ପୁଣି ଜେଲ୍‌ଗଲେ ବିଧାୟକ ଜଗଦ୍ଦେବ

ବାଣପୁର : ଗତ ମାର୍ଚ୍ଚ ୧୨ତାରିଖ ବାଣପୁର ବ୍ଳକ୍‌ କାର୍ଯ୍ୟାଳୟରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସୋମବାର ଦିନ ପୁଣିଥରେ ଜେଲ୍‌ ଯାଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାଣପୁର ବିଚାର ବିଭାଗୀୟ ଅଦାଲତରେ ଆତ୍ମସମର୍ପଣ କରିବାପରେ ତାଙ୍କୁ ବାଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି।

ଏହି ଘଟଣାରେ ଗତ ମାର୍ଚ୍ଚ ୨୨ ଦିନ ପୁଲିସ ବିଧାୟକ ଶ୍ରୀଜଗଦ୍ଦେବଙ୍କୁ ଗିରଫ କରିବା ସହ ବାଣପୁର କୋର୍ଟରେ ହାଜର କରିଥିଲା। ଜେଏମ୍‌ଏଫ୍‌ସି ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ବାଣପୁର ସବ୍‌ଜେଲକୁ ପଠାଇ ଦେଇଥିଲେ। ପରେ ସହକାରୀ ଦୌରାଜଜ୍‌ଙ୍କ ଅଦାଲତରେ ମଧ୍ୟ ଜାମିନ ଆବେଦନ ଖାରଜ ହୋଇଯିବାରୁ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତେବେ, ଚଳିତମାସ ୯ ତାରିଖରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବାସହ ସୋମବାର ଦିନ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦ‌େଶ ଦେଇଥିଲେ। ଅଦାଲତଙ୍କ ନିର୍ଦ୍ଦ‌େଶ ମୁତାବକ ଆଜି ମଧ୍ୟାହ୍ନ ସାଢେ ଗୋଟାଏ ସମୟରେ ବିଧାୟକ ଶ୍ରୀ ଜଗଦ୍ଦ‌େବ ବାଣପୁର ଅଦାଲତରେ ଆତ୍ମସମର୍ପଣ କରିଥିଲେ। ନ୍ୟାୟିକ ପ୍ରକ୍ରିୟା ଶେଷ ହେବାପରେ ବିଧାୟକଙ୍କୁ ପୁଣିଥରେ ବାଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର