ବ୍ରହ୍ମପୁର/ଛତ୍ରପୁର : ୩ ବର୍ଷ ପରେ ସରକାରୀ ବୈଠକରେ ଯୋଗଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକରେ ସେ ଯୋଗଦେବା ସହିତ ଆଲୋଚନାରେ ଭାଗ ନେଇଛନ୍ତି। ତେବେ, ଏତଦିନ ବ୍ୟବଧାନରେ ବିଧାୟକଙ୍କ ସରକାରୀ ବୈଠକରେ ଯୋଗଦାନ ପଛରେ କ’ ଣ ରହସ୍ୟ ରହିଛି , ତାକୁ ନେଇ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି।
ଗତ ୨୦୨୦ମସିହା ଡିସେମ୍ବରରେ ବିଧାୟକ ଶ୍ରୀପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଛନ୍ଦିହୋଇ ହୋଇ ଜେଲ୍ ଯାଇଥିଲେ। ଜେଲ୍ରୁ ବାହାରିବା ପରେ ସେ ପ୍ରାଶାସନିକ ସ୍ତରରେ ମଧ୍ୟ କୋଣଠେସା ହୋଇ ରହିଥିଲେ। ବିଧାୟକ ହିସାବରେ କୌଣସି ସରକାରୀ ବୈଠକ କିମ୍ବା କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ ମିଳୁନଥିଲା। ଆଜି ହଠାତ୍ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ବିଧିବଦ୍ଧ ଭାବେ ଜିଲ୍ଲାସ୍ତରୀୟ ବୈଠକରେ ଯୋଗଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଆଡୁ ନିମନ୍ତ୍ରଣ ମିଳିଥିଲା। ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକରେ ସେ ଯୋଗଦେଇଥଲେ। ଗଞ୍ଜାମ ଜିଲ୍ଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପରିଡ଼ା ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକ ସମାପ୍ତ ହେବା ପରେ ବିଧାୟକ ଡ. ପାଣିଗ୍ରାହୀ କହିଲେ ଯେ, ପ୍ରଶାସନ ତରଫରୁ ସରକାରୀ ବୈଠକକୁ ଡକା ଯାଇଥିବାରୁ ମୁଁ ବହୁତ ଖୁସି। ଦୀର୍ଘ ୩ବର୍ଷ ପରେ ପୁଣିଥରେ ସରକାରୀ ବୈଠକରେ ଯୋଗ ଦେଇଛି। ଆଗକୁ ମଧ୍ୟ ସରକାରୀ ବୈଠକରେ ଯୋଗଦାନ କରିବାକୁ ନିମନ୍ତ୍ରଣ ମିଳିବ ବୋଲି ମୋର ଆଶା ଓ ବିଶ୍ବାସ ବୋଲି ସେ କହିଥିଲେ।
ଦୀର୍ଘଦିନ ପରେ ସରକାରୀ ବୈଠକରେ ବିଧାୟକ ଶ୍ରୀପାଣିଗ୍ରାହୀଙ୍କ ଯୋଗଦାନୁ ନେଇ ଆଜି ଚର୍ଚ୍ଚା ଜୋର୍ ଧରିଛି। ଏତେଦିନ ପରେ ନିମନ୍ତ୍ରଣ ମିଳିବା ପଛରେ କ’ଣ ରହସ୍ୟ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି। କେହିକେହି କୋଣଠେସା ହୋଇ ରହିଥିବା ବିଧାୟକଙ୍କ ଭାଗ୍ୟ ବଦଳିବ କି ନାହିଁ ତର୍ଯ୍ୟମା ଆରମ୍ଭ କରିଦେଇଛନ୍ତି। ତେବେ, ଏ ସମ୍ପର୍କରେ ଶାସକ ଦଳ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।