ପୁଣି ବିବାହ ବିବାଦରେ ବିଧାୟକ ବିଜୟଶଙ୍କର

ବିବାହ ପାଇଁ ଅପେକ୍ଷା କରି ଫେରିଲେ ସୋମାଲିକା, ଥାନାରେ ଅଭିଯୋଗ କଲେ
ମୋତେ ଧମକ ଦିଆଯାଉଛି, ବ୍ଲାକ୍‌ମେଲିଂ କରାଯାଉଛି: ବିଜୟଶଙ୍କର

ଜଗତସିଂହପୁର ଟାଉନ୍ : ପୁଣିଥରେ ବିବାହ ବିବାଦରେ ଫସିଯାଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ। ବିବାହ ଅ‌ାବେଦନର ମାସେ ପୂରିବା ପରେ ତାଙ୍କ ପ୍ରେମିକା ‌ସୋମାଲିକା ସବ୍‌-ରେଜିଷ୍ଟ୍ରାର୍‌ ଅଫିସରେ ହାଜର ହୋଇଥିଲେ ବି ସେ ଆସିନାହାନ୍ତି। ୪ ଘଣ୍ଟାଧରି ଅପେକ୍ଷା କରିବା ପରେ ବିଧାୟକ ବିଜୟଶଙ୍କରଙ୍କ ବିରୋଧରେ ସେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଧମକଚମକ, ଠକେଇ କରିଥିବା ନେଇ ଜଗତସିଂହପୁର ଥାନାରେ ଅନ୍‌ଲାଇନ୍ ଯୋଗେ ଅଭିଯୋଗ କରିଛନ୍ତି। ପୂର୍ବ ଅଭିଯୋଗକୁ ନେଇ ମାମଲା ରୁଜୁ କରିବା ପାଇଁ ମଧ୍ୟ ସେମାନେ ପୁଲିସର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଅପରପକ୍ଷେ, ତାଙ୍କୁ ଧମକ ଦିଆଯାଉଥିବା ନେଇ ବିଧାୟକ ବିଜୟଶଙ୍କର ପାଲଟା ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପ୍ରେମକାହାଣୀର ଏହି ଦୃଶ୍ୟପଟ୍ଟ ଚର୍ଚ୍ଚା ପାଇଁ ବେଶ୍‌ ଖୋରାକ୍‌ ଯୋଗାଇଛି। ଠିକ୍‌ ମାସକ ତଳେ ବିଧାୟକ ବିଜୟଶଙ୍କର ଓ ସୋମାଲିକାଙ୍କ ପ୍ରେମ କାହାଣୀ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିଜୟ ବିବାହ ପାଇଁ ରାଜି ହେଉ ନ ଥିବା ଦର୍ଶାଇ ସୋମାଲିକା ଗତମାସ ପ୍ରଥମ ସପ୍ତାହରେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ। ବିଧାୟକଙ୍କ ବିରୋଧରେ ପ୍ରତାରଣା ନେଇ ଲିଖିତ ଅଭିଯୋଗ କରିଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ। କିନ୍ତୁ ଉଭୟ ପରିବାର ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ଏହାପରେ ଗତମାସ ୧୭ ତାରିଖରେ ସେମାନେ ବିବାହ ପାଇଁ ସବ୍‌-ରେଜିଷ୍ଟ୍ରାର୍ ଅଫିସରେ ଆବେଦନ ମଧ୍ୟ କରିଥିଲେ। ନିୟମ ଅନୁଯାୟୀ ଆବେଦନର ୩୦ ଦିନ ପରେ ଓ ୯୦ ଦିନ ମଧ୍ୟରେ ବିବାହ ହୋଇପାରିବ। ସୋମାଲିକାଙ୍କ ଅଭିଯୋଗ ଅନୁସାରେ, ଆବେଦନ ପରେ ଆଜି ବିବାହ ପାଇଁ କଥାବାର୍ତ୍ତା ହୋଇଥିଲା। ଏପରିକି ଆଜି ରାତିରେ ‘ରିଙ୍ଗ୍ ସେରିମନି’ ମଧ୍ୟ ହୋଇଥା’ନ୍ତା ବୋଲି ପୂର୍ବରୁ ଆଲୋଚନା ହୋଇଥିବା ସେ କହିଛନ୍ତି। ସେହି ଅନୁସାରେ, ଗତକାଲି ରାତିରେ ଓ ଆଜି ସକାଳେ ବିବାହ ଲାଗି ସବ୍‌ରେଜିଷ୍ଟ୍ରାର ଅଫିସକୁ ଆସିବା ପାଇଁ ବିଜୟଙ୍କ ଦାଦାଙ୍କ ସହ କଥାବାର୍ତ୍ତା ହୋଇଥିଲା। ଏ ସମ୍ପର୍କରେ ସୂଚନାଦେଇ ସମାଜସେବୀ ସ୍ନିଗ୍ଧାରାଣୀ ବିଶ୍ବାଳ କହିଛନ୍ତି, ‘ ବିବାହ ପାଇଁ ଦିନ ୧୧ଟାରେ ଆମେ ପହଞ୍ଚିଥିଲୁ, ଦିନ ୩ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ଧରି ଅପେକ୍ଷା କଲୁ। କିନ୍ତୁ ସେମାନେ କେହି ଆସିଲେନି,’। ଓଲଟା ସେମାନେ ଧମକଚମକ ଦେବା ସହ ଗାଳିଗୁଲଜ କରୁଛନ୍ତି ବୋଲି ଶ୍ରୀମତୀ ବିଶ୍ବାଳ ଅଭିଯୋଗ ଆଣିଛନ୍ତି। ଏ ନେଇ ଥାନାରେ ଅନଲାଇନ୍ ଯୋଗେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ବିଜୟଶଙ୍କର। ସେ କହିଛନ୍ତି, ‘ ବିବାହ ଆବେଦନକୁ ମାସେ ପୂରିଲା। ମହିଳା ଆଇନଜୀବୀ ତଥା ସମାଜସେବୀ ଫୋନ୍ କରି କହୁଛନ୍ତି ମୁଁ ତମ କ୍ୟାରିଅର୍‌ ବର୍ବାଦ କରିଦେବି। ତମ ବାପାଙ୍କ ସୁନାମ ଖରାପ କରିଦେବି। ଏମିତି କହି ମୋତେ ବ୍ଲାକମେଲିଂ କରାଯାଉଛି। ବିବାହ ଅବଧି ୩୦ ଦିନରୁ ୯୦ ଦିନ ରହିଛି। ଏହାଭିତରେ ବାହା ହୋଇପାରିବି। ଯଦି ମୋର ଠକିବାର ଉଦ୍ଦେଶ୍ୟ ଥାଆନ୍ତା ମା’ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ବିବାହ ଆବେଦନ କରିବାକୁ ଆସି ନ ଥା’ନ୍ତି। ମୋତେ ଧମକ ଦିଆଯିବାର ସମସ୍ତ ରେକର୍ଡିଂ, ଟେକ୍ସଟ୍ ମେସେଜ୍ ଅଛି। ଯଦି ଏଫ୍‌ଆଇଆର୍‌ ଦେବେ ଦିଅନ୍ତୁ, ପୁଲିସ ତଦନ୍ତ କରୁ।’ ତେବେ, ଆଜିର ଘଟଣା ପରେ ବିଧାୟକଙ୍କ ପ୍ରେମ କାହାଣୀକୁ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣିଥରେ ତାଜା ହୋଇଛି। ଏହି ପ୍ରସଙ୍ଗ ବିରୋଧୀଙ୍କୁ ଖୋରାକ୍ ଯୋଗାଇବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର