ଯାଜପୁର: ଯାଜପୁର ଜିଲ୍ଲାର ଆଇନଶୃଙ୍ଖଳା ଚୁଲିକି ଗଲାଣି। ଜିଲ୍ଲାରେ ଲୋକ ପ୍ରତିନିଧି, ବିଧାୟକମାନେ ବି ସୁରକ୍ଷିତ ନୁହନ୍ତି। ଆଜି ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଯାଜପୁର-କୁଆଖିଆ ରାସ୍ତାର ବୁଢ଼ାଘାଟଠାରେ ସଂଘବଦ୍ଧ ଆକ୍ରମଣ ଘଟଣାରୁ ଏହା ସ୍ପଷ୍ଟ। କିଛି ଯୁବକ ବିଧାୟକ ଶ୍ରୀ ସାହୁଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସି ଅତର୍କିତ ଭାବେ ଟେକାପଥର ମାଡ଼ କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ସଂଘବଦ୍ଧ ଭାବେ ବିଧାୟକଙ୍କ ଗାଡ଼ି କାଚକୁ ଭାଙ୍ଗି ଦେଇଥିଲେ। ବିଧାୟକ ଗାଡ଼ି ଭିତରେ ବସିଥିବାବେଳେ ତାଙ୍କୁ ଟଣାଭିଡ଼ା କରିବା ସହିତ ମାଡ଼ ବି ମାରିଥିଲେ। ବହୁକଷ୍ଟରେ ସେମାନଙ୍କ କବଳରୁ ମୁକୁଳିଥିଲେ ବିଧାୟକ ଶ୍ରୀ ସାହୁ। ଏହି ଘଟଣା ପାଇଁ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କୁ ସେ ଦାୟୀ କରିଛନ୍ତି। ବବି ଦାସଙ୍କ ସମର୍ଥକମାନେ ତାଙ୍କୁ ଯୋଜନାବଦ୍ଧ ଭାବେ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି। ଆକ୍ରମଣକାରୀ ଯୁବକମାନେ ବିଜେଡି କର୍ମୀ ଓ ସେମାନେ ଆକ୍ରମଣ ବେଳେ ବବିଙ୍କ ନାଁ ନେଇଥିବା ବିଧାୟକ କହିଛନ୍ତି। ଏହାକୁ ନେଇ କୁଆଖିଆ-ଯାଜପୁର ରାସ୍ତାର ବୁଢ଼ାଘାଟ ନିକଟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବିଧାୟକଙ୍କ ଶହଶହ ସମର୍ଥକ ଘଟଣାସ୍ଥଳରେ ପହଞ୍ଚିବା ପରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି। ଯାଜପୁର ଏସ୍‌ପି ଯଶପ୍ରତାପ ଶ୍ରୀମଲ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାଳନା କରିଥିଲା। ତେବେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଖବର ଲେଖାହେବା ସୁଦ୍ଧା ଘଟଣା ସଂପର୍କରେ ବିଧାୟକ ଥାନାରେ ଏତଲା ଦେଇ ନଥିଲେ।

Advertisment

୨୦ରୁ ଅଧିକ ଯୁବକଙ୍କ ସଂଘବଦ୍ଧ ଆକ୍ରମଣ
ଆକ୍ରମଣ‌ ପଛରେ ବବିଙ୍କ ହାତ: ହିମାଂଶୁ
ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ପୁଲିସର ଲାଠିଚାର୍ଜ, ୪ ଆହତ

ସୂଚନା ମୁତାବକ ବୁଧବାର ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ଶ୍ରୀ ସାହୁ ଯାଜପୁର ଜିଲ୍ଲା ମୁଖ୍ୟାଳୟରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଏକ ଜରୁରୀ କାର୍ଯ୍ୟରେ ଯାଉଥିଲେ। ବାଟରେ ଯିବାବେଳେ ବୁଢ଼ାଘାଟଠାରେ ଯାଜପୁର ବିରଜା ହାଟ ଖୋଲିବା ପ୍ରତିବାଦରେ ଶତାଧିକ ବିଜେଡି କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଆଗରେ ଭିଡ଼ ଥିବାରୁ ବିଧାୟକଙ୍କ ଗାଡ଼ି ଅଟକିଥିଲା। ତେବେ ସେଠାରେ ଆନ୍ଦୋଳନ କରୁଥିବା କିଛି ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଦେଖିବା ପରେ ମାଡ଼ି ଆସିଥିଲେ। ବିଧାୟକଙ୍କ ନାଁ ନେଇ ଗାଳିଗୁଲଜ କରିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ବିଧାୟକ ଶ୍ରୀ ସାହୁ ପ୍ରତିକ୍ରିୟା ରଖିଛନ୍ତି। ଆକ୍ରମଣ ପଛରେ ବବିଙ୍କ ହାତ ଅଛି, ଆକ୍ରମଣକାରୀ ବବିଙ୍କ ନାମ ନେଇ ତାଙ୍କୁ ଆକ୍ରମଣ କରିଛନ୍ତି ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଷଡ଼୍‌ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛନ୍ତି। ବବି ଦାସଙ୍କ ବିରୋଧରେ କାହିଁକି କହୁଛ ବୋଲି କିଛି ବିଜେଡି କର୍ମୀ ତାଙ୍କୁ ପଚାରିବା ସହ ଆକ୍ରମଣ କରିଥିଲେ। ତାଙ୍କ ବେକରୁ ସୁନାଚେନ୍‌ ଛିଣ୍ଡାଇ ନେଇଥିଲେ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି। 

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏକ ଗାଁକୁ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଅଟକାଇ ଅଣ୍ଡା ମାଡ଼ କରାଯାଇଥିଲା। ତେବେ ଲୋକ ପ୍ରତିନିଧିମାନଙ୍କୁ ରାସ୍ତା ଉପରେ ଅଟକାଇ ଏଭଳି ଆକ୍ରମଣ କରିବା ଘଟଣା ଆଗାମୀ ଦିନରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଯେଉଁମାନେ ରାସ୍ତାରୋକ କରୁଥିଲେ ସେମାନେ ଥାନାରୁ ଅନୁମତି ନେଇଥିଲେ କି ନାହିଁ? ଯଦି ନେଇଥିଲେ ସେଠାରେ ପୁଲିସ କାହିଁକି ମୁତୟନ କରାଯାଇ ନଥିଲା ବୋଲି ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଯାଜପୁର ଏସ୍‌ପି ଯଶପ୍ରତାପ ଶ୍ରୀମଲ କହିଛନ୍ତି, ବିଧାୟକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଅନ୍ୟପକ୍ଷରେ ଯାଜପୁରର ପ୍ରାକ୍ତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ମଧ୍ୟ ଏହି ଘଟଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଜେଡି ହିଂସାରେ ବିଶ୍ବାସ କରେ ନାହିଁ। କୌଣସି ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏଭଳି ଘଟଣା ଘଟାଇଥିବା ଲୋକଙ୍କ ବିରୋଧରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ଉଚିତ ବୋଲି ଶ୍ରୀ ଦାସ କହିଛନ୍ତି।