ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା : ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ବିଧାୟକ ପ୍ରଦୀପ ହାଜର

ପ୍ରଦୀପଙ୍କ ଅଭିଯୋଗ: ପୁଲିସ ଚିକିତ୍ସା ନକରି ଉଠାଇ ଆଣିଲା
ବ୍ରହ୍ମପୁର ଜେଲ୍‌ରେ ରଖି ଚିକିତ୍ସା ସୁବିଧା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
ପ୍ରଦୀପଙ୍କ ପାଇଁ ପତ୍ନୀ ସୁଜାତା ମକଦ୍ଦମା ଲଢ଼ିଲେ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗରେ ଗୋଳନ୍ଥରା ଥାନାରେ ରୁଜୁ ତିନୋଟି ମାମଲାରେ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି।

ଆଜି ପୁଲିସ ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷାରେ ପ୍ରଦୀପଙ୍କୁ ଆଣି ଅପରାହ୍ନ ୩ଟା୫ ମିନଟ ସମୟରେ ବ୍ରହ୍ମପୁର ଏସ୍‌ଡିଜେଏମ୍ ଜିତେନ୍ଦ୍ରୀୟ ପାଣିଗ୍ରାହୀଙ୍କ କୋର୍ଟରେ ହାଜର କରାଇଥିଲା। ନିଜ ପକ୍ଷ ରଖି ସେ ଅସୁସ୍ଥ ଥିବା କୋର୍ଟଙ୍କୁ ଅବଗତ କରାଇଥିଲେ। ମୁଣ୍ଡ ବୁଲାଇବା ସହ ଅଣ୍ଟା, ଆଣ୍ଠୁରେ ଯନ୍ତ୍ରଣା ଥିବା ପ୍ରକାଶ କରିବା ସହ ତାଙ୍କୁ ପ୍ରଥମେ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଥିଲେ। ଏଥିସହିତ, ଚିକିତ୍ସା ସୁବିଧା ଯୋଗାଇବା ପରିବର୍ତ୍ତେ ବ୍ରହ୍ମପୁର ପୁଲିସ ଆଜି ସକାଳୁ ତାଙ୍କୁ ଉଠାଇ ନେଇ ଆସଛି ଏବଂ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ ଅପରାହ୍‌ଣ ୩ଟା ଯାଏ ତାଙ୍କୁ ଭୋକରେ ରଖାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ଆକ୍ରୋଶମୂଳକ ଭାବେ ପୁଲିସ ମିଥ୍ୟା ମାମଲା ରୁଜୁ କରିଥିବା ସେ କହିଥିଲେ। ଚାକିରି ଦେବା ନାଁରେ ଯଦି କେହି ଠକେଇର ଶିକାର ହୋଇଥିବେ ତେବେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ କରିବାକୁ ବ୍ରହ୍ମପୁର ଏସ୍‌ପି କହିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେପରି କିଛି ଅଭିଯୋଗ ହୋଇ ନଥିଲା। କ୍ରାଇମ୍‌ବ୍ରାଞ୍ଚ ନିକଟରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ କେମିତି ଥାନାରେ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ତାଙ୍କୁ ରିମାଣ୍ଡ ଦିଆଯାଉଛି ବୋଲି ପ୍ରଦୀପ ପ୍ରଶ୍ନ କରିଥିଲେ।

ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଆଜି ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ପ୍ରଦୀପଙ୍କ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକଙ୍କ ସହକାରୀ ଭାବେ କୋର୍ଟରେ ଉପସ୍ଥିତ ରହିଥିଲେ। ସ୍ବାମୀ ପ୍ରଦୀପଙ୍କ ପକ୍ଷ ରଖିଥିଲେ। ପ୍ରଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ରିମାଣ୍ଡ୍‌ ଲଗାଯିବା ପରେ ପରେ ତୁରନ୍ତ ଭୁବେନେଶ୍ବର ଫେରାଇ ନେଇ ପ୍ରଦୀପଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗଇ ଦେବାକୁ ନିବେଦନ କରି ଓକିଲ ଦୀପକ ପଟ୍ଟନାୟକ ଏକ ପିଟିସନ୍ ଦାଖଲ କରିଥିଲେ। ଏହି ପିଟିସନ୍‌ ଉପରେ ଶୁଣାଣି କରି ମାନ୍ୟବର ଏସ୍‌ଡିଏମ୍‌ ବ୍ରହ୍ମପୁର ଜେଲ୍‌ରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରଖି ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରୁ ବିଧାୟକ ପ୍ରଦୀପଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର