ରାଜନୀତିରେ ନିଆରା ଉପଲବ୍ଧି: ସ୍ବାଧୀନ ପ୍ରାର୍ଥୀଭାବେ ଲଗାତାର ଦୁଇଥର ବିଧାୟକ

୮୧ ବର୍ଷ ବୟସରେ ବିଜୟ ଜେନାଙ୍କ ପରଲୋକ

ପାରଳାଖେମୁଣ୍ଡି : ଏକ ନିଆରା ଉପଲବ୍ଧି ରହିଥିଲା ବିଜୟଚନ୍ଦ୍ର ଜେନାଙ୍କ ରାଜନୈତିକ ଜୀବନରେ। ପ୍ରଥମେ ୧୯୭୭ ମସିହା ଏବଂ ଏହାପରେ ୧୮୯୦ ମସିହାରେ ସ୍ବାଧୀନ ପ୍ରାର୍ଥାଭ‌ାବେ ପ୍ରତିଦ୍ବନ୍ଦ୍ବିତା କରି ବିଧାୟକ ହୋଇଥିଲେ। କୌଣସି ରାଜନୈତିକ ଦଳରେ ନଥାଇ ସୁଦ୍ଧା ଲଗାତାର ଦୁଇଥର ବିଜୟୀ ହେବା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶେଷରେ, ୮୧ ବର୍ଷ ବୟସରେ ସେ ପ୍ରାଣ ବିସର୍ଜନ କରିଛନ୍ତି। ହୃଦ୍‌ଘାତରେ ପୀଡ଼ିତ ହୋଇ ଗତ କିଛିଦିନ ହେଲା ସେ ଚିକିତ୍ସିତ ହେଉଥିଲେ।

୧୯୪୧ ଜୁଲାଇ ୧ ତାରିଖରେ ଜନ୍ମିତ ସ୍ବର୍ଗତ ଜେନା ବାମପନ୍ଥୀ ଚିନ୍ତାଧାରାରୁ ଆସି ଜନସେବା ପାଇଁ ରାଜନୈତିକ ଦଳରେ ନଥାଇ ମଧ୍ୟ ଦୁଇ ଦୁଇ ଥର ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଧାୟକ ହୋଇଥିଲେ। ସେ ପାରଳା ଆସନରୁ ଲଗାତାର ୧୯୭୭ ଓ ୧୯୮୦ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମଥର ୧୯୭୭ରୁ ୧୯୮୦ ଏବଂ ଦ୍ବିତୀୟ ପାଳିରେ ୧୯୮୦ରୁ ୧୮୮୪ ପର୍ଯ୍ୟନ୍ତ ବିଧାୟକ ଭାବେ ପ୍ରତିନିଧିତ୍ଵ କରିଥିଲେ। ପ୍ରଥମ ପାଳିରେ ବିଜୁ ବାବୁଙ୍କ ସରକାର ରହିଥିବା ବେଳେ ଦ୍ବିତୀୟ ପାଳିରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର ଅମଳରେ ବିଧାୟକ ଭାବରେ ନିଜ ଅଞ୍ଚଳର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ବିଧାୟକ ଥିବା ସମୟରେ ନିଜ ଅଞ୍ଚଳର ବିକାଶ ପାଇଁ ତାଙ୍କର ବେଶ୍‌ ଅବଦାନ ରହିଛି। ସର୍ବଦା ସାଧାରଣ ଜୀବନଯାପନ କରୁଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଅଧିକ ଲୋକପ୍ରିୟତା ମଧ୍ୟ ରହିଥିଲା। ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସ୍ବର ଉତ୍ତୋଳନ କରି ଆସିବା ସହ ଲଢେ଼ଇ ଜାରି ରଖିଥିଲେ। ବିଶେଷକରି ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରତି ସେ ସର୍ବାଧିକ ଗୁରୁତ୍ବ ଦେଉଥିଲେ।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପାଞ୍ଚ ପୁଅ ଓ ଚାରି ଝିଅ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଗଜପତି ଜିଲ୍ଲାରେ ଗଭୀର ଶୋକର ଛାୟା ଖେଳିଯାଇଛି। ଶ୍ରୀ ଜେନାଙ୍କ ବିୟୋଗରେ ବିଧାୟକ କେ.ନାରାୟଣ ରାଓ, ଏସ୍‌. ଲିଙ୍ଗରାଜ, ଗୁରାଣ୍ଡି କଲେଜ ଅଧ୍ୟକ୍ଷ ତ୍ରିପତି ବାଲାଜୀ ପରିଛା, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ପୂର୍ବତନ ନଗରପାଳ କେ.ରାମସ୍ୱାମୀ, ପ୍ରଶାନ୍ତ କୁମାର ରାଉତ, ବିଜେଡି ନେତା ରାଜେନ୍ଦ୍ର ବେହେରା, କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡା, ବରିଷ୍ଠ ଆଇନଜୀବୀ କୃଷ୍ଣମୋହନ ପଟ୍ଟନାୟକ ଓ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର