ଭୁବନେଶ୍ବର : ପୂର୍ବତନ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମ୍ଏଲ୍ଏ ଲ୍ୟାଡ୍)ରୁ ମଞ୍ଜୁରି ହୋଇଥିବା ପ୍ରକଳ୍ପ ପରବର୍ତ୍ତୀ ସମୟରେ ବଦଳି ପାରିବ କି ନାହିଁ ? ଏମ୍ଏଲ୍ଏ ଲ୍ୟାଡ୍ରୁ ସ୍କୁଲ୍ ଘର ମରାମତି ଓ ନବୀନକରଣ ହୋଇପାରିବ କି ନାହିଁ ? ଏମ୍ଏଲ୍ଏ ଲ୍ୟାଡ୍ରୁ କିଏ ଅର୍ଥ ମଞ୍ଜୁରି କରିବ, ବିଧାୟକ ନା ଜିଲ୍ଲାପାଳ?
ଆଜି ଏମ୍ଏଲ୍ଏ ଲ୍ୟାଡ୍କୁ ନେଇ ଏମିତି ପ୍ରଶ୍ନ ଗଦା କରିଥିଲେ ଶାସକ ଓ ବିରୋଧୀ ଦଳ ବିଧାୟକ। ନବାଗତ ବିଧାୟକ ଲ୍ୟାଡ୍ର ନିୟମାବଳୀ ଜାଣିବାକୁ ଚାହିଁଥିଲେ, ବରିଷ୍ଠ ବି ପ୍ରଶ୍ନ କରିଥିଲେ। ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଗୋଟିଏ ନିୟମ କଥା କହୁଥିଲା ବେଳେ ଜିଲ୍ଲା ପ୍ଲାନିଂ ଅଫିସର୍ ଅଲଗା ନିୟମ କହୁଛନ୍ତି ବୋଲି ବରିଷ୍ଠ ବିଧାୟକ ଅଭିଯୋଗ କରିଥିଲେ।
ଅଧିକାଂଶ ପ୍ରଶ୍ନର ସିଧା ଉତ୍ତର ମନ୍ତ୍ରୀ ଦେଇପାରି ନ ଥିଲେ। ବିଧାୟକମାନେ ଲ୍ୟାଡ୍ କିପରି ଖର୍ଚ୍ଚ ହେବ, ସବୁ ଜାଣିଛନ୍ତି ବୋଲି କହି ମନ୍ତ୍ରୀ ପ୍ରଶ୍ନଗୁଡ଼ିକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଚସ୍ପତି ବାରମ୍ବାର ସ୍ପଷ୍ଟ କରିବାକୁ ମନ୍ତ୍ରୀଙ୍କୁ କହିଲେ। ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ହେଉ ନ ଥିବାରୁ ସେ ଗୋଳଉଛନ୍ତି ବୋଲି ସଭ୍ୟମାନେ କହିଥିଲେ।
ବିଜେପି ସଭ୍ୟ ଜୟନ୍ତୀ ଷଡ଼ଙ୍ଗୀ ପୂର୍ବତନ ସାଂସଦ ଓ ବିଧାୟକଙ୍କ ପାଣ୍ଠିରୁ କେତେ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ପୂର୍ବତନ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅନୁମୋଦିତ ଅର୍ଥରୁ ୯୨.୭୩ ପ୍ରତିଶତ ଖର୍ଚ୍ଚ ହୋଇଛି ଓ ୧,୩୮,୪୧୧ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୂର୍ବତନ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅନୁମୋଦିତ ଅର୍ଥରୁ ୮୪.୦୪ ପ୍ରତିଶତ ଖର୍ଚ୍ଚ ହୋଇଛି। ସାଂସଦ ପାଣ୍ଠି ଓ ବିଧାୟକ ପାଣ୍ଠିରେ ଯଥାକ୍ରମେ ୧୧୪୨ ଓ ୫୩୪୦ଟି ପ୍ରକଳ୍ପ ଆଦୌ ଆରମ୍ଭ ହୋଇ ନାହିଁ।
/sambad/media/post_attachments/wp-content/uploads/2020/02/assembly-1-1-1.jpg)
ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ଷଡ଼ଙ୍ଗୀ ପଚାରିଥିଲେ, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ମଞ୍ଜୁରି ହୋଇ ଧାର୍ଯ୍ୟ ସମୟ ମଧ୍ୟରେ ଆରମ୍ଭ ହୋଇ ନ ଥିବା ପ୍ରକଳ୍ପକୁ ଏବେ ପରିବର୍ତ୍ତନ କରାଯାଇପାରିବ କି ନାହିଁ ? ମନ୍ତ୍ରୀ କହିଥିଲେ, ମଞ୍ଜୁରି ହେବାର ୬ ମାସ ଭିତରେ ଖର୍ଚ୍ଚ େହବା କଥା। ଯଦି ନ ହୋଇଛି, ପ୍ରକଳ୍ପ ପରିବର୍ତ୍ତନ ହୋଇପାରିବ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିଲେ, ଏମ୍ପି ଲ୍ୟାଡ୍ ଅର୍ଥରୁ ମନ୍ଦିର ତିଆରି, ମରାମତି ପାଇଁ ଖର୍ଚ୍ଚ ହୋଇପାରିବ କି ନାହିଁ ? ମନ୍ଦିର ପରିସର ଭିତରେ କୌଣସି କାମ ପାଇଁ ଖର୍ଚ୍ଚ ହୋଇପାରିବ କି ନାହିଁ ? ଲ୍ୟାଡ୍ରୁ ମଞ୍ଜୁରି ହୋଇଥିବା ପ୍ରକଳ୍ପର କାର୍ଯ୍ୟାଦେଶ ସରପଞ୍ଚ କିମ୍ବା ସମିତି ସଭ୍ୟଙ୍କ ନାଁରେ ଦିଆଯାଇପାରିବ କି ?
ମନ୍ତ୍ରୀ କହିଥିଲେ, ମନ୍ଦିର ପାଇଁ ଏମ୍ପି ଲ୍ୟାଡ୍ ଅର୍ଥ ଖର୍ଚ୍ଚ ହୋଇପାରିବ ନାହିଁ। କିନ୍ତୁ ମନ୍ଦିର ପରିସରରେ କମ୍ୟୁନିଟି ସେଣ୍ଟର୍ ପାଇଁ ସାଂସଦମାନେ ଟଙ୍କା ମଞ୍ଜୁରି କରୁଛନ୍ତି। ସରପଞ୍ଚ/ସମିତି ସଭ୍ୟଙ୍କ ନାଁରେ କାର୍ଯ୍ୟାଦେଶ ଦିଆଯାଇପାରିବ ନାହିଁ। ଏମିତି ଦୃଷ୍ଟାନ୍ତ ଆସିଲେ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗଣେଶ ରାମ ଖୁଣ୍ଟିଆ ଓ ଭାଗୀରଥି ସେଠୀ ସ୍କୁଲ୍ ମରାମତି ଓ ନବୀକରଣ ପାଇଁ ଟଙ୍କା ମଞ୍ଜୁରି କଲେ ବି ଜିଲ୍ଲା ପ୍ଲାନିଂ ମେମ୍ବର ତାହାକୁ ମନା କରିଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ମନ୍ତ୍ରୀ କହିଥିଲେ, ସ୍କୁଲ୍ ମରାମତି ଓ ନବୀକରଣ ପାଇଁ ଅର୍ଥ ଦିଆଯାଇପାରିବ। ପ୍ଲାନିଂ ମେମ୍ବର ମନା କରିପାରିବେନି। ବିଧାୟକମାନେ ଏ ନେଇ ଲେଖିକି ଦିଅନ୍ତୁ, ପଦକ୍ଷେପ ନିଆଯିବ। ବିଜେଡି ସଭ୍ୟ ପ୍ରଦୀପ ଅମାତ କହିଥିଲେ, ଏମ୍ଏଲ୍ଏ ଲ୍ୟାଡ୍ରୁ ପ୍ରକଳ୍ପ ମଞ୍ଜୁରୀ କର୍ତ୍ତୃପକ୍ଷ କିଏ ଜିଲ୍ଲାପାଳ ନା ବିଧାୟକ ? ମନ୍ତ୍ରୀ କହିଥିଲେ, ବିଧାୟକମାନେ ପ୍ରସ୍ତାବ ଦେବେ, ଜିଲ୍ଲାପାଳ ମଞ୍ଜୁରି କରିବେ। ସୌଭିକ ବିଶ୍ବାଳ ଅତିରିକ୍ତ ପ୍ରଶ୍ନ କରିଥିଲେ।