ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ମେଡିକାଲ ନେଲେ ବିଧାୟକ ମନୋହର ରନ୍ଧାରୀ

ନବରଙ୍ଗପୁର: ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ | ଯାହାଫଳରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ମେଡିକାଲରେ ଭର୍ତ୍ତି କଲେ ବିଧାୟକ | ନବରଂଗପୁରର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆଜି କିଛି ଏଭଳି କରି ପ୍ରଶଂସା ସାଉଣ୍ଟିଛନ୍ତି | ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ପାପଡାହାଣ୍ଡିର ଏକ ଗାଁକୁ ବିଧାୟକ ଜଣକ ଯାଇଥିବାବେଳେ ଜଣେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିବାର ଜାଣିବାକୁ ପାଇଥିଲେ | ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା |

ବିଧାୟକ ସମୟ ବିଳମ୍ବ ନ କରି ନିଜ ସହକର୍ମୀଙ୍କ ସହ ମିଶି ୬ କିଲୋମିଟର ପାହାଡି ରାସ୍ତାରେ ଗର୍ଭବତୀଙ୍କୁ ଭାରରେ ବୋହି ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ | ତେବେ ଏହା ପ୍ରଥମ ଘଟଣା ନୁହେଁ | ପୂର୍ବରୁ ମଧ୍ୟ ହାତରେ କୋଦାଳ ଧରି ବର୍ଷାରେ ଭିଜି ବିଧାୟକ ରାସ୍ତା ମରାମତି କରିଥିଲେ ।

ବିଧାୟକ ହେଲେ ମଧ୍ୟ ହାତରେ କୋଦାଳ ଧରି ମୋରମ ପକାଇ ରାସ୍ତାକୁ ଯାତାୟତ ଉପଯୋଗୀ କରିବାକୁ ଉଦ୍ୟମ କରିଥିଲେ । ଉଲ୍ଲେଖଯୋଗ୍ୟ ଡାବୁର୍ଗା ନିର୍ବାଚନ ମଣ୍ଡଳୀର ୧୦୫ଟି ଗାଁଆକୁ ପକ୍କା ରାସ୍ତା ନାହିଁ । ବିଶେଷ ଭାବରେ ମୈଦଲପୁର ପଂଚାୟତର ୨୦ଟି ଗାଆଁକୁ ଜମା ରାସ୍ତା ନଥିବା ବିଧାୟକଙ୍କ ନଜରକୁ ଆସିଥିଲା ଏବଂ ସେହି ରାସ୍ତା ଚିହ୍ନଟ କରି ମରାମତି ପାଇଁ ପ୍ରଶାସନକୁ ବିଧାୟକ କିଛି ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ |

ସମ୍ବନ୍ଧିତ ଖବର