ଚଢ଼େଇଧରା: ଯାଜପୁରର ଧର୍ମଶାଳା ତହସିଲ ଅଞ୍ଚଳରେ ବାଲି, ମାଟି, ମୋରମ ଓ କଳାପଥର ଖୋଳି ଲୁଟ୍ତରାଜ ଚଳାଇ ଆସୁଥିଲେ ମାଫିଆ। ଲଘୁଖଣିଜ ସୈରାତଗୁଡ଼ିକରୁ ବେଆଇନ ଖନନ ଓ ପରିବହନ କରୁଥିଲେ। ଏବେ ସରକାର ପରିବର୍ତ୍ତନ ପରେ ସେମାନଙ୍କ ମନରେ ଛନକା ପଶିଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରଶାସନ ଖଣି ଓ ଲଘୁ ଖଣିଜ ନିର୍ଦ୍ଦେଶକଙ୍କୁ ପତ୍ର ଲେଖିବାପରେ ଏବେ ବିଭିନ୍ନ ସମୟ ପରେ ଚଢ଼ଉ ଜାରିରହିଛି। ଧର୍ମଶାଳା ଭବନ ଓ ବଲ୍ଲେ ବଲ୍ଲେ ଢାବା ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ପୋଷଣ ପରେ ଏହି ପଦକ୍ଷେପ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଧାୟକ ଶ୍ରୀ ସାହୁ ବେଆଇନ ଲଘୁ ଖଣିଜ ପଦାର୍ଥ ଖନନ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବକେୟା ଜରିମାନା ଆଦାୟ ପାଇଁ ପ୍ରଶାସନକୁ ପତ୍ର ଲେଖିଥିଲେ। ବେଆଇନ ଖାଦାନ ଓ ପାହାଡ଼ ନିକଟରେ ଥିବା ମେଗା କ୍ରସରଗୁଡ଼ିକ ଦ୍ବାରା ଏହି କେଳଙ୍କାରୀ ଚାଲିଆସିଛି। ଅନେକ କ୍ରସର ବେଆଇନ ଭାବେ ଶହଶହ ଟନ୍ କଳାପଥର ଗଚ୍ଛିତ ରଖିଛନ୍ତି। ପ୍ରଶାସନ ପକ୍ଷରୁ କ୍ରସର ଲାଗି କରାଯାଇଥିବା ଦଶଟି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ଖଣି ବିଭାଗକୁ କହିଥିଲେ। ବିଧାୟକଙ୍କ ଚିଠି ପରେ ଏବେ ପ୍ରଶାସନ ପକ୍ଷରୁ କ୍ରସରଗୁଡ଼ିକ ଉପରେ ଚଢ଼ଉ କରାଯାଉଛି। ବିଛାଖଣ୍ଡି, ବାଲିସାହି, ମକୁନ୍ଦପୁର, କୁସୁନପୁର, ଡଙ୍କାରୀ, ବାରମାଣ, ବରଡ଼ା, ବାଜବାଟୀ, ମାଣ୍ଡିଆ ଓ ଆରୁହା ମୌଜାରେ ଥିବା କ୍ରସରଗୁଡ଼ିକ ଉପରେ ଖଣି ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ପକ୍ଷରୁ ଗତ ସପ୍ତାହେ ହେଲା ଚଢ଼ଉ ହେଉଛି।
ଅଧିକ କଳାପଥର ଗଚ୍ଛିତ ଥିବା କ୍ରସରଗୁଡ଼ିକୁ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଛି। କାଗଜପତ୍ର ଯାଞ୍ଚ ପରେ ପ୍ରାୟ ଚାଳିଶରୁ ଊର୍ଦ୍ଧ୍ବ କ୍ରସର ଚାଲିବାକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ କିଛି କ୍ରସରକୁ କାରଣଦର୍ଶାଅ ନୋଟିସ ଏବଂ ଜରିମାନା କରାଯାଇଥିବା ସୂଚନା ମିଳିଛି। ତେବେ, ଅତ୍ୟଧିକ କଳାପଥର ଖନନ କରିଥିବା ଲିଜ୍ଧାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ କରାଯାଇଥିବା ୩୦୦ କୋଟି ଟଙ୍କାର ରାଜସ୍ୱ ବାକି ରହିଛି। ଖଣି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ସାହୁ ଦୃଷ୍ଟିଆକର୍ଷଣ କରିଛନ୍ତି। ଖୁବ୍ଶୀଘ୍ର ପ୍ରଶାସନିକ ତଦନ୍ତ ପରେ ଆଇନ ଅନୁସାରେ ବୈଧ ଥିବା କ୍ରସର ଓ ଖାଦାନ ଚଳାଇବାକୁ ବ୍ୟବସ୍ଥା କରାଯିବା ସହ ବେଆଇନ ଖନନ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।