ରାଜନଗର: ରାଜନଗରର ବିଜେଡି ବିଧାୟକ ଧ୍ରୁବଚରଣ ସାହୁ ଆଜି ଗେରୁଆ ପୋଷାକରେ ଜୟ ଶ୍ରୀରାମ, ଜୟ ହନୁମାନ ନାରା ଦେଇ ୧୦ କିମି ହିନ୍ଦୁ ଏକତା ଶୋଭାଯାତ୍ରାରେ ସାମିଲ ହେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଓଡ଼ିଆ ନୂଆବର୍ଷ ଓ ସଙ୍କଟମୋଚନ ହନୁମାନଙ୍କ ଜୟନ୍ତୀ ପାଳନ ଅବସରରେ ବିଧାୟକଙ୍କ ଏଭଳି ବେଶଭୂଷାକୁ ରାଜନୈତିକ ମହଲରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।
ଓଡ଼ିଆ ନୂଆବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ରାଜନଗର ବ୍ଲକ୍ର ଗୋସିଗାଁ ନିକଟରୁ ଶୋଭାଯାତ୍ରା ବାହାରି ବରଗାଁର ଆରାଧ୍ୟା ଦେବୀ ମା’ ମାଟିଆ ମଙ୍ଗଳାଙ୍କ ପୀଠ ଯାଏଁ ଯାଇଥିଲା। ଯୁବନେତା ଅମରେଶ ପଣ୍ଡା ଓ ସରୋଜ କୁମାର ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଶୋଭାଯାତ୍ରାରେ ବିଜେଡି ବିଧାୟକ ଧ୍ରୁବ ସାହୁ ଖୋଲା ଜିପ୍ରେ ଗେରୁଆ ଉତ୍ତରୀୟ ଓ ଟୋପି ପିନ୍ଧି ସାମିଲ ହୋଇଥିଲେ।
ବିଧାୟକଙ୍କ ସହ ତାଙ୍କ ସମର୍ଥକ ଓ ବ୍ଲକ୍ସ୍ତରୀୟ ନେତାମାନେ ବି ଗେରୁଆ ଉତ୍ତରୀୟ ପକାଇଥିବା ଦେଖାଯାଇଥିଲା। ଡିଜେ ସାଙ୍ଗକୁ ମାଦଳ, ପାରମ୍ପରିକ ବାଦ୍ୟର ତାଳେତାଳେ ଜୟ ଶ୍ରୀରାମ, ଜୟ ହନୁମାନ ନାରା ଦେଇ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏ ସମ୍ପର୍କରେ ବିଧାୟକ ଶ୍ରୀ ସାହୁ କହିଛନ୍ତି, ଆଜି ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଓ ସଙ୍କଟମୋଚନ ହନୁମାନଙ୍କ ଜନ୍ମଦିନ। ଏହି ଦିନ ଅଞ୍ଚଳର ଆରାଧ୍ୟ ଦେବୀ ମା’ ମାଟିଆ ମଙ୍ଗଳାଙ୍କ ପୀଠରେ ପ୍ରତିବର୍ଷ ପାର୍ବଣ ମଧ୍ୟ ପାଳନ କରାଯାଏ। ରାଜନଗର ଓ ପଟ୍ଟାମୁଣ୍ଡାଇବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ଦର୍ଶନ ସହ ଓଡ଼ିଆ ନୂଆବର୍ଷକୁ ଧୁମଧାମ୍ରେ ପାଳନ ପାଇଁ ସେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ କିଛି ରାଜନୀତି ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ, ବିଜେଡିରେ ଅସ୍ଥିରତା ସମୟରେ ବିଧାୟକଙ୍କ ଗେରୁଆ ଅବତାର ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/15/HJoXWtTvdfCwc2DPWZVV.jpg)