ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ମାମଲା ରଦ୍ଦ

କଟକ : ପୂର୍ବତନ ଆଇନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ଭୁବନେଶ୍ୱର ଅଦାଲତରେ ବିଚାରାଧୀନ ଅପରାଧିକ ମାମଲା ହାଇକୋର୍ଟ ରଦ୍ଦ କରିଛନ୍ତି। ଅଢେଇ ଦଶନ୍ଧି ତଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ପଢୁଥିବା ବେଳେ ଏହି ମାମଲା ସହିଦନଗର ଥାନାରେ ରୁଜୁ ହୋଇଥିବା ବେଳେ ଏବେ ଏହାର ବିଚାର ପ୍ରକ୍ରିୟା ଚାଲିବାର କିଛି ପ୍ରାସଂଗିକତା ନାହିଁ ଦର୍ଶାଇ ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି। ଆବେଦନକାରୀଙ୍କ ବିରୋଧରେ ରହିଥିବା ଅସ୍ପଷ୍ଟ ଅଭିଯୋଗ ଓ ଏତଲା ରୁଜୁର ପୃଷ୍ଠଭୂମିରେ ରହିଥିବା ପରିସ୍ଥିତିକୁ ବିଚାରକୁ ନେଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୧, ଡିସେମ୍ବର ୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶ୍ରୀ ସାହୁ ଓ ଅନ୍ୟ କେତେକ ବ୍ୟକ୍ତିଙ୍କ ନେତୃତ୍ୱରେ ଦୁଇ ଶହରୁ ଅଧିକ ଛାତ୍ର ବେଆଇନ ଭାବେ କ୍ୟାମ୍ପସରେ ସମ୍ମିଳିତ ହୋଇଥିଲେ। ଏକତ୍ରିତ ହୋଇଥିବା ବ୍ୟକ୍ତିମାନେ ଅପରାଧିକ ଷଡଯନ୍ତ୍ରରେ ସାମିଲ ଥିଲେ। ଅନ୍ୟମାନଙ୍କୁ ଜୀବନରେ ମାରିବାକୁ ଧମକ ଦେଇଥିଲେ ଓ ଗାଳି ଗୁଲଜ କରିଥିଲେ। ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଥିଲା। ସେମାନେ ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ସଂପାଦନରେ ବାଧା ସୃଷ୍ଟି କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ତତ୍କାଳୀନ ସହିଦ ନଗର ଥାନା ଆଇଆଇସି ନିଜ ଆଡୁ ଏତଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର