ପ୍ରଶ୍ନ ପଚାରିବାର ସୁଯୋଗ ମିଳୁ ନ ଥିବାରୁ ବିଧାୟକଙ୍କ ଅସନ୍ତୋଷ

ଭୁବନେଶ୍ବର : ବିଧାନସଭାର ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ମିଳୁ ନ ଥିବାରୁ ଗୃହରେ ଶାସକ ଦଳର ଦୁଇ ବିଧାୟକ ପ୍ରତିବାଦ କରିଥିଲେ। ବିଧାୟକ ରାଜେନ୍ଦ୍ର ସାହୁ ଓ ସୁଧୀର ସାମଲ ଖୋଲାଖୋଲି ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ଆଲୋଚନା ହୋଇଥିବା ବିଭିନ୍ନ ପ୍ରଶ୍ନ ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରସଙ୍ଗରେ ଥିଲା। ତେଣୁ ବାଚସ୍ପତି କେବଳ ମୂଳ ପ୍ରଶ୍ନକର୍ତ୍ତା ଓ ଆବଶ୍ୟକ ସ୍ଥଳେ ସେହି ଜିଲ୍ଲାର ଅନ୍ୟ ବିଧାୟକଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେଉଥିଲେ। ଶ୍ରୀ ସାହୁ ଓ ଶ୍ରୀ ସାମଲ ବାରମ୍ବାର ହାତ ଟେକିଥିଲେ ବି ସେମାନଙ୍କୁ ସୁଯୋଗ ମିଳି ନ ଥିଲା। ଶ୍ରୀ ସାହୁ ଠିଆ ହୋଇ କହିଥିଲେ, ଆମେ ଆମ ନିର୍ବାଚନମଣ୍ଡଳୀ ସମସ୍ୟା କିପରି ଉପସ୍ଥାପନ କରିବୁ ? ପ୍ରଶ୍ନ ଅଞ୍ଚଳ ଭିତ୍ତିକ ହୋଇଥିଲେ ବି ସଂପୃକ୍ତ ବିଭାଗ ସଂକ୍ରାନ୍ତୀୟ ପ୍ରଶ୍ନ ପଚାରିବାରେ ଅସୁବିଧା କେଉଁଠି ? କିନ୍ତୁ ବାଚସ୍ପତି ଶୁଣି ନ ଥିଲେ। ଶ୍ରୀ ସାମଲ ମଧ୍ୟ ନିଜ ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଯାଇଥିଲା।

ଭଦ୍ରକ ଜିଲ୍ଲାରେ ଜଳକ୍ରୀଡ଼ା ସମ୍ପର୍କିତ ପ୍ରଶ୍ନରେ ଆଲୋଚନା ଚାଲିଥିଲା ବେଳେ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଶ୍ରୀ ସାମଲଙ୍କୁ ବାଚସ୍ପତି ସୁଯୋଗ ଦେଲେ। କିନ୍ତୁ ‌େସ ପ୍ରଶ୍ନ କରିବାକୁ ମନା କରି କହିଲେ, ମୁଁ ଶକ୍ତି ବିଭାଗ ସମ୍ପର୍କିତ ପ୍ରଶ୍ନ କରିଥା’ନ୍ତି। କ୍ରୀଡ଼ା ବିଭାଗ‌କୁ ମୋର କିଛି ପ୍ରଶ୍ନ ନାହିଁ।

ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରଶ୍ନ ପଚାରିବାକୁ ସୁଯୋଗ ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରୁଥିବା ଦେଖି ବାଚସ୍ପତି ତାଙ୍କୁ ସୁଯୋଗ ଦେଲେ। ଏ କଥା ବି କହିଲେ, ଭଦ୍ରକ କେଉଁଠି ତମେ କେଉଁଠି। ତଥାପି ପ୍ରଶ୍ନ ପଚାରିବ। ହଉ ପଚାର।

ସମ୍ବନ୍ଧିତ ଖବର