ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା, ବିଧାୟକ-ପୁଲିସ ମୁହାଁମୁହିଁ

ଜୟନାରାୟଣ ଓ ନାଉରୀଙ୍କ ବିରୋଧରେ ମାମଲା, ଜିଲ୍ଲାର ସ୍ବାସ୍ଥ୍ୟସେବା କୋମାକୁ ଗଲାଣି: ବିଜେପି

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ବିଶେଷକରି ଅଣକୋଭିଡ୍‌ ରୋଗୀମାନଙ୍କ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଯିବା ବେଳେ ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟକ ନାଉରୀ ନାଏକଙ୍କ ସମେତ ବିଜେପିର ପ୍ରତିନିଧିଦଳଙ୍କୁ ପୁଲିସ ଅଟକାଇବା, ସେଠାରେ ପୁଲିସ-ବିଧାୟକ ମୁହାଁମୁହିଁ ହେବା ଏବଂ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଦୁଇ ବିଧାୟକଙ୍କ ସମେତ ୧୨ ଜଣଙ୍କ ନାଁରେ ସମ୍ବଲପୁର ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରି ଭିତରକୁ ଧସେଇ ପଶିବା ସହ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ବିଜେପିର ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା। କୋଭିଡ୍ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବାରୁ ପୁଲିସ୍‌ ବିଧାୟକ ଓ ତାଙ୍କ ସହଯୋଗୀଙ୍କୁ ଅଟକାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଗେଟ୍‌ ନିକଟକୁ ଆସି ଦାବିପତ୍ର ଗ୍ରହଣ କରିବେ ବୋଲି ପୁଲିସ କହିଥିଲା।

ଘଟଣାକୁ ନେଇ ପୁଲିସ ଓ ବିଧାୟକ ‌ମୁହାଁମୁହିଁ ‌ହୋଇଥିଲେ। ଉଚ୍ଚବାଚ ଓ ଯୁକ୍ତିତର୍କ ସହ କଥା ଠେଲାପେଲା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଶେଷରେ ବିଧାୟକ ଶ୍ରୀ ମିଶ୍ର ମୁଖ୍ୟ ଫାଟକ ଠେଲି ଜବରଦସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପଶିଥିଲେ। ତାଙ୍କ ସହିତ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ସମେତ ୨୦ରୁ ଅଧିକ ନେତା ଓ କର୍ମୀ ମଧ୍ୟ ତାଙ୍କ ସହ ଥିଲେ। ତେବେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସେମାନେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍‌ଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ପାଟିତୁଣ୍ଡ କରିଥିଲେ। ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କୋଭିଡ୍‌ ସମୟରେ ଜିଲ୍ଲା ପ୍ରଶାସନ ନିଜର ଦାୟିତ୍ବ ଠିକ୍‌ ଭାବେ ନିର୍ବାହ କରୁନଥିବା ନେଇ ଅଭିଯୋଗ କରିବା ସହ ବିଧାୟକ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ସମୟରେ ଜନପ୍ରତିନିଧିଙ୍କୁ ରୋକାଯିବା କେତେଦୂର ଯଥାର୍ଥ ବୋଲି ଶ୍ରୀ ମିଶ୍ର ଏହାପରେ ଗଣମାଧ୍ୟମ ସମ୍ମୁଖରେ ପ୍ରଶ୍ନ ରଖିଥିଲେ।

୧୨ ଜଣଙ୍କ ବିରୋଧରେ ମାମଲା

ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର ଓ ରେଙ୍ଗାଲି ବିଧାୟକ ଶ୍ରୀ ନାୟକଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ପଶିଥିଲେ ଓ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ଉକାମାନ୍ତ ରାଜଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ପୁଲିସ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। ଏଥିସହ ଟାଉନ୍‌ ଥାନା ଅଧିକାରୀ ରମେଶ ଦୋରାଙ୍କ ଅଭିଯୋଗ କ୍ରମେ କୋଭିଡ୍‌ କଟକଣା ସତ୍ତ୍ବେ ବେଆଇନ୍‌ ଭାବେ ଏକତ୍ରିତ ହେବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା, କୋଭିଡ୍‌-୧୯ ଓ ବିପର୍ଯ୍ୟୟ ପ୍ରଶମନ ଆଇନ୍‌ର ଉଲ୍ଲଂଘନ , ଉତ୍ତେଜନା ସୃଷ୍ଟିକାରୀ ସ୍ଳୋଗାନ୍‌ ଦେବା ସହ କୋଭିଡ୍‌ ନିୟମ ଉଲ୍ଲଂଘନ କରି ନିଜ ସହ ଅନ୍ୟ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗରେ ବିଧାୟକ ଶ୍ରୀ ମିଶ୍ର, ଶ୍ରୀ ନାୟକ ଓ ୧୦ ଅନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଟାଉନ୍‌ ଥାନାରେ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର