ବିଧାୟକ-କମିସନର ବିବାଦ!

କଟକଚୌଦ୍ବାର ଅଞ୍ଚଳରେ କମିସନରଙ୍କ ବଦଳି ଦାବି ତେଜିଲା

ସାଂସଦ ସୁବାସ ସିଂହ କହିଲେ, କମିସନର ଭଲ କାମ କରୁଛନ୍ତି
୬୫ଜଣ ବସ୍ତିବାସିନ୍ଦାଙ୍କୁ ପୁଲିସ୍‌ ଗିରଫ କଲା

କଟକ : ସିଏମସି କମିସନର ଅନନ୍ୟା ଦାସ କିଛି ଶୁଣୁନାହାନ୍ତି। ବିଧାୟକଙ୍କୁ ପଚାରୁ ନାହାନ୍ତି। ସିଏ ନିଜକୁ କ’ଣ ଭାବୁଛନ୍ତି….କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ନିକଟରେ ଏଭଳି କ୍ଷୁବ୍ଧ ଆଉ କ୍ଷୋଭଭରା ବକ୍ତବ୍ୟ ରଖି ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ସୃଷ୍ଟି କରିଥିବା ବିବାଦ ଆଉ ବିତର୍କ ଏବେ କଟକ ରାଜନୀତିକୁ ଉଷ୍ମ କରିଛି।

ଗୋଟିଏପଟେ ପ୍ରଭାତଙ୍କ ସମର୍ଥନରେ ଚୌଦ୍ବାର-କଟକ ଅଞ୍ଚଳର ପୂର୍ବତନ କର୍ପୋରେଟର ଓ ଅନେକ ନେତା ମୁହଁ ଖୋଲିବା ସହିତ ସିଏମସି କମିସନରଙ୍କ ବଦଳି ଦାବି କରୁଛନ୍ତି। ଅନ୍ୟପଟେ କିନ୍ତୁ କଟକରେ ଦଳର ବରିଷ୍ଠ ବିଜେଡି ନେତାମାନେ ପ୍ରଭାତଙ୍କୁ ଖୋଲାଖୋଲି ବିରୋଧ କରୁନଥିଲେ ବି ସିଏମସି କମିସନରଙ୍କ ବଦଳି ଦାବିକୁ ସମର୍ଥନ କରୁନାହାନ୍ତି।

ଏଭଳି ବିବାଦ ଭିତରେ ବସ୍ତିବାସିନ୍ଦାଙ୍କ ସମସ୍ୟା ଆଉ ସେଠାରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳକୁ ନେଇ ରାଜ୍ୟସଭା ସାଂସଦ ସୁବାସ ସିଂହ ଆଜି ଆରଡିସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କିନ୍ତୁ ଶ୍ରୀ ସିଂହ ଏ ପ୍ରସଙ୍ଗରେ ମତ ରଖି ସିଏମସି କମିସନର ଅନନ୍ୟା ଦାସଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପ୍ରଭାତଙ୍କୁ ସିଧାସଳଖ ବିରୋଧ କରି ନଥିଲେ ବି ଶ୍ରୀ ସିଂହ କହିଛନ୍ତି ଯେ ଯଦି ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କୌଣସି ଭୁଲ୍ ବୁଝାମଣା ରହିଛି ତେବେ ବର୍ତ୍ତମାନ ସମୟରେ ଏଭଳି ବିବାଦ ନ କରି ତାହାକୁ ଆଲୋଚନା ଭିତ୍ତିରେ ସମାଧାନ କରିବା ଆବଶ୍ୟକ।

ସିଏମସି କମିସନର-ପ୍ରଭାତ ବିଶ୍ବାଳଙ୍କ ମଧ୍ୟରେ ବିବାଦ ସଂପର୍କରେ ସେ କିଛି ଜାଣି ନାହାନ୍ତି ଏବଂ ‌ଏ ସଂପର୍କରେ ସେ କିଛି କହିବା ଠିକ ହେବ ନାହିଁ ବୋଲି କହିଛନ୍ତି ନଗର ବିଜେଡି ସଭାପତି ମଧୁସୂଦନ ସାହୁ।

ଅନ୍ୟପଟେ , ନୂଆପଡ଼ା ବାଲିସାହିରେ ପୁଲିସ-ବସ୍ତିବାସିନ୍ଦା ମୁହାଁମୁହିଁ ଘଟଣାରେ ମଧୁପାଟଣା ଥାନା ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବସ୍ତିବାସିନ୍ଦାଙ୍କ ବିରୋଧରେ ଦୁଇଟି ପୃଥକ ଅପରାଧିକ ମାମଲା ରୁଜୁ କରାଯାଇଛି। ମୋଟ ୬୫ ଜଣ ବସ୍ତିବାସିନ୍ଦାଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଅଛନ୍ତି।

ସମ୍ବନ୍ଧିତ ଖବର