ପାହାଡ଼ ଚଢ଼ି ଗାଁକୁ ପହଂଚିଲେ ବିଧାୟକ, ନାମ ସଂକୀର୍ତ୍ତନ କରି ପାଛୋଟି ନେଲେ ଗ୍ରାମବାସୀ

ବନ୍ତଳା: ଅନୁଗୁଳ ବ୍ଲକ ଅନ୍ତର୍ଗତ ନାହିଁ ନାହିଁର ଦୁର୍ଗମ ବେତର ଗ୍ରାମରେ ଆଜି ପହଁଚିଲେ ବିଧାୟକ। ଦେଶ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ପ୍ରଥମ ଥର କୌଣସି ବିଧାୟକଙ୍କ ପାଦ ଗାଁରେ ପଡିଛି। ଫଳରେ ଗ୍ରାମବାସୀ ଖୁସି ହେବା ସହ ସେମାନଙ୍କର ଦୀର୍ଘ ଦିନର ଦୁଃଖ ଘୁଞ୍ଚିବ ବୋଲି ଆଶାବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକର ଜଣାଶୁଣା ଅବହେଳିତ ତଥା ଦୁର୍ଗମ ଗ୍ରାମ ହେଉଛି ବେତର ଗ୍ରାମ। ତେବେ ଆଦିବାସୀ ବହୁଳ ଏହି ଗ୍ରାମରେ ପ୍ରାୟ ୪୦ପରିବାର ରହୁଛନ୍ତି। କିନ୍ତୁ ଏହି ଗ୍ରାମକୁ ନିତିଦିନିଆ ରାସ୍ତା ନଥିବାରୁ ପାହାଡ଼ ଝରଣା ଡେଇଁ ଗ୍ରାମର ଲୋକମାନେ ପ୍ରାୟ ୪କିମି ରାସ୍ତା ଅତିକ୍ରମ କରି ଶରଧାପୁର ଗ୍ରାମରୁ ରାସନ ସାମଗ୍ରୀ ମୁଣ୍ଡରେ ଭାର କରି ନେଇଛନ୍ତି। ସେପଟେ ରାସ୍ତା ନଥିବାରୁ ଗ୍ରାମର ଗର୍ଭବତୀ ମହିଳା ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ପାନୀୟ ଜଳଯୋଗାଣର ବ୍ୟବସ୍ଥା ନାହିଁ କି ବିଦ୍ୟୁତର ମଧ୍ୟ ବ୍ୟବସ୍ଥା ନାହିଁ। ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଗ୍ରାମର ଛାତ୍ରଛାତ୍ରୀ ମାନେ ମଧ୍ୟ ଏକ ପ୍ରକାର ପାଠ ପଢ଼ାରୁ ବଞ୍ଚିତ ଥିବା ନଜିର ରହିଛି।

ଗ୍ରାମର ଏତେସବୁ ସମସ୍ୟା ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ପ୍ରଶାସନିକ ଅଧିକାରୀ କିମ୍ବା ବିଧାୟକଙ୍କ ପାଦ ପଡ଼ି ନଥିଲା। କିନ୍ତୁ ଆଜି ଗ୍ରାମରେ ଆଜି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପାଦରେ ପାହାଡ଼ ଡେଇଁ ଉକ୍ତ ଗ୍ରାମରେ ପହଞ୍ଚି ଥିଲେ। ଗ୍ରାମରେ ବିଧାୟକ ପହଁଚିବା ପରେ ଗ୍ରାମବାସୀ ମାନେ ନାମ ସଂକୀର୍ତ୍ତନ କରି ତାଙ୍କୁ ପାଛୋଟି ନେଇଥିଲେ। ଗ୍ରାମର ମହିଳା ମାନେ ଗ୍ରାମର ଦୁଃଖକୁ ବିଧାୟକଙ୍କ ପାଖରେ ବଖାଣି ଥିଲେ। ବେତର ଗ୍ରାମବାସୀଙ୍କ ଦୁଃଖ ଶୁଣିବା ପରେ ବିଧାୟକ ଏହି ସବୁ ସମସ୍ୟା ଖୁବ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇ ପୁଣି ଗ୍ରାମରୁ ଚାଲି ଚାଲି ପାହାଡ଼ ତଳକୁ ଫେରିଥିଲେ।

ସମ୍ବନ୍ଧିତ ଖବର