କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିଲେ ବିଧାୟକ ମୋକିମ୍

ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା କାରଣରୁ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ଗତକାଲି ଶ୍ରୀ ମୋକିମ୍ ଏହି ନୋଟିସ୍‌ର ଜବାବ ପିସିସି ସଭାପତିଙ୍କୁ ପଠାଇ ଦେଇଛନ୍ତି। କାରଣ ଦର୍ଶାଅ ନୋଟି୍‌ସର ଉତ୍ତରରେ କ’ଣ ଲେଖିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଶ୍ରୀ ମୋକିମ୍ ‘ସମ୍ବାଦ’କୁ କହିଛନ୍ତି ଯେ ୨ ସପ୍ତାହ ଭିତରେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିବାକୁ କୁହାଯାଇଥିଲା। ଗତକାଲି ସଭାପତିଙ୍କୁ ଉତ୍ତର ପଠାଇ ଦେଇଛି। ଦଳ ପକ୍ଷରୁ ପରବର୍ତୀ କୌଣସି ସୂଚନା ଆସିନାହିଁ। ଅପରପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ମୋକିମ୍‌ଙ୍କ ଚିଠି ଆଜି ପାଇଛି। ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଲେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକମାଣ୍ଡଙ୍କୁ ପଠାଇବାକୁ ପଡ଼ିଥାଏ। ତେଣୁ ଖୁବଶୀଘ୍ର ତାଙ୍କର ଜବାବ ହାଇକମାଣ୍ଡଙ୍କୁ ପଠାଯିବ।

ଉଲ୍ଲେଖ ଯେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୋଧରେ ଯାଇ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମଙ୍କୁ ଭୋଟ୍ ଦେଇଥିଲେ। ଏ ସଂପର୍କରେ ସେ ନିଜେ ଗଣମାଧ୍ୟମରେ ସୂଚନା ଦେଇଥିଲେ। କହିଥିଲେ ଯେ ଜଣେ ଓଡ଼ିଆ ଭାବେ ଓ ନି‌ଜ ବିବେକ ଅନୁଯାୟୀ ଭୋଟ୍ ଦେଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ହ୍ବିପ୍ ଜାରି ହୋଇ ନ ଥାଏ। ‌ଯେହେତୁ ଜଣେ ଓଡ଼ିଆ ଭାବେ ଏହି ନିଷ୍ପତ୍ତି ନେଇଛି ତେଣୁ ଦଳ ମଧ୍ୟ ଏହାକୁ ଏହାକୁ ଭିନ୍ନ ଚକ୍ଷୁରେ ଦେଖିବ ନାହିଁ। ତେବେ ଏହାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଥିଲା। ଗତମାସ ୨୨ତାରିଖରେ ପିସିସି ସଭାପତି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। କଂଗ୍ରେସ ମିଡିଆ ସେଲ୍‌ର ଆବାହକ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ। ମୋକିମ ନିୟମିତ ଭାବେ ଗଣମାଧ୍ୟମରେ କଂଗ୍ରେସ ଦଳର ନିଷ୍ପତ୍ତି ଓ କାର୍ଯ୍ୟକ୍ରମକୁ ବଦନାମ କରିବା ପାଇଁ ପ୍ରଚାର ଚଳେଇଛନ୍ତି। ଏଭଳି କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତାହାର ଉତ୍ତର ଦୁଇ ସପ୍ତାହ ଦେବାଲାଗି ନୋଟିସ୍‌ରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର