ବାଣପୁର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲ୍ ଖାଦ୍ୟ ଖାଇଛନ୍ତି। ବୁଧବାର ସକାଳେ ବିଧାୟକ ୬ଟା ୧୫ ମିନଟ୍ରେ ଉଠି ନିତ୍ୟକର୍ମ ସାରିବା ସହିତ ଚୁଡା ଓ ସନ୍ତୁଳା ଖାଇଛନ୍ତି। ଦ୍ବିପ୍ରହର ସମୟରେ ମଧ୍ୟ ଜେଲ୍ ଖାଦ୍ୟ ଗ୍ରହଣ କରିଛନ୍ତି। କାରାଗାର କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ମଧ୍ୟାହ୍ନରେ ବାଣପୁର ଡାକ୍ତରଖାନାର ଡାକ୍ତର ରାକେଶ କୁମାର ମହାରଣା କାରାଗାରରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଛନ୍ତି। ବିଧାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାଇଛନ୍ତି।
ଗତକାଲି ରାତିରେ ବାଣପୁର ପୁଲିସ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ଜେଏମଏଫସିଙ୍କ କୋର୍ଟରେ ହାଜର କରିବା ପରେ ଜେଏମ୍ଏଫସି ସିଦ୍ଧାର୍ଥ ଶଙ୍କର ସେନାପତି ତାଙ୍କ ଜାମିନ୍ ଆବେଦନକୁ ନାମଞ୍ଜୁର କରିଦେଇଥିଲେ। ତାଙ୍କୁ ଏପ୍ରିଲ୍ ଦୁଇ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଥିଲେ । ତେବେ, ବିଧାୟକଙ୍କ ବହୁମୁଖୀ ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ଜେଲ୍ର ଚିକିତ୍ସା ଅଧିକାରୀ ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାସହ ଜଣେ ଆଟେଣ୍ତାଣ୍ଟଙ୍କୁ ନିଯୁକ୍ତି କରିବା ପାଇଁ କୋର୍ଟ ସୁପରିନଟେଣ୍ଡେଣ୍ଟଙ୍କୁ ଆଦେଶ ଦେଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୧୨ ତାରିଖରେ ବାଣପୁରରେ ବ୍ଳକ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ବିଧାୟକଙ୍କ ବେପରୁଆ ଗାଡି ଚାଳନାରେ ବହୁ ବିଜେପି କର୍ମୀ ଏବଂ ପୁଲିସ ଅଧିକାରୀ ଆହତ ହୋଇଥିଲେ। ବିଜେପି କର୍ମୀଙ୍କ ପାଲଟା ଆକ୍ରମଣରେ ବିଧାୟକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଆହତ ବିଧାୟକଙ୍କୁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ବର ପଠାଇଥିବା ବେଳେ ଦୁଇଟି ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ସେ ଚିକିତ୍ସାଳୟରୁ ଡିସଚାର୍ଜ ହେବାପରେ ବାଣପୁର ପୁଲିସ ତାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ବିଳମ୍ବିତ ରାତିରେ ପୁଲିସ ବିଧାୟକଙ୍କୁ ବାଣପୁର ଜେଏମଏଫସିଙ୍କ କୋର୍ଟରେ ହାଜର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/jagadish-in-jail.jpg)
