କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭୁବନେଶ୍ବର ଜେଏମ୍‌ଏଫ୍‌ସି ଅଦାଲତରେ ବିଚାରାଧୀନ ମାମଲା ଉପରେ ପୂର୍ବରୁ ଜାରି କରାଯାଇଥିବା ରହିତାଦେଶ ଉଠିଛି। ଫଳରେ ଜାମିନ ସର୍ତ୍ତ ଅନୁସାରେ ଜେରା ସମୟରେ ସବୁ ତାରିଖରେ ଶ୍ରୀ ପାଣିଗ୍ରାହୀ ନିମ୍ନ ଅଦାଲତରେ ହାଜର ହେବେ। ଟାଟା କମ୍ପାନିରେ ଚାକିରି କରାଇବାକୁ କହି ଆଶାୟୀଙ୍କୁ ଠକିବା ଅଭିଯୋଗ ସଂପର୍କିତ ମାମଲାରେ ସହଅଭିଯୁକ୍ତ ଭି.ସର୍ବେଶ୍ବର ରାଓଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ୨୦୨୪ ଜାନୁଆରି ୨୨ରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହାପରେ ବିଭିନ୍ନ ତାରିଖରେ ହାଇକୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଅବଧି ବୃଦ୍ଧି କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭି.ସର୍ବେଶ୍ବର ରାଓଙ୍କ ପରଲୋକ ଘଟିଥିଲା। ଏହାପରେ ଗତ ଏପ୍ରିଲ ୨୨ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇବା ସହିତ ପୂର୍ବରୁ ଜାରି ଅନ୍ତରୀଣ ଆଦେଶ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏବେ ଭୁବ‌ନେଶ୍ବରସ୍ଥିତ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଚାଲିବ। ଜାମିନ ସର୍ତ୍ତ ପାଳନ କରି ଶ୍ରୀ ପାଣିଗ୍ରାହୀ ନିମ୍ନ ଅଦାଲତରେ ମାମଲାର ଜେରା ସମୟରେ ସବୁ ତାରିଖରେ ହାଜର ହେବାକୁ ବାଧ୍ୟ ହେବେ। ଯଦି ହାଇକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ବାତିଲ ହେବ।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ୨୦୨୦ ନଭେମ୍ବର ୨୭ ତାରିଖରେ ଗିରଫ ହୋଇଥିଲେ। ଏହାପରେ ଟାଟା ମୋଟର୍ସରେ ନକଲି ଏମ୍‌ଡି ସାଜି ଆକାଶ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ୨୦୨୦ ଡିସେମ୍ବର ୩ରେ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଆକାଶ ପାଠକ ଓ ଭି.ସର୍ବେଶ୍ବର ରାଓଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ୨୦୨୧ ଫେବ୍ରୁଆରି ୨୪ରେ ଶ୍ରୀ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ। ହାଇକୋର୍ଟ ଜାମିନ ମଞ୍ଜୁର କରିବା ବେଳେ କେତେକ ସର୍ତ୍ତାରୋପ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଆବଶ୍ୟକ ବେଳେ ଶ୍ରୀ ପାଣିଗ୍ରାହୀ ହାଜର ହେବେ ଓ ତଦନ୍ତରେ ସହଯୋଗ କରିବେ। ଜେରା ପାଇଁ ଧାର୍ଯ୍ୟ ପ୍ରତ୍ୟେକ ତାରିଖରେ ସେ ଅଦାଲତରେ ହାଜର ହେବେ। ଅଦାଲତଙ୍କ ପୂର୍ବ ଅନୁମତି ବିନା ଓଡ଼ିଶା ଛାଡି ଯିବେନାହିଁ। ନିମ୍ନ ଅଦାଲତରେ ପାସପୋର୍ଟ ଦାଖଲ କରିବେ। ଯଦି ପାସପୋର୍ଟ ନଥିବ ଏ ନେଇ ନିମ୍ନ ଅଦାଲତରେ ସତ୍ୟପାଠ ଦାଖଲ କରିବେ। ଏହି ମାମଲା ପ୍ରସଂଗରେ ଆବେଦନକାରୀ କୌଣସି ଗଣମାଧ୍ୟମରେ ଅଥବା ସର୍ବସାଧାରଣ ମନ୍ତବ୍ୟ ଦେବେନାହିଁ।

ନିଜର ଓ ଅନ୍ୟ ସହଅଭିଯୁକ୍ତଙ୍କ ପ୍ରସଂଗରେ ବି କିଛି ମନ୍ତବ୍ୟ ରଖିବେ ନାହିଁ। ଯଦି କୌଣସି ସର୍ତ୍ତର ଉଲ୍ଲଂଘନ ହୁଏ ତେବେ ତାଙ୍କ ଜାମିନ ରଦ୍ଦ ହେବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ପରବର୍ତ୍ତୀ ସମୟରେ ନିମ୍ନ ଅଦାଲତଙ୍କ ୨୦୨୩ ଅଗଷ୍ଟ ୨୧ର ଚାର୍ଜଫ୍ରେମ ନିର୍ଦ୍ଦେଶକୁ ବିରୋଧ କରି ଭି.ସ‌ର୍ବେଶ୍ବର ରାଓ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୪ ଜାନୁଆରି ୨୨ରେ ହାଇକୋର୍ଟ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।