ପ୍ରତିଶ୍ରୁତି ରଖିଲେ ବିଧାୟକ, ୪୮ ଘଣ୍ଟା ମଧ୍ୟରେ ଗାଁରେ ଜଳିଲା ବିଜୁଳି ଆଲୁଅ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡ଼ାଲ ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ସେ ଗ୍ରାମବାସୀକୁ ଦେଇଥିବା ପ୍ରତିଶ୍ରୁତି ୪୮ ଘଣ୍ଟା ମଧ୍ୟରେ ପୂରଣ କରିଛନ୍ତି। ଫଳରେ କୋରାପୁଟ ଜିଲ୍ଲା ବୈକାରୀଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲି ପଂଚାୟତର କୋଟାଛକରେ ୫ଟି ଲାଇଟ୍‌ ଜଳିଛି। ବିଛଲକଟା ଗାଁରେ ଗୋଟିଏ, କୁମ୍ଭିଗୁଡ଼ା ଠାରେ ୪ଟି, ମେଷୋଗୁଡ଼ା ଠାରେ ୪ଟି, ଟିଲୁଗଡ଼ା ଠାରେ ୪ଟି ଏବଂ ଉମୁରିଆଗୁଡ଼ା ଠାରେ ୩ଟି ଲାଇଟ୍‌ ଲାଗିଛି।

ସୂଚନାଯୋଗ୍ୟ, ଗତ ୨୬ ତାରିଖ ଦିନ ମହୁଲି ପଞ୍ଚାୟତର ମାଉଲୀ ମା’ ମନ୍ଦିର ପରିସରରେ ବିଜୁ ଜନତା ଦଳ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀ ବିଧାୟକ ରଘୁରାମ ପାଡାଲଙ୍କ ନିକଟରେ ସେମାନଙ୍କ ଗ୍ରାମରେ ବିଜୁଳି ଆଲୁଅ ଯୋଗାଣ ନିମନ୍ତେ ନିବେଦନ କରିଥିଲେ। ବିଧାୟକ ଶ୍ରୀ ପାଡାଲ ଅଳ୍ପ ଦିନ ମଧ୍ୟରେ ଗ୍ରାମ ଗୁଡିକରେ ବିଜୁଳି ଆଲୁଅ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ରମରେ ଆଜି କୋଟା ଛକ ବିଜୁଳି ଆଲୁଅରେ ଝଲସି ଉଠିଛି। ଯାହା ଫଳରେ ପଞ୍ଚାୟତ ବାସୀଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଛି।

ପ୍ରକାଶ ଥାଉ କି, ସନ୍ଧ୍ୟା ପରେ ଅନ୍ଧାରର ସୁଯୋଗ ନେଇ କୋଟା ଛକ ଦେଇ ଯିବା-ଆସିବା କରୁଥିବା ଯାନବାହାନକୁ ଅଟକେଇ ଦୁର୍ବୃତ୍ତ ମାନେ ଲୁଟପାଟ କରୁଥିଲେ। ତେଣୁ କୋଟା ଛକକୁ ବିଦ୍ୟୁତକରଣ କରିବା ପାଇଁ ମହୁଲି ପଞ୍ଚାୟତବାସୀ ବାରଂବାର ଦାବି କରିଆସୁଥିଲେ। କୋଟା ଛକ ସହ ବିଚଲକୋଟା ଠାରେ ଗୋଟିଏ, କୁମ୍ଭିଗୁଡା ଠାରେ ଚାରୋଟି, ମେଷଗୁଡା ଠାରେ ଚାରୋଟି, ଟିଲୁଗୁଡା ଠାରେ ଚାରୋଟି ଏବଂ ଉମୁରିଆଗୁଡା ଠାରେ ତିନୋଟି ସୋଲାର ଲାଇଟ୍ ଯୋଗାଇ ଦିଆଯାଇଛି। କୋଟା ଛକ ସହ ଆଦିବାସୀ ଅଧ୍ୟୁଷିତ ଗାଆଁ ଗୁଡ଼ିକରେ ବିଜୁଳି ଆଲୁଅ ଜଳିଥିବାରୁ ପଞ୍ଚାୟତବାସୀ ସମସ୍ତେ ବିଧାୟକ ଶ୍ରୀ ପାଡଲଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର