ବିଧାୟକ ବିଜୟରଂଜନ ବରିହାଙ୍କ ପରଲୋକ

ବରଗଡ଼/ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା(୬୫)ଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। କିଛିଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଥିଲା। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ‌ ସୋମବାର ଦିନ ତାଙ୍କର ପାର୍ଥିବ ଶରୀରକୁ ଭୁବନେଶ୍ବରରୁ ପଦ୍ମପୁର ଅଣାଯାଇଛି। ସଂଧ୍ୟାରେ ଶାସ୍ତ୍ରୀଛକଠାରେ ସାମୂହିକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ସେଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ମରଶରୀର ରଖାଯାଇଥିବା ବେଳେ ଆଜି(ମଙ୍ଗଳବାର) ସକାଳେ ରାଜଘାଟରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ ବୋଲି ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡ଼ିଛି।

ସ୍ବର୍ଗତ ବରିହା ପ୍ରଥମେ ଛାତ୍ର ରାଜନୀତି ସହିତ ସମ୍ପୃକ୍ତ ଥିଲେ। ଆଦିବାସୀ ଏବଂ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସ୍ବର ଉତ୍ତୋଳନ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ। ଏହାପରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ସେହିସମୟରେ ସ୍ବର୍ଗତ ବରିହା ବିଜୁ ପଟ୍ଟନାୟକଙ୍କ ଅତି ନିକଟତର ଥିଲେ। ତାଙ୍କ ବାହାଘର ବେଳେ ବିଜୁବାବୁ କନ୍ୟାଦାନ କରିଥିଲେ। ବିଜୁବାବୁଙ୍କ ଦୃଷ୍ଟିକୁ ଆସିବା ପରେ ତାଙ୍କୁ ୧୯୯୦ ମସିହାରେ ବିଧାୟକ ଭାବେ ଟିକଟ୍‌ ମିଳିଥିଲା। ଏହାପରେ ୫ ଥର ପଦ୍ମପୁର ନିର୍ବାଚନମଣ୍ଡଳିରୁ ସେ ବିଜୟୀ ହୋଇଥିଲେ। ୧୯୯୦, ୧୯୯୫, ୨୦୦୦, ୨୦୦୯ ଏବଂ ୨୦୧୯ ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ପ୍ରଥମ ଦୁଇଥର ସେ ଜନତା ଦଳ ଏବଂ ପରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୦୯ ମସିହାରେ ସେ ଆଦିବାସୀ ହରିଜନ ଉନ୍ନୟନ ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ୧୯୯୮ ମସିହାରେ ସମ୍ବଲପୁର ​ଲୋକସଭା ଆସନରୁ ବି ସେ ଜନତା ଦଳ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେ ମଧ୍ୟ କ୍ରମାଗତ ଦୁଇଥର ହେଲା ସେ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବ ତୁଲାଇଥିଲେ। ୨୦୧୯ ମସିହା ନିର୍ବାଚନ ପରେ ସେ ସ୍ବାସ୍ଥ୍ୟଗତ ସମସ୍ୟାର ଶିକାର ହୋଇଥିଲେ। ଏପରିକି ସଭାସମିତି ଏବଂ ଦଳୀୟ କାର୍ଯ୍ୟକ୍ରମରେ ବି ଅନୁପସ୍ଥିତ ରହୁଥିଲେ।

ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ପତ୍ନୀ ତିଳୋତ୍ତମା, ଏକମାତ୍ର ପୁଅ ଭୋଜରାଜ, ଦୁଇ ଝିଅ କାଦମ୍ବିନୀ ଓ ବର୍ଷାରାଣୀ ଏବଂ ପରିବାରବର୍ଗଙ୍କୁ ଛାଡ଼ି ଚାଲିଯାଇଛନ୍ତି।

ସମ୍ବନ୍ଧିତ ଖବର