ବିଧାୟକ ମୋକିମ୍‌ଙ୍କ ଦ୍ବିତୀୟ ଆବେଦନ ବି ଖାରଜ

ରୋଚକ ମୋଡ଼ ନେଉଛି ବାରବାଟୀ-କଟକ ନିର୍ବାଚନୀ ମାମଲା

କଟକ : ରୋଚକ ମୋଡ଼ ନେଉଛି ବାରବଟୀ-କଟକ ନିର୍ବାଚନୀ ମାମଲା। ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଦ୍ବିତୀୟ ଅ‌ାବେଦନ ବି ଖାରଜ ହୋଇଯାଇଛି।

ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରା‌ୟ ରୁଜୁ କରିଥିବା ନିର୍ବାଚନୀ ମୋକଦ୍ଦମାକୁ ଖାରଜ ପାଇଁ ବିଧାୟକ ଆବେଦନ କରିଥିଲେ। ଜନ ପ୍ରତିନିଧି ଆଇନର ଧାରା ୧୧୭ ପାଳନ ହୋଇ ନଥିବାରୁ ଧାରା ୮୬(୧) ଅନୁସାରେ ନିର୍ବାଚନୀ ମୋକଦ୍ଦମା ଖାରଜ କରାଯାଉ ବୋଲି ଦର୍ଶାଇ ଶ୍ରୀ ମୋକିମଙ୍କ ତରଫରୁ ଏକ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା। ଧାରା ୧୧୭ ଅନୁସାରେ ନିର୍ବାଚନ ମୋକଦ୍ଦମା ଦାଖଲ ସମୟରେ ଦୁଇ ହଜାର ଟଙ୍କା ସିକ୍ୟୁରିଟି ଡିପୋଜିଟ କରାଯିବା କଥା। ଆବେଦନକାରୀଙ୍କ ପକ୍ଷରୁ ୨୦୧୯, ଜୁଲାଇ ୩ରେ ହାଇକୋର୍ଟରେ ୨ ହଜାର ଟଙ୍କା ଜମା କରାଯିବା ନେଇ ଦାଖଲ କରାଯାଇଥିବା ଚାଲାଣକୁ ନେଇ ଶ୍ରୀ ମୋକିମଙ୍କ ଅନ୍ତରୀଣ ଆବେଦନରେ ପ୍ରଶ୍ନ ଉଠାଯାଇଥିଲା। ୨୦୧୯, ଜୁଲାଇ ୩ରେ ୨ହଜାର ଟଙ୍କା ଜମା କରାଯାଇଛି କି ନାହିଁ ଏବଂ ଏ ନେଇ ସେହିଦିନ ଚାଲାଣ ଜାରି କରାଯାଇଥିଲା କି ନାହିଁ, ସେ ନେଇ ରିପୋର୍ଟ ଦେବାକୁ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ହାଇକୋର୍ଟ କହିଥିଲେ।

ହାଇକୋର୍ଟଙ୍କ ଟିପ୍ପଣୀ: ମାମଲା ବିଳମ୍ବ ପାଇଁ ଏଭଳି କରାଯାଉଛି

ରିପୋର୍ଟରୁ ୨୦୧୯, ଜୁଲାଇ ୩ରେ ୨ ହଜାର ଟଙ୍କା ନିର୍ବାଚନୀ ମୋକଦ୍ଦମାର ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କ ତରଫରୁ ଜମା କରାଯାଇଥିବା ଏବଂ ସେହିଦିନ ଏ ସଂପର୍କିତ ଚାଲାଣ ଜାରି କରାଯାଇଥିବା ସ୍ପଷ୍ଟ ହୋଇଥିଲା। ନିର୍ବାଚନ ମୋକଦ୍ଦମାର ଆବେଦନ ସହିତ ଏହି ଚାଲାଣ ସଂଲଗ୍ନ କରି ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏଭଳି ସ୍ଥିତିରେ ଧାରା ୧୧୭ର ପାଳନ କରାଯାଇ ନଥିବା ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଶ୍ରୀ ମୋକିମଙ୍କ ଅନ୍ତରୀଣ ଆବେଦନକୁ ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଖାରଜ କରିଛନ୍ତି। ପୂର୍ବରୁ ସିପିସିର ଅର୍ଡର ୭, ରୁଲ ୧୧ ଅନୁସାରେ ବିଧାୟକ ଏକ ପିଟିସନ ଦାୟର କରି ଏହି ନିର୍ବାଚନୀ ମୋକଦ୍ଦମା ଗ୍ରହଣଯୋଗ୍ୟ ନୁହେଁ, ଏହାକୁ ଖାରଜ କରାଯାଉ ବୋଲି ଦର୍ଶାଇ ଦାୟର କରିଥିବା ଅନ୍ତରୀଣ ଆବେଦନ ୨୦୨୨, ଜୁନ୍‌ ୨୦ରେ ହାଇକୋର୍ଟ ଖାରଜ କରିଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦାୟର ଆବେଦନକୁ ସୁପ୍ରିମକୋର୍ଟ ଜୁଲାଇ ୨୯ରେ ଖାରଜ କରିଥିଲେ। ନିର୍ବାଚନୀ ମୋକଦ୍ଦମାର ଶୁଣାଣିରେ ବିଳମ୍ବ କରିବା ଉଦ୍ଦେଶ୍ୟ ନେଇ ଉପରୋକ୍ତ ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା ବୋଲି ହାଇକୋର୍ଟ କହିଛନ୍ତି। ଅକ୍ଟୋବର ୧୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ପରାଜିତ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏହି ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ମୋକଦ୍ଦମା ଦାୟର କରିଥିଲେ। ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ମାମଲା ପରିଚାଳନା କରୁଥିବା ବେଳେ ସିଦ୍ଧାର୍ଥ ଦାସ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର