ସଡ଼କ ସୁରକ୍ଷା ସଚେତନ କରାଇବାକୁ ଯାଇ ବେଆଇନ୍‌ ଗାଡି ପାର୍କିଂ କରି ଜରିମାନା ଦେଲେ ଭୁବନେଶ୍ୱର ମଧ୍ୟ ବିଧାୟକ

ଭୁବନେଶ୍ୱର: ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। ଗତକାଲି ଗାଡ଼ି ତନଖି ବେଳେ ରାଜମହଲ ଛକରେ ପୁଲିସ-ଜନତା ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା। ଉତ୍ତ୍ୟେକ୍ତ ଲୋକଙ୍କୁ ଆୟତ୍ତକୁ ଆଣିବାକୁ ପୁଲିସ ଲାଠିଚାର୍ଜ କରିଥିଲା। ତେବେ ସଡ଼କ ନିୟମ ଉଲଂଘନ୍ନ କରି ଜରିମାନା ଦେବା ତାଲିକାରୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବି ବର୍ତ୍ତି ପାରି ନାହାନ୍ତି।

ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ରବିବାର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ତଣ୍ଡ ଗଣିବାକୁ ପଡିଛି । ଏଜି ଛକରେ ସେ ଜରିମାନା ବାବଦରେ ୫୦୦ ଟଙ୍କା ଦେଇଛନ୍ତି । ଏଜି ଛକରେ ବେଆଇନ୍‌ ଭାବେ ଗାଡି ପାର୍କିଂ କରିଥିବାରୁ ବିଧାୟକଙ୍କୁ ଏହି ଜରିମାନା ଦେବାକୁ ପଡିଥିବା ଜଣାପଡ଼ିଛି। ଡିସିପିଙ୍କ ଉପସ୍ଥିତିରେ ଏହି ଜରିମାନା କାଟାଯାଇଛି।

ସବୁଠାରୁ ବଡ କଥା ହେଉଛି, ବିଧାୟକ ଆଜି ଜନସାଧାରଣଙ୍କୁ ସଡକ ସୁରକ୍ଷା ବାବଦରେ ସଚେତନ କରିବାକୁ ଆସିଥିଲେ । ସଚେତନ କରାଇବା ଉଦ୍ଦେଶ୍ୟରେ ସେ ଚକୋଲେଟ ଏବଂ ଲିଫ୍‌ଲେଟ ବଣ୍ଟନ କରିଥିଲେ। ଏହି ସମୟରେ ତାଙ୍କ ଚାଳକ ବେଆଇନ୍‌ ଭାବେ ଗାଡି ପାର୍କିଂ କରି ଦେଇଥିଲେ। ଏହାପରେ ତାଙ୍କ ଉପରେ ଟ୍ରାଫିକ୍‌ ପୁଲିସ ଜରିମାନା ଲଗାଇଥିଲା।

ସମ୍ବନ୍ଧିତ ଖବର