌ ଦ୍ବାରା ଉଭୟଙ୍କୁ 
ଅକ୍ସିଜେନ୍‌ ପ୍ରଦାନ କରାଯାଇଥିବା କହିଛନ୍ତି।

ନବଜାତ ଶିଶୁଙ୍କ କ୍ଷେତ୍ରରେ ଏଭଳି ଚିକିତ୍ସା ସେବାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ଦୁର୍ଗାମାଧବ ଶତପଥୀ କହିଛନ୍ତି ଯେ ଉଭୟ ଶିଶୁଙ୍କ ଅକ୍ସିଜେନ୍‌ ସ୍ତର ସମାନ ରହିଥିଲା। ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡରରୁ ଏକାଧିକ ରୋଗୀଙ୍କୁ ଅକ୍ସିଜେନ ପ୍ରଦାନ କରିବାକୁ ବାରଣ କରିବା ସହ ଶିଶୁ ବିଭାଗକୁ ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଧୀକ୍ଷକ ଡା. ଶତପଥୀ କହିଛନ୍ତି। ପ୍ରକାଶ ଥାଉକି ୨୦୨୨ରେ ତିନି ଶିଶୁଙ୍କୁ ଅକ୍ସିଜେନ୍‌ ଦିଆଯାଇଥିବା ଘଟଣାରେ ତଦନ୍ତ କମିଟି ଗଠନ କରାଯାଇ ଯାଞ୍ଚ କରାଯାଇଥିଲା।