ବାଲେଶ୍ବର/ସୋର: ଟିକେଟ କଟିଯିବା ପରେ ବିଜେଡିରୁ ଇସ୍ତଫା ଦେଇଥିବା ସୋର ବିଧାୟକ ପଶୁର୍ରାମ ଧଡ଼ାଙ୍କର ଘରବାହୁଡ଼ା ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ସମୀର ମହାନ୍ତି ଓ ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଶ୍ରୀ ଧଡ଼ା ଆଜି ନିଜ ସମର୍ଥକମାନଙ୍କ ସହ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟକୁ ଯାଇ ନିଜ ପୁରୁଣା ଦଳରେ ମିଶିଛନ୍ତି। ସୋର ନିର୍ବାଚନମଣ୍ଡଳୀରୁ ୨ ଥର ବିଧାୟକ ହୋଇଥିବା ପର୍ଶୁରାମଙ୍କ ରାଜନୈତିକ କ୍ୟାରିୟର ବିଜେପିରୁ ହିଁ ଆରମ୍ଭ ହୋଇଥିଲା। ବିଜେପି ସମର୍ଥନରେ ସୋର ପୌରପାଳିକାରୁ ସେ ୩ ଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ପ୍ରଥମଥର ପାଇଁ ବିଜେପି ଟିକେଟରେ ବିଧାୟକ ଭାବେ ଲଢ଼ି କଂଗ୍ରେସର ସୁରେନ୍ଦ୍ର ପରମାଣିକଙ୍କଠାରୁ ମାତ୍ର ୩୬୦ ଖଣ୍ଡ ଭୋଟ୍ରେ ହାରି ଯାଇଥିଲେ। ତେବେ ୨୦୧୪ ଓ ୨୦୧୯ ମସିହା ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନ ପୂର୍ବରୁ ପର୍ଶୁରାମ ସୋର ପୌରପାଳିକା ଅଧ୍ୟକ୍ଷ ବିଜେପିର ଯୁବନେତା ମାଧବ ଧଡ଼ାଙ୍କୁ ବିଜେଡିରେ ସାମିଲ କରି ବିଜେପିକୁ ଶକ୍ତ ଝଟ୍କା ଦେଇଥିଲେ। ଫଳରେ, ସୋର ଆସନରୁ ଏଥର ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ପର୍ଶୁରାମଙ୍କ ସ୍ଥିତି ଅଚାନକ ଓଲଟପାଲଟ ହୋଇଯାଇଥିଲା। ପର୍ଶୁରାମଙ୍କ ପରିବର୍ତ୍ତେ ମାଧବଙ୍କୁ ସୋରରୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜେଡି। ଦଳର ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତିରେ ପର୍ଶୁରାମ କ୍ଷୁବ୍ଧ ହୋଇ ଏପ୍ରିଲ ୩ ତାରିଖରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
ଅନ୍ୟପକ୍ଷରେ, ସୋର ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଆସୁଥିବା ରାକେଶ ମଳିକଙ୍କୁ ଦଳ ଏଥର ଟିକେଟ୍ ଦେଇନି। ତାଙ୍କ ବଦଳରେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଛି। ବାହାର ଜିଲ୍ଲାର ନେତା ଗ୍ରହଣୀୟ ନୁହନ୍ତି କହି ସୋରରେ ରାକେଶ ମଳିକଙ୍କ ଗୋଷ୍ଠୀ ରାଜେନ୍ଦ୍ରଙ୍କୁ ବିରୋଧ କରିବା ସହ ତାଙ୍କୁ ପୂରାଇ ଦେଉନାହାନ୍ତି। ଏପ୍ରିଲ ୧୨ ତାରିଖରେ ରାଜେନ୍ଦ୍ର ନିଜ ସମର୍ଥକଙ୍କ ସହ ପ୍ରଚାର ପାଇଁ ସୋର ଆସିଥିବା ବେଳେ ପ୍ରବଳ ବିରୋଧାଭାସର ସମ୍ମୁଖୀନ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ଅଧାବାଟରୁ ଫେରିବାକୁ ପଡ଼ିଥିଲା। ଫଳରେ, ଦଳ ତରଫରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଆଜିକୁ ୧୪ ଦିନ ହେଲା ରାଜେନ୍ଦ୍ର ପ୍ରଚାର କରିପାରୁନାହାନ୍ତି। ସମ୍ଭବତଃ ଏହି ଅଡ଼ୁଆ ତୁଟାଇବା ପାଇଁ ପର୍ଶୁରାମଙ୍କୁ ବିଜେପି ସୋରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।