ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ତାଙ୍କର ସମର୍ଥକଙ୍କ ସହ ବିଜେପିରେ ଅାନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ବିେଜପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଛନ୍ତି। ପ୍ରଦୀପ ବିଜେପିରେ ମିଶିବା ଦ୍ବାରା ଗଞ୍ଜାମରେ ବିଜେପି ଅଧିକ ସୁଦୃଢ଼ ହେବ ବୋଲି ଶ୍ରୀ ସାମଲ କହିଛନ୍ତି। ବିଜେପିରେ ଯୋଗଦେବା ପରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି। ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଓଡ଼ିଶାରେ ଅନ୍ଧ, ମୂକ, ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବାର ସମୟ ଆସିଛି।
ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ନିଜର ସ୍ୱାର୍ଥ ଲାଗି ବିଜେପି ହାତ ଛାଡ଼ିଥିଲେ। ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତାକୁ ଆଣିବାର ସମୟ ଆସିଛି। ପୂର୍ଣ୍ଣ ସମର୍ଥନ ଦେଇ ବିଜେପିକୁ କ୍ଷମତାସୀନ କରିବାକୁ ସେ ନିବେଦନ କରିଛନ୍ତି।
ସେ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାରକୁ ଆସିଲେ ଲୋକଙ୍କ ପାଇଁ ସମର୍ପିତ ହେବ। ସଚିବାଳୟ, ମନ୍ତ୍ରାଳୟ ସମସ୍ତଙ୍କ ପାଇଁ ଖୋଲା ରହିବ। ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।