କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇବା ମାମଲା : ଜିଲ୍ଲା ଯନ୍ତ୍ରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ବିଧାୟକଙ୍କ ସମର୍ଥନରେ ବାହାରିଲା ଓବିସି ମଞ୍ଚ

ବଲାଙ୍ଗୀର : ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ରାସ୍ତା ଉପରେ ଉଠବସ କରାଇବା ଘଟଣାକୁ ନେଇ ଚର୍ଚ୍ଚା ଥମୁନି। ଗତ ଚାରି ଦିନ ହେଲା ଆଦିବାସୀ ସଂଘ ବିଧାୟକଙ୍କ ଗିରଫ ଦାବି କରି ଆନ୍ଦୋଳନ ଚଲାଇଛି । ଜିଲ୍ଲା ଯନ୍ତ୍ରୀ ସଂଘ ଗତ ତିନି ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି। ସେପଟେ ଘଟଣାର ତଦନ୍ତ କରିଥିବା ଉପଜିଲ୍ଲାପାଳ (ଦାୟିତ୍ୱରେ ଥିବା ଅଧିକାରୀ) ପଦ୍ମନାଭ ପୁରୋହିତ ଓ ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା ଇତିମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇ ସାରିଛନ୍ତି। ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ରିପୋର୍ଟରେ ଦର୍ଶାଯାଇଥିବା ଜଣାପଡ଼ିଛି।

ବିଧାୟକଙ୍କ ସପକ୍ଷରେ ବାହାରିଛି ପାଟଣାଗଡ଼ ଅନ୍ୟାନ୍ୟ ପଛୁଆ ବର୍ଗ ମଞ୍ଚ। ବିଧାୟକଙ୍କ ବିରୋଧରେ ଆଦିବାସୀ ସଂଘ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ରାଜନୈତିକ ପ୍ରଣୋଦିତ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ଆଦିବାସୀ ସଂଘ ପକ୍ଷରୁ ଖପ୍ରାଖୋଲ, ବେଲପଡ଼ା ଓ ଅନ୍ୟ କେତେକ ଥାନାରେ ଦିଆ ଯାଇଥିବା ଏତଲାରେ ବିଧାୟକ ଶ୍ରୀ ମେହେରଙ୍କୁ ଏସସିଏସଟି ଆକ୍ଟ ଅନୁଯାୟୀ ତୁରନ୍ତ ଗିରଫ କରିବା, ଜେଇଙ୍କ ପରିବାରକୁ ସୁରକ୍ଷା ଯୋଗାଇବା, ଘଟଣା ସମୟରେ ଉପସ୍ଥିତ ରହି ବିଧାୟକଙ୍କୁ ଉସୁକାଉଥିବା ବ୍ୟକ୍ତିମାନଙ୍କ ବିରୋଧରେ ମଧ୍ୟ ଏଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରିବା, ଜେଇଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଏଟ୍ରୋସିଟି ମାମଲା ଦାଏର କରାଯିବା ଆଦି ଉଲ୍ଲେଖ କରାଯାଇଛି।

ପାଟଣାଗଡ଼ ଅନ୍ୟାନ୍ୟ ପଛୁଆ ବର୍ଗ ମଞ୍ଚ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ବିଧାୟକ ଶ୍ରୀ ମେହେର ଜେଇ ଶବରଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଘଟଣା ଯଦି ସତ ତାହେଲେ ଓବିସି ମଞ୍ଚ ବିଧାୟକଙ୍କ ଏପରି କାର୍ଯ୍ୟକୁ ସମର୍ଥନ କରୁ ନାହିଁ। କିନ୍ତୁ ଜାତିଆଣ ଆକ୍ଷେପ ନାମରେ ତାଙ୍କ ବିରୋଧରେ ଅଯଥା ରାଜନୈତିକ ଷଡ଼୍‌ଯନ୍ତ୍ରକୁ ଓବିସି ମଞ୍ଚ ଭର୍ତ୍ସନା କରୁଛି।

ସମ୍ବନ୍ଧିତ ଖବର