ବିଜେଡିରୁ ଲଢ଼ିବେ ନବ

ମୁଁ ବି ଶୁଣୁଛି: ନିରଞ୍ଜନ

ଝାରସୁଗୁଡ଼ା/କୋଲାବିରା : ୨୦୧୯ ନିର୍ବାଚନ ସେ କଂଗ୍ରେସ ଦଳରୁ ଲଢ଼ିବେ ବୋଲି ଗତ ୧୧ ତାରିଖରେ ଭୁବନେଶ୍ବରରେ ଗଣମାଧ୍ୟମକୁ କହିଥିଲେ ଝାରସୁଗୁଡ଼ା ବିଧାୟକ ନବ ଦାସ। ଦୁଇଟା ଦିନ ପରେ ଆଜି କୋଲାବିରା ବ୍ଲକ ସମାସିଂହାରେ ଓଲଟା କଥା କହିଛନ୍ତି। ୨୦୧୯ରେ ହାତ ନୁହେଁ, ଶଙ୍ଖ ଚିହ୍ନରେ ଲଢ଼ିବେ ବୋଲି ସାଧାରଣ ସଭାରେ ଘୋଷଣା କରିଛନ୍ତି। ଏହାପରେ ଝାରସୁଗୁଡ଼ା ରାଜନୀତିରେ ପୁଣି ହଲଚଲ୍‌ ସୃଷ୍ଟି ହୋଇଛି।

ବିଜେଡିରେ ଯୋଗଦାନ ନେଇ ନବ ଲୋକଙ୍କୁ ବାରମ୍ବାର ଦ୍ବନ୍ଦ୍ବରେ ପକାଉଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଉତ୍କଣ୍ଠା ବଢ଼ିଚାଲିଛି। ସୂଚନାଯୋଗ୍ୟ ଗତମାସ ୨୬ ତାରିଖରେ ନବ ବିଜେଡିରେ ଯୋଗ ଦେବେ ବୋଲି ଜୋରସୋର ଚର୍ଚ୍ଚା ହୋଇଥିଲା। ନିଜେ ନବ ବିଭିନ୍ନ କର୍ମୀ ସମ୍ମିଳନୀରେ ବିଜେଡିକୁ ଯିବା ଲାଗି ନିଜ କର୍ମୀଙ୍କ ମତାମତ ସଂଗ୍ରହ କରିଥିଲେ। ମାତ୍ର ଛତିଶଗଡ଼ ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପରେ ଏହି ଚର୍ଚ୍ଚାରେ ନିଜେ ପୂର୍ଣ୍ଣ‌ଚ୍ଛେଦ ଟାଣିଦେଲେ। ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସେ କଂଗ୍ରେସ ଛାଡ଼ିବା ପ୍ରଶ୍ନ ଉଠୁନି ବୋଲି ଘୋଷଣା କ‌ଲେ। ଏହାପରେ ଆଜି ପୁଣି ନିଜେ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ବିଜେଡି ଯିବା ନେଇ ନବଙ୍କ ଏଭଳି ବୟାନ ପରିବର୍ତ୍ତନ ପଛରେ କି ରହସ୍ୟ ଲୁଚି ରହିଛି ତାହାକୁ କେହି ଭେଦ କରି ପାରୁନାହାନ୍ତି। ନବ ମଧ୍ୟ ଏହି ରହସ୍ୟକୁ ଗୋପନ ରଖିଛନ୍ତି।

ତେବେ ଗତ ଏକ ସପ୍ତାହ ଧରି ନବ ସବୁ ପଞ୍ଚାୟତର କଂଗ୍ରେସ କର୍ମୀଙ୍କୁ ଡ଼ାକି ବିଚାରବିମର୍ଶ କରିଥିଲେ। ଏଥିସହ କିଶୋର ମହାନ୍ତିଙ୍କ ସହ ଦୁଇଦିନ ତଳେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟିଥିଲେ। ଏହାପରେ ନବ ବିଜେଡିରେ ଯୋଗ ଦେବା ଏକ ପ୍ରକାର ଚୂଡ଼ାନ୍ତ ହୋଇ ଯାଇଥିବା କୁହାଯାଉଛି। ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଆସି ଅମଲିପାଲି ଠାରେ ଏକ ସଭାରେ ଉଦବୋଧନ ଦେବା ସହିତ ନବଙ୍କୁ ଦଳରେ ସାମିଲ କରିବା ବିଷୟ ଘୋଷଣା କରିବେ ବୋଲି କୁହାଯାଉଛି। ଏହି ଦିନ ମୁଖ୍ୟମନ୍ତ୍ରୀ କ୍ୟାନସର ହସପିଟାଲ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବେଦାନ୍ତ ସହାୟତାରେ ଆଧୁନିକ ଡାଇଗ୍ନ‌ୋଷ୍ଟିକ ଓ ପାଥୋଲୋଜି ସେଣ୍ଟର, ଚୌକିପଡ଼ା ରେଳ ଓଭରବ୍ରିଜ୍‌ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ସଭାରେ ୫୦ ହଜାରରୁ ଅଧିକ ଲୋକ ଯୋଗ ଦେବା ପାଇଁ ନବଙ୍କ ତତ୍ବାବଧାନରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ସରି ଯାଇଛି। ଏଥିସହ ବିଜେଡିରେ ଯୋଗ ଦେବା ପୂର୍ବରୁ ନବ ନାସିକର ତ୍ରୈୟମ୍ବକେଶ୍ବର ମନ୍ଦିର, ସନି ସିଂଘନପୁର, କଲିକତାର ତାରାପୀଠ, ଆସାମର କାମାକ୍ଷାଦେବୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ଫେରି ଆସିଛନ୍ତି। ୨୪ ତାରିଖ ବିଜେଡିରେ ଯୋଗ ଦେବା କଥାକୁ ନବ ନିଜେ ସ୍ବୀକାର କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସୂଚନା ମଧ୍ୟ ଦେଇଛନ୍ତି।

ତେବେ ସେ କଂଗ୍ରେସ ଦଳ ଛାଡ଼ି କାହିଁକି ବିଜେଡ଼ିରେ ଯୋଗ ଦେଉଛନ୍ତି ବୋଲି ପଚାରିବାରୁ ସେ କହିଛନ୍ତି ଯେ, ମୁଁ ବିଜେଡିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ ବୋଲି ଲୋକେ ଚାହୁଛନ୍ତି। ତେବେ କଂଗ୍ରେସ ଦଳ‌ରେ ମୋର କୌଣସି ମତାନ୍ତର କିମ୍ବା ମନାନ୍ତର ନାହିଁ। ସଭାପତି ରାହୁଲ ଗାନ୍ଧି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଥିବା ସେ କହିଛନ୍ତି।

ତେବେ ନବ ବିଜେଡିରେ ଯୋଗ ଦେଲେ ଝାରସୁଗୁଡ଼ା ବିଜେଡି ତାଙ୍କୁ କିପରି ଗ୍ରହଣ କରିବ; ସେ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ନବଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କିଶୋର ମହାନ୍ତିଙ୍କ ଭୂମିକା ନେଇ ମଧ୍ୟ ସଂଦେହ ସୃଷ୍ଟି ହୋଇଛି। କିଶୋର ଓ ନବଙ୍କୁ ଏକାଠି ମିଳେଇବା ପାଇଁ ତୃତୀୟ ମହଲାରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଗତ ୧୧ ତାରିଖ ଦିନ ନବ ଓ କିଶୋରଙ୍କୁ ତୃତୀୟ ମହଲାରୁ ଏଥିପାଇଁ ଡ଼କରା ହୋଇଥିଲା। ସେଠାରେ ଉଭୟଙ୍କ ସଂପର୍କରେ ସେପରି କିଛି ଉନ୍ନତି ହୋଇ ପାରିନଥିବା କୁହାଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ଆସନ୍ତା ୧୭ ତାରିଖରେ ପ୍ରଣବ ପ୍ରକାଶ ଦାସ ଝାରସୁଗୁଡ଼ା ଗସ୍ତରେ ଆସୁଥିବା ଜଣାଯାଇଛି।

ନବ ଦାସଙ୍କ ଏହି ନିଷ୍ପତ୍ତି ବିଷୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଚରା ଯିବାରୁ ତାଙ୍କ ପାଖରେ ଏ ନେଇ କିଛି ଖବର ନଥିବା ସେ କହିଥିଲେ। ତେବେ ସୋମବାର ଏ ବିଷୟରେ ବୁଝି ସେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର