ଯାଜପୁର: ଯାଜପୁର ଜିଲ୍ଲାର ବିକାଶ ଓଡ଼ିଶାର ମଡେଲ୍ ବୋଲି ବିଗତ ସରକାର ସମୟରେ ବେଶ୍ ଚର୍ଚ୍ଚା ହେଉଥିଲା। ହେଲେ ଡିଏମ୍ଏଫ୍ଠାରୁ ଆରମ୍ଭ କରି ସାଂସଦ ଓ ବିଧାୟକ ପାଣ୍ଠି ବାବଦରେ କୋଟି କୋଟି ଟଙ୍କା ବ୍ୟୟ ନ ହୋଇ ପଡ଼ିରହିଛି। ଯାହାକି ଜିଲ୍ଲାର ବିକାଶରେ ବାଧକ ସାଜିଛି। ୧୯୯୭ ମସିହାରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଓ ୧୯୯୩ ମସିହାରେ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଆରମ୍ଭ କରାଯାଇଥିଲା। ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ବିକାଶ ପାଇଁ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଏବେ ବର୍ଷକୁ ୫ କୋଟି ଟଙ୍କା ମିଳୁଥିବାବେଳେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ପାଇଁ ୩ କୋଟି ଟଙ୍କା ମିଳୁଥିଲା। ଚଳିତ ବର୍ଷ ବଜେଟ୍ରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଇଛି। କିନ୍ତୁ ଯାଜପୁର ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ନିଜ ଅଞ୍ଚଳର ବିକାଶ ପାଇଁ ପ୍ରତି ବର୍ଷ ପାଉଥିବା ପାଣ୍ଠିକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ଜିଲ୍ଲାର ସମୁଦାୟ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା କ୍ଷେତ୍ରରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୭୭୮୭.୫୨ ଲକ୍ଷ ଟଙ୍କା ଓ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୨୧୮୫.୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇ ପାରିନାହିଁ।
୨୦୧୪-୧୫ ଆର୍ଥିକ ବର୍ଷଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଜିଲ୍ଲାରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବାବଦରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ତରଫରୁ ମୋଟ ୧୪୭୦୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଏଥିମଧ୍ୟରୁ ୧୨୮୨୧.୬୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୬୯୧୨.୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅବଶିଷ୍ଟ ୭୭୮୭.୫୨ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ସେହିପରି ଯାଜପୁର ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ୨୦୧୪-୧୫ରୁ ୨୦୨୪-୨୫ ବର୍ଷ ପର୍ଯ୍ୟନ୍ତ ୭୭୭୯.୪୫ ଲକ୍ଷ ଟଙ୍କା ଅନୁଦାନ ଆସିଛି। ଏହି ଅନୁଦାନ ବ୍ୟାଙ୍କରେ ଜମା ହେବା ପରେ ସୁଧ ବାବଦରେ ୭୫.୫୧ ଲକ୍ଷ ଟଙ୍କା ମିଳିଛି। ମୋଟ ୭୮୫୪.୯୫ ଲକ୍ଷ ଟଙ୍କା ମଧ୍ୟରୁ ୭୨୦୬.୪୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଏଥିରୁ ୫୬୬୯.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୧୮୫.୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପାରିନାହିଁ। ରାସ୍ତାଘାଟ, ବିଦ୍ୟୁତ୍କରଣ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାଳୟ ପାଚେରି ନିର୍ମାଣ, ପାନୀୟ ଜଳ, ନଳକୂପ ଖନନ, ଶ୍ମଶାନଗୃହ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ପୋଖରୀ ପାହାଚ ନିର୍ମାଣ, ପୋଖରୀ ପୁନରୁଦ୍ଧାର, ଡ୍ରେନ୍, କଲଭର୍ଟ, ଉଦ୍ୟାନ ଉନ୍ନତି, ପାଠାଗାର, କଲ୍ୟାଣମଣ୍ଡପ, ଭାଗବତଘର ଓ ପୁରାତନ ଧାର୍ମିକପୀଠଗୁଡ଼ିକର ପୁନରୁଦ୍ଧାର ଇତ୍ୟାଦି କାର୍ଯ୍ୟରେ ବିଧାୟକ ଓ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବିନିଯୋଗ କରାଯିବାର ବ୍ୟବସ୍ଥା ରହିଛି। ଅନୁଦାନ ଖର୍ଚ୍ଚ ନ ହୋଇ ପଡ଼ିରହିଥିବାବେଳେ ଲୋକମାନଙ୍କ ସମସ୍ୟା ସମାଧାନ ଓ ବିକାଶ ପାଇଁ ଆନ୍ତରିକା ପ୍ରକାଶ କରାଯାଉନଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।