ବିଶୋଇ/ବିଜାତଳା: ନିର୍ବାଚନ ପ୍ରଚାର ସଭାରେ ସାରସକଣା ବିଜେଡି ପ୍ରାର୍ଥୀ ଡା. ଦେବାଶିଷ ମାରାଣ୍ଡିଙ୍କ ଉପରକୁ ପଥର ମାଡ଼ ହୋଇଛି। ତେବେ ଶ୍ରୀ ମାରାଣ୍ଡି ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ନାବାଳକଙ୍କ ସହ ଜଣେ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ; ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନମଣ୍ଡଳୀ ଅଧୀନ ବିଜାତଳା ବ୍ଲକ୍‌ ଅସନା ଗ୍ରାମରେ ବିଜେଡିର ଏକ ପଥପ୍ରାନ୍ତ ସଭା ହେଉଥିଲା। ଏଥିରେ ଦଳର ବିଧାୟକ ପ୍ରାର୍ଥୀ ଦେବାଶିଷଙ୍କ ସହ ବିଜାତଳା ବ୍ଲକ୍‌ ପ୍ରାକ୍ତନ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ, ବ୍ଲକ୍‌ ସଭାପତି ମାଝିଆରାମ ଟୁଡୁ, ବିଶୋଇ ବ୍ଲକ୍‌ ସଂଯୋଜକ ବିରଞ୍ଚି ନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏତିକିବେଳେ ହଠାତ୍‌ କିଛି ଦୁର୍ବୃତ୍ତ ଦେବାଶିଷଙ୍କୁ ଲକ୍ଷ୍ୟକରି ପଥର ମାଡ଼ କରିଥିଲେ। ସୌଭାଗ୍ୟବଶତଃ ଦେବାଶିଷ ବର୍ତ୍ତିଯାଇଥିଲେ। ହେଲେ, ନିକଟରେ ଛିଡ଼ା ହୋଇଥିବା ଗ୍ରାମର ଲକ୍ଷ୍ମଣ ହାଁସଦା (୧୨) ଓ ସୁନାରାମ ମୁର୍ମୁ (୩୮)ଙ୍କ ଉପରେ ପଥର ବାଜି ମୁଣ୍ଡ ଓ କାନରୁ ରକ୍ତସ୍ରାବ ହୋଇଥିଲା। ଦେବାଶିଷ ସଂଗେ ସଂଗେ ଉଭୟଙ୍କୁ ନିଜ ଗାଡ଼ିରେ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସା କରାଇଥିଲେ। ତେବେ ଏହି ଆକ୍ରମଣ କିଏ କରିଛି ଏବଂ କେଉଁ ଉଦ୍ଦେଶ୍ୟରେ କରାଯାଇଛି, ତାହା ଜଣାପଡ଼ିନି। ଦେବାଶିଷଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ କିଛି ଖଳ ପ୍ରକୃତିର ବ୍ୟକ୍ତି ସହ୍ୟ କରି ପାରୁନାହାନ୍ତି। ଫଳରେ, ଏପରି ଅମାନୁଷିକ କାଣ୍ଡ ଭିଆଇବାକୁ ପଛାଇ ନାହାନ୍ତି। ଆଗାମୀ ନିର୍ବାଚନରେ ଭୋଟର୍‌ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

Advertisment