ଗାଁକୁ ନାହିଁ ପକ୍କା ରାସ୍ତା, ଆସିଲାନି ଆମ୍ବୁଲାନ୍ସ : ଗର୍ଭବତୀଙ୍କୁ କାନ୍ଧରେ ବୋହିଲେ ବିଧାୟକ

ନବରଙ୍ଗପୁର/ମଇଦଲପୁର : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଜନନୀ କେତେ ସୁରକ୍ଷିତ ଏହି ଘଟଣା ପରେ ପ୍ରଶ୍ନ ଉଠିଛି। ବାରମ୍ବାର ଗର୍ଭବତୀ ଓ ପ୍ରସୂତି ଭାରରେ ବୁହା ହେଉଥିବା ବେଳେ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ ସ୍ଥାୟୀ ପ୍ରତିକାର। ଏମିତି ସମୟରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଡାବୁଗାଁ ବିଧାୟକ ଜଣେ ଗର୍ଭବତୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନା‌ ନେବା ଘଟଣା ଚର୍ଚ୍ଚାକୁ ଆସିଛି।

ପାପଡ଼ାହାଣ୍ଡି ବ୍ଲକ୍‌ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ କୁସୁମଖୁଣ୍ଟା ଗାଁକୁ ପାହାଡ଼ିଆ ରାସ୍ତାରେ ଚାଲିଚାଲି ଯାଉଥିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଏହି ସମୟରେ ଗୋଟିଏ ଦୃଶ୍ୟ ବିଧାୟକଙ୍କ ନଜରକୁ ଆସିଥିଲା। ସେହି ଗାଁର ଗର୍ଭବତୀ ଜେମା ଭତ୍ରା (୩୦) ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗାଁର କିଛି ଲୋକ ଦୋଳରେ ବସାଇ ବିଧାୟକଙ୍କୁ ଅତିକ୍ରମ କରିଥିଲେ। ଏହା ଦେଖି ବିଳମ୍ବ ନକରି ଗର୍ଭବତୀଙ୍କ ଭାରକୁ ବିଧାୟକ ନିଜ କାନ୍ଧକୁ ନେଇଥିଲେ। ପ୍ରାୟ ୫କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରି ଗୁଡ଼ପାଣିପଦର ଛକ ପର୍ଯ୍ୟନ୍ତ ଆସିଥିଲେ। ବ୍ଲକ୍‌ ଉପାଧ୍ୟକ୍ଷା ତ୍ରିନାଥ ପ୍ରଧାନ, ଆରସିଏମଏସ ସଭାପତି ସୁଶାନ୍ତ କୁମାର ବେହେରା, ସରୋଜ ଜାଲ ପ୍ରମୁଖ ମଧ୍ୟ ଗର୍ଭବତୀଙ୍କ ଭାର ସହ ଚାଲି ଚାଲି ଆସିଥିଲେ। ଆମ୍ବୁଲାନ୍ସକୁ ବହୁ ସମୟ ଧରି ଅପେକ୍ଷା କରିବା ସତ୍ତ୍ବେ ପହଞ୍ଚି ନଥିଲା। ତେଣୁ ଗୁଡ଼ପାଣିପଦର ଛକରେ ଥିବା ନିଜ ଗାଡ଼ିରେ ଗର୍ଭବତୀଙ୍କୁ ବସାଇ ୪କିଲୋମିଟର ଦୂରରେ ଥିବା ଡାକ୍ତରଖାନା ପର୍ଯ୍ୟନ୍ତ ନେଇଥିଲେ। ଏତିକରେ ଗର୍ଭବତୀଙ୍କ ଯନ୍ତ୍ରଣାର ଅନ୍ତ ହୋଇ ନଥିଲା। କାରଣ ମଇଦଲପୁର ଡାକ୍ତରଖାନାରେ ସେତେବେଳକୁ କେହି ଡାକ୍ତର ନଥିଲେ। ଯାହାଫଳରେ ପୁଣି ବିଧାୟକଙ୍କ ଗାଡ଼ିରେ ଜେମା ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଏହା ଜେମାଙ୍କ ପ୍ରଥମ ପ୍ରସବ ହୋଇଥିବା ବେଳେ ଡାକ୍ତରଖାନା ପହଞ୍ଚିବାରେ ହୋଇଥିବା ବିଳମ୍ବ ଯୋଗୁଁ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ‌ଏଥିପାଇଁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅସମୟରେ ସହାୟତା ପାଇଁ ସବୁ କାମକୁ ପଛରେ ପକାଇ ବିଧାୟକ ଏଭଳି ମହତ କାମ କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର