କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନାମ ନାୟକ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ଜାନୁଆରି ୧୭ରେ ପୂର୍ବତନ ବିଧାୟକ ଅନାମଙ୍କ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନ, ପୁରୁଣାପଡ଼ା ଛକ ନିକଟ ନିର୍ମାଣାଧୀନ ଲଜ୍ ଓ ମଦନପୁର-ରାମପୁରସ୍ଥିତ ହୋଟେଲ ଉପରେ କୋରାପୁଟ ଭିଜିଲାନ୍ସର ଏକକାଳୀନ ତିନିଟି ଟିମ୍ ଚଢ଼ଉ କରିଥିଲା। ବହୁ ପରିମାଣର ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କାଗଜପତ୍ର ଭିଜିଲାନ୍ସ ଜବତ କରିଥିଲା। ଏହି ସମୟରେ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କାର ସଂପତ୍ତି ତାଙ୍କର ଠାବ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ଜମାଥିବା ତାଙ୍କର ୪୯ଲକ୍ଷ ଟଙ୍କା ଠାବ କରାଯାଇଥିଲା। ସେ ୧ କୋଟି ୫୪ ଲକ୍ଷ ୧୨ ହଜାର ୨୬୦ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ତାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୯୮୫, ଜାନୁଆରିରେ ରାଜସ୍ବ ବିଭାଗରେ ଅନାମ କନିଷ୍ଠ କିରାଣି ଭାବେ ଯୋଗ ଦେଇଥିଲେ। ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂମ୍ପତ୍ତି ଠୁଳ ଅଭିଯୋଗ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଜାନୁଆରି ୨୨ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧)(ବି)ରେ ମାମଲା ରୁଜୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Odisha-High-Court.jpg)